ନୂଆଦିଲ୍ଲୀ,: ଦିଲ୍ଲୀ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନ ଅର୍ଥାତ ମଙ୍ଗଳବାର ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଉପରାଜ୍ୟପାଳଙ୍କ ଅଭିଭାଷଣ ସମୟରେ ଆମ ଆଦମୀ ପାର୍ଟି ବିଧାୟକମାନେ ଗୃହରେ
ନାରାବାଜୀ ଦେଇଥିଲେ । ଏହା ପରେ ବାଚସ୍ପତି ବିଜେନ୍ଦ୍ର ଗୁପ୍ତା ଅମାନତୁଲ୍ଲା ଖାନଙ୍କୁ ଛାଡି ଆମ ଆଦମୀ ପାର୍ଟିର
ସମସ୍ତ ବିଧାୟକଙ୍କୁ ନିଲମ୍ବିତ କରିଥିଲେ । ମଙ୍ଗଳବାର ଅମାନତୁଲ୍ଲା ଖାନ ଗୃହରେ ଉପସ୍ଥିତ ନଥିଲେ । କୁହାଯାଉଛି
ଯେ, ତାଙ୍କ ଅସୁସ୍ଥତା ଯୋଗୁଁ ସେ ଆଜି ବିଧାନସଭାରେ ଉପସ୍ଥିତ ନଥିଲେ । ତେଣୁ ବାଚସ୍ପତି ତାଙ୍କ ବିରୁଦ୍ଧରେ କୌଣସି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାଁନ୍ତି । ଗୁରୁବାର ଦିଲ୍ଲୀ ବିଧାନସଭାର କାର୍ଯ୍ୟ ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ, ଯେଉଁଥିରେ ସିଏଜି ରିପୋର୍ଟ ଉପରେ ଆଲୋଚନା ହେବ । ସୂଚନାଥାଉକି, ମଙ୍ଗଳବାର ଦିଲ୍ଲୀ ବିଧାନସଭାରେ ସିଏଜି
ରିପୋର୍ଟ ଉପସ୍ଥାପିତ ହୋଇଥିଲା । ରିପୋର୍ଟ ଅନୁଯାୟୀ, ୨୦୨୧-୨୦୨୨ର ଅବକାରୀ ନୀତି ଯୋଗୁଁ ଦିଲ୍ଲୀ ସରକାରଙ୍କୁ ୨୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ସହିବାକୁ ପଡିଛି । ଏହାକୁ ନେଇ ବିଜେପି ବିଧାୟକମାନେ ଆମ ଆଦମୀ ପାର୍ଟି ଉପରେ ଆକ୍ରମଣ କରୁଛନ୍ତି । ଦିଲ୍ଲୀରେ ମଦ ନୀତି ଦୁର୍ନୀତି ଉପରେ ସିଏଜି ରିପୋର୍ଟ ପ୍ରକାଶ ପାଇବା ପରେ, ଦିଲ୍ଲୀ
ସରକାରଙ୍କ କ୍ୟାବିନେଟ୍ ମନ୍ତ୍ରୀ ଆଶିଷ ସୁଦ ଆମ ଆଦମୀ ପାର୍ଟି ସରକାରଙ୍କ ବିରୁଦ୍ଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କି, ସିଏଜି ରିପୋର୍ଟରେ ହୋଇଥିବା ଖୁଲାସା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଏବଂ ଏହା ପ୍ରମାଣିତ କରୁଛି ଯେ ଅରବିନ୍ଦ କେଜରିୱାଲ ସରକାର ମଦ ନୀତି ମାଧ୍ୟମରେ ଦୁର୍ନୀତି କରିଥିଲେ ।