ଶ୍ରୀନଗର,: ଜମ୍ମୁ ଓ କାଶ୍ମୀରର ପହଲଗାମରେ ମଙ୍ଗଳବାର ହୋଇଥିବା ଜଘନ୍ୟ ଆକ୍ରମଣରେ ସାମିଲ ଥିବା ଚାରି ଜଣ ଆତଙ୍କବାଦୀଙ୍କ ଫଟୋଗ୍ରାଫ ସୁରକ୍ଷା ଏଜେନ୍ସିଗୁଡ଼ିକ ଜାରି କରିଛନ୍ତି । ସେମାନେ ସମସ୍ତେ ଲସ୍କର-ଏ-ତୋଇବା ସହିତ ଜଡିତ । ସୁରକ୍ଷା ଏଜେନ୍ସିଗୁଡ଼ିକ ଆତଙ୍କବାଦୀଙ୍କୁ ଖୋଜିବା ଏବଂ ଏହି ଆକ୍ରମଣ ପଛରେ ଥିବା ନିଷ୍ଠୁର ଯୋଜନାର ପର୍ଦ୍ଦାଫାଶ କରିବା ପାଇଁ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ନିଷିଦ୍ଧ ପାକିସ୍ତାନ-ଭିତ୍ତିକ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା (ଏଲଇଟି) ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କଶ୍ମୀର ଯାଇ ଲେଫ୍ଟନାଣ୍ଟ ଗଭର୍ନର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ସହିତ ପରିସ୍ଥିତି ସମୀକ୍ଷା କରିଛନ୍ତି । ଚନାଯୋଗ୍ୟ, କିଛିଦିନର ନୀରବତା ପରେ ଜମ୍ମୁ-କଶ୍ମୀରରେ ପୁଣି ରକ୍ତମୁଖା ହୋଇଛନ୍ତି ଆତଙ୍କବାଦୀୟ ପହଲଗାମ ଜିଲ୍ଲାରେ ସେମାନେ ମଙ୍ଗଳବାର ଅପରାହ୍ନ ୩ଟାରେ ବଡ଼ଧରଣର ଆକ୍ରମଣ କରିଛନ୍ତି । ପ୍ରାକୃତିକ ଶୋଭାରାଜି ପାଇଁ \”ମିନି ସୁଇଜରଲାଣ୍ଡ\’ ଭାବେ ପରିଚିତ ଦକ୍ଷିଣ କଶ୍ମୀରର ମୁଖ୍ୟ ପର୍ଯ୍ୟଟନସ୍ଥଳ ବୈସରନରେ ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଲଶ୍କର-ଇ-ତୋଇବା (ଏଲ୍ଇଟି) ସଦସ୍ୟମାନେ ଅନ୍ୟୁନ ୫୦ ରାଉଣ୍ଡ ଗୁଳି ଚଳାଇଛନ୍ତି । ଏହି ଅତର୍କିତ ଆକ୍ରମଣରେ ଜଣେ ଓଡ଼ିଆ ଓ ୨ ଜଣ ବିଦେଶୀଙ୍କ ସମେତ ୨୬ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ କେତେଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ଆହତଙ୍କୁ ଉଦ୍ଧାର କରିବା ପାଇଁ ସେନା ହେଲିକପ୍ଟରକୁ ନିୟୋଜିତ କରାଯାଇଛି । ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ପ୍ରଧାନମନ୍ତ୍ରୀ ମୋଦି ତାଙ୍କର ସାଉଦି ଗସ୍ତ ଛାଡ଼ି ଭାରତ ଫେରି ଆସିଛନ୍ତି ।