ପୁରୀ,: ଆଇନ ସେବା ପ୍ରାଧିକରଣ ସମ୍ମିଳନୀକକ୍ଷରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷା ତଥା ଜିଲ୍ଲା ଓ ଦୌରାଜଜ ଅଜନ୍ତା ଷଡଙ୍ଗୀଙ୍କ ନିର୍ଦ୍ଦେଶରେ ଆୟୋଜିତ ଏହି
ଆଇନ ସଚେତନତା ଶିବିରରେ ସୁପ୍ରିମକୋଟ ଜଜମେଣ୍ଟର ଅନୁବାଦ ଆର୍ଟିଫ଼ିସିୟାଲ ଇନ୍ଟେଲିଜେନ୍ସ ଦ୍ୱାରା ଇଂରାଜୀ ଭାଷାରୁ ଆଞ୍ଚଳିକ ଭାଷାକୁ ଅନୁବାଦ କରିବା ସଫ୍ଟୱେୟାର୍ ଏବଂ ହାଇକୋର୍ଟର ଭିଡିଓ କନଫରେନ୍ସିଂ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଆଇନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହାକୁ ପ୍ରାଧିକରଣର ସଚିବ ଅମିତ କୁମାର ବାରିକ ଉଦଘାଟନ କରି ଆଇନ ସେବା ପ୍ରାଧିକରଣ ଅଧିନିୟମ ୧୯୮୭ରେ ଥିବା ବିଭିତ୍ତ ବିଧି ବ୍ୟବସ୍ଥାର ଉଦ୍ଦେଶ୍ୟ, ଆଭିମୁଖ୍ୟ, ନିଶୁଳ୍କ ଆଇନ ସେବାର ଯୋଗ୍ୟ ହିତାଧିକାରୀ, ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର, ନ୍ୟାୟ ସଂଯୋଗ ସମ୍ପର୍କରେ ଆଲୋଚନା କରିଥିଲେ । ଏଥିସହ ଆଇନ ସେବା କ\’ଣ ଏବଂ କେଉଁମାନେ ଆଇନ ସେବା ପାଇବାକୁ ଯୋଗ୍ୟ ସେ ସମ୍ପର୍କରେ ମଧ୍ୟ ଆଲୋକପାତ କରିଥିଲେ । ଏଥିରେ ପ୍ରଥମ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ସୈକତ ପାତ୍ର ଯୋଗଦେଇ ଆଇନସେବା ପ୍ରାଧିକରଣର ଉଦ୍ଦେଶ୍ୟ ତଥା କାର୍ଯ୍ୟାବଳୀ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ ।