ଭୁବନେଶ୍ୱର,: ଆଦିବାସୀ ଅଞ୍ଚଳ ଉପଯୋଜନା (ଟିଏଏସପି) ସଂପର୍କିତ ବଜେଟ୍ ତଦାରଖ ବ୍ୟବସ୍ଥା ଏବଂ ଏହାର
ପରିଚାଳନା ସଂପର୍କରେ ଏକ ବୈଠକ ଲୋକସେବା ଭବନରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛ । ଆମ ଦେଶରେ ପ୍ରାୟ ୭୦୦ ପ୍ରକାର ଆଦିବାସୀ
ରହୁଛନ୍ତି ଯାହାର ସଂଖ୍ୟା ପ୍ରାୟ ୧୦ କୋଟି ଏବଂ ଓଡ଼ିଶାରେ ଏହାର ଜନ ସଂଖ୍ୟାର ପ୍ରାୟ ଏକ ଚତୁର୍ଥାଂଶ ଜନଜାତି ଅଟନ୍ତି ଯାହାକି ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ । ସେମାନଙ୍କର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଏବଂ ପ୍ରଗତିଶୀଳ ନୀତି ଜରିଆରେ ସମନ୍ୱିତ ପଦକ୍ଷେପ ନେଇଛନ୍ତି । ଜନଜାତିଉପଯୋଜନା ରାଜ୍ୟ ବାର୍ଷିକ ଯୋଜନାର ଅଂଶ ବିଶେଷ । ଜନଜାତିଙ୍କ ଜନସଂଖ୍ୟା ଅନୁସାରେ ନିର୍ଦ୍ଦିଷ୍ଟ ପାଣ୍ଠି ଆବଣ୍ଟିତ ହେବ । ରାଜ୍ୟ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ଅନୁସୂଚିତ ଜନଜାତି ବର୍ଗଙ୍କ ବିକାଶ ପାଇଁ ବଜେଟରେ ବ୍ୟବସ୍ଥା ପାଇଁ ନିୟମିତ ସମୀକ୍ଷା କରାଯାଉଛି । ଏହି
ପାଣ୍ଠିର ଖର୍ଚ୍ଚ ଜନଜାତି ବର୍ଗର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ନିମନ୍ତେ ବିନିଯୋଗ ସୁନିଶ୍ଚିତ କରିବା ପାଇଁ ଏକକ ତଥ୍ୟ ଭିତ୍ତିକ ପରିଚାଳନା ବ୍ୟବସ୍ଥାର ଆବଶ୍ୟକତା ସଂପର୍କରେ ବୈଠକରେ ଆଲୋକପାତ କରାଯାଇଥିଲା । ଏଥି ନିମନ୍ତେ ଜୀବନର ଗୁଣବତ୍ତା ସୂଚକାଙ୍କ (କ୍ୱାଲିଟି ଅଫ ଲାଇଫ ଇନଡେକ୍ସ) ପରିକଳ୍ପନା କରାଯାଇ ଜନଜାତିମାନଙ୍କ ପାଇଁ ତଥ୍ୟ
ଆଧାରିତ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଗୁଡିକୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ଉନ୍ନୟନ କମିଶନର ଗୁରୁତ୍ୱାରୋପ କରିଥିଲେ । ଏଥିରେ ଜନଜାତିମାନଙ୍କ ପାଇଁ ମୌଳିକ ସୁବିଧା, ସ୍ୱାସ୍ଥ୍ୟ, ଖାଦ୍ୟ, ଜୀବିକାର୍ଜନ ଓ ଆୟ, ଶିକ୍ଷା ଓ ଦକ୍ଷତା ବିକାଶ ଅନ୍ତର୍ଗତ ୬ ଟି ଲେଖାଏଁ ଭିନ୍ନ ଭିନ୍ନ ଉପ ସୂଚକ ରହିଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,
ଯୋଜନା ଓ ସଂଯୋଜକ ବିଭାଗ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଏବଂ ଅର୍ଥ ବିଭାଗ ସମ୍ମିଳିତ ପ୍ରୟାସରେ ଜନଜାତି ସମୁଦାୟର ଜୀବନଧାରଣର ମାନରେ ଗୁଣାତ୍ମକ ଉନ୍ନତି ଆଣିବା ପାଇଁ ଏହା ଏକ ଅଭିନବ ପ୍ରଚେଷ୍ଟା । ବିଭିନ୍ନ ବିଭାଗ
ଦ୍ୱାରା ଜନଜାତି ବର୍ଗର ହିତାଧିକାରୀମାନେ ଏହି ଯୋଜନାରୁ କେତେ ଉପକୃତ ହେଉଛନ୍ତି ସେ ସଂପର୍କରେ ସମୀକ୍ଷା, ତଦାରଖ ଓ ଅଗ୍ରଗତି ସଂପର୍କରେ ନିୟମିତ ଭାବେ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ, ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଏବଂ ଯୋଜନା ଓ ସଂଯୋଜକ ବିଭାଗର ଅନ୍ୟ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।
ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଆଦିବାସୀ ଅଞ୍ଚଳ ଉପଯୋଜନା କାର୍ଯ୍ୟକାରିତା ସଂପର୍କରେ ବୈଠକ
Prev Post