ନୂଆଦିଲ୍ଲୀ,: ଆଜିଠାରୁ ସାରା ଦେଶରେ ୱାକଫ ସଂଶୋଧନ ଆଇନ କାର୍ଯ୍ୟକାରୀ ହୋଇଛି । କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ଯେ ୱାକଫ୍ ଆଇନ ୮ ଏପ୍ରିଲରୁ କାର୍ଯ୍ୟକାରୀ ହୋଇଛି । ଗତ ସପ୍ତାହରେ, ସଂସଦ ଏବଂ ରାଷ୍ଟ୍ରପତି ୱାକଫ୍ ସଂଶୋଧନ ଆଇନକୁ ମଞ୍ଜୁରୀ ଦେଇଛନ୍ତି । ଏହା ପରେ ନୂତନ ଆଇନ କେବେ କାର୍ଯ୍ୟକାରୀ ହେବ ତାହା ସ୍ଥିର ହୋଇନଥିଲା । ମଙ୍ଗଳବାର ଦିନ କେନ୍ଦ୍ର ସରକାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ୱାକଫ ସଂଶୋଧନ ଆଇନ ଏପ୍ରିଲ ୮ ତାରିଖରୁ କାର୍ଯ୍ୟକାରୀ ହେଲା । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏପ୍ରିଲ ୫ ତାରିଖରେ ୱାକଫ ସଂଶୋଧନ ଆଇନକୁ ଅନୁମୋଦନ କରିଥିଲେ । ବଜେଟ ଅଧିବେଶନ ସମୟରେ ଏହାକୁ ସଂସଦରେ ଗୃହୀତ କରାଯାଇଥିଲା । ଆଇନ ମନ୍ତ୍ରଣାଳୟର ବିଜ୍ଞପ୍ତିରେ କୁହାଯାଇଛି ଯେ ରାଷ୍ଟ୍ରପତି ଉଭୟ ବିଲ୍କୁ ଅନୁମୋଦନ କରିଛନ୍ତି । ଏପ୍ରିଲ ୪ ତାରିଖରେ ରାଜ୍ୟସଭା ୱାକଫ ବିଲ୍ ସପକ୍ଷରେ ୧୨୮ ଏବଂ ବିପକ୍ଷରେ ୯୫ ଭୋଟ ପାଇ ପାରିତ ହୋଇଥିଲା, ଯେତେବେଳେ ଲୋକସଭା ଦୀର୍ଘ ବିତର୍କ ପରେ ଏପ୍ରିଲ ୩ ତାରିଖରେ ବିଲକୁ ଅନୁମୋଦନ କରିଥିଲା । ଏଠାରେ ୨୮୮ ଜଣ ସାଂସଦ ଏହାର ସପକ୍ଷରେ ଭୋଟ ଦେଇଥିଲେ ଏବଂ ୨୩୨ ଜଣ ବିପକ୍ଷରେ ଭୋଟ ଦେଇଥିଲେ । ୱାକଫ ଆଇନ ବିରୋଧରେ ସୁପ୍ରିମକୋର୍ଟରେ ମୋଟ ୧୦ରୁ ଅଧିକ ଆବେଦନ ଦାଖଲ ହୋଇଛି, ଯେଉଁଥିରେ ରାଜନେତା, ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ ଲ ବୋର୍ଡ ଏବଂ ଜମିଅତ ଉଲାମା-ଏ-ହିନ୍ଦଙ୍କ ଆବେଦନ ଅନ୍ତର୍ଭୁକ୍ତ । ଏହି ଆବେଦନଗୁଡ଼ିକରେ, ନୂତନ ଭାବରେ ପ୍ରସ୍ତୁତ ଆଇନର ବୈଧତାକ ଚ୍ୟାଲେଞ୍ଜ କରାଯାଇଛି । ଏହାକୁ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଏକ କାଭେଟ ପିଟିସନ୍ ଦାଖଲ କରିଛନ୍ତି ।