ଆବାସ ଯୋଜନା ଗୃହ ପ୍ରଦାନ ନିମନ୍ତେ ନୂତନ ହିତାଧିକାରୀ ଚୟନ ପ୍ରକ୍ରିୟା ଆରମ୍ଭ

0 80

ରାୟଗଡ଼,: ଜିଲ୍ଲାରେ ଗୃହହୀନ ଓ କଚ୍ଚା ଘରେ ରହୁଥିବା ସମସ୍ତ ପରିବାରଙ୍କୁ ପକ୍କା ଘର ପ୍ରଦାନ ନିମନ୍ତେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି । ଜିଲ୍ଲା ପରିଷଦ, ରାୟଗଡର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ ଶୁକ୍ରବାର ସକାଳେ ସ୍ଥାନୀୟ ରାୟଗଡ଼ ସଦର ପଞ୍ଚାୟତ ସମିତି ପରିସରରୁ ଶୁଭାରମ୍ଭ କରିଥିଲେ । ଶୁଭାରମ୍ଭ ସମୟରେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ କାଳୁ ଚରଣ ନାୟକ, ବ୍ଲକ ପ୍ରକଳ୍ପ ସଂଯୋଜକ ମୋହନ ମୂରଲୀ ହାତୀ, ବ୍ଲକ ଆବାସ ଯୋଜନା ସହାୟକ ନୀଳମଣି ପଣ୍ଡା ଓ ଅନ୍ୟାନ୍ୟ ବ୍ଲକ କର୍ମକର୍ତ୍ତା ଉପସ୍ଥିତ ଥିଲେ । ଜାନୁୟାରୀ ୨୪ ତାରିଖରୁ ପ୍ରାରମ୍ଭ ହୋଇଥିବା ଏହି ସର୍ଭେ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ସର୍ଭେ
ନିମନ୍ତେ ପ୍ରତି ବ୍ଲକର କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି, ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟାନର ପ୍ରଦର୍ଶନ ସହ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମ୍ୟସ୍ତରରେ ବହୁଳ ପ୍ରଚାର ଓ ପ୍ରସାର କରାଯାଉଛି । ରାୟଗଡା ବ୍ଲକରେ ୨୭୩ଟି ରାଜସ୍ୱ ଗ୍ରାମରେ ସର୍ଭେ ନିମନ୍ତେ ୫୭
ଜଣ କ୍ଷେତ୍ର କର୍ମଚାରୀ ନିଯୋଜିତ ଥିବା ଏବିଡିଓ କାଳୁ ଚରଣ ନାୟକ ପ୍ରକାଶ କରିଛନ୍ତି । ଚଳିତ ସର୍ଭେରେ ଆଶାୟୀ ପରିବାର ନିଜେ ମଧ୍ୟ ନିଜର ସର୍ଭେ କରିପାରିବା ଏହି ସର୍ଭେର ପ୍ରମୁଖ ବିଶେଷତ୍ୱ । ପରିବାରର ମହିଳା ମୁଖ୍ୟ ହିଁ କେବଳ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ହିତାଧିକାରୀ ଭାବେ ପରିଗଣିତ ହେବେ । ଆୱାସ ଆପ ଜରିଆରେ ସର୍ଭେ ଅନୁଷ୍ଠିତ ହେବ । ହିତାଧିକାରୀ ଭୂମିହୀନ ହୋଇଥିଲେ ଏହାର ତଥ୍ୟ ମଧ୍ୟ ଆପରେ ଉଲ୍ଲେଖ କରାଯିବ । ସର୍ଭେରେ ଚିହ୍ନଟ ହୋଇଥିବା ହିତାଧିକାରୀଙ୍କ ତାଲିକା ଗ୍ରାମୱାରୀ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଦର୍ଶନ କରାଯିବ ଫଳରେ ଯୋଗ୍ୟ ହିତାଧିକାରୀ ସୁଯୋଗ ପାଇପାରିବେ । ହିତାଧିକାରୀ ଚୟନ ପଦ୍ଧତିକୁ କୋହଳ କରାଯାଇ ଦୁଇ ଚକିଆ ଯାନ, ଫ୍ରିଜ ଅବା ଲ୍ୟାଣ୍ଡ ଲାଇନ ଫୋନ ଥିବା ପରିବାର ଅଯୋଗ୍ୟ ବିବେଚନା ହେବେନାହିଁ ଏବଂ ପରିବାର ମାସିକ ଆୟ ଦଶ ହଜାର ଟଙ୍କାରୁ ପନ୍ଦର ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ପରିବର୍ତ୍ତିତ ଯୋଗ୍ୟତା ମାନଦଣ୍ଡ ଆଧାରରେ ବଳକା ଥିବା ସମସ୍ତ ଯୋଗ୍ୟ ପରିବାରଙ୍କୁ ଚିହ୍ନଟ କରି ସେମାନଙ୍କୁ ଏହି ଯୋଜନାରେ ଗୃହ ମଞ୍ଜୁର ଲକ୍ଷ୍ୟରେ ସରକାର ନୂତନ ସର୍ଭେ ଆରମ୍ଭ କରୁଥିବା ମୁଖ୍ୟ ବିକାଶ ଅଧିକାରୀ ଶ୍ରୀ ଖେମୁଣ୍ଡୁ କହିଛନ୍ତି ।

Leave A Reply

Your email address will not be published.