ନୂଆଦିଲ୍ଲୀ, : ମଣିପୁରରେ ଗୁରୁବାର ସନ୍ଧ୍ୟାରୁ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ଏନ୍ ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାର ୪ ଦିନ ପରେ ସେଠାରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ଏହା ସହିତ ୧୯୫୧ରୁ ଏପର୍ଯ୍ୟନ୍ତ ମଣିପୁରରେ ଏକାଦଶ ଥର ପାଇଁ ଜାରି ହୋଇଛି ରାଷ୍ଟ୍ରପତି ଶାସନ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ରାଜ୍ୟପାଳଙ୍କ ପାଖରୁ ଏକ ରିପୋର୍ଟ ପାଇବା ପରେ ଏବଂ ମୋ ଦ୍ୱାରା ପ୍ରାପ୍ତ ରିପୋର୍ଟ ଓ ଅନ୍ୟାନ୍ୟ ସୂଚନାକୁ ବିଚାର କରିବା ପରେ ମୁଁ ସନ୍ତୁଷ୍ଟ ହେଲି ଯେ ଏପରି ଏକ ସ୍ଥିତି ସୃଷ୍ଟି ହେଇଛି ଯେଉଁଥିରେ ସେହି ରାଜ୍ୟର ସରକାର ଭାରତର ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ଚାଲିପାରିବ ନାହିଁ ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ନେଇ ବିଜେପି ନେତାଙ୍କ ମଧ୍ୟରେ ସହମତି ପ୍ରକାଶ ନପାଇବାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିବା ଜଣାପଡ଼ିଛି । ମଣିପୁରର ପ୍ରଭାରୀ ଦାୟିତ୍ୱରେ ଥିବା ସାଂସଦ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଇମ୍ଫାଲରେ ବିଜେପି ବିଧାୟକମାନଙ୍କ ବୈଠକ ବସିଥିବା ବେଳେ ଏଥିରେ ମୁଖ୍ୟମନ୍ତ୍ରୀ ଚୟନ ନେଇ କୌଣସି ନିଷ୍ପତ୍ତି ହୋଇପାରି ନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରୁ ଫେରିବା ପରେ ମଣିପୁର ପାଇଁ ମୁଖ୍ୟମନ୍ତ୍ରୀ ଚୟନ କରାଯିବ ବୋଲି ସୂଚନା ମିଳିଛି । କିନ୍ତୁ ତା\’ ଭିତରେ ଏକ ସାମ୍ବିଧାନିକ ସଙ୍କଟ ଦେଖାଯାଇଥିଲା । ସେଥିପାଇଁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ସମ୍ବିଧାନର ଧାରା ୧୭୪ (୧)ରେ କୁହାଯାଇଛି ବିଧାନସଭାର ଗୋଟିଏ ଅଧିବେଶନ ଶେଷ ହେବାର ୬ ମାସ ମଧ୍ୟରେ ଆଉ ଏକ ଅଧିବେଶନ ନିଶ୍ଚିତ ବସିବ । ମଣିପୁର ବିଧାନସଭାର ଶେଷ ଅଧିବେଶନ ୨୦୨୪ ଅଗଷ୍ଟ ୧୨ ତାରିଖରେ ବସିଥିବା ବେଳେ ବୁଧବାର ଭିତରେ ନୂଆ ଅଧିବେଶନ ବସିବା କଥା । ଗତ ସୋମବାରଠାରୁ ମଣିପୁର ବିଧାନସଭାର ବଜେଟ୍ ଅଧିବେଶନ ବସିବାକୁ ସ୍ଥିର କରାଯାଇଥିବା ବେଳେ ଗତ ରବିବାର ବୀରେନ ସିଂହ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାରୁ ରାଜ୍ୟପାଳ ଏହାକୁ ସ୍ଥଗିତ କରି ଦେଇଥିଲେ । ବିଧାନସଭା ଅଧିବେଶନ ବସିବାର ସମୟ ସୀମା ପାର ହୋଇଯିବାରୁ ଗୁରୁବାର ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି । ବିଧାନସଭାର ବଜେଟ ଅଧିବେଶନ ବସିବାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଗତ ୯ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏନ୍ ବୀରେନ ସିଂହ । କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବାକୁ ଧମକ ଦେବା ପରେ ସେ ଇସ୍ତଫା ଦେଇଥିଲେ ବୋଲି କୁହାଯାଉଛି । ମଣିପୁରରେ ଆଦିବାସୀ ଓ ଅଣ ଆଦିବାସୀ ମଧ୍ୟରେ ସଂଘର୍ଷ ଆରମ୍ଭ ହେବାର ପ୍ରାୟ ୨ ବର୍ଷ ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ୨୦୨୩ ମେ\’ରୁ ମଣିପୁର ଅଶାନ୍ତ ହୋଇଥିବା ବେଳେ ଏନ୍ ବୀରେନ ସିଂହଙ୍କ ଉପରେ ବିରୋଧୀଙ୍କ ପକ୍ଷରୁ କ୍ରମଶଃ ଚାପ ବଢି ଚାଲିଥିଲା । ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବାକୁ ସେମାନେ ଦାବି କରି ଆସୁଥିଲେ ଏସବୁ ଭିତରେ ଏନ ବୀରେନ ସିଂହଙ୍କର ଗୋଟିଏ ତଥାକଥିତ ଭାଇରାଲ ଅଡିଓ ତାଙ୍କୁ ଅକଳରେ ପକାଇଥିଲା । ଏହି ଭାଇରାଲ ଅଡିଓରେ ସେ ମଣିପୁର ହିଂସାକୁ ଉସକାଇବା ଭଳି ବୟାନ ଦେଉଥିବା ଦାବି କରାଯାଇଛି । କୁକି ସଂପ୍ରଦାୟ ପକ୍ଷରୁ ଏହି ଅଡିଓ କ୍ଲିପକୁ ଆଧାର କରି ସୁପ୍ରିମକୋର୍ଟରେ ଗୋଟିଏ ଆବେଦନ ଦାଖଲ କରାଯାଇଥିଲା । ସୁପ୍ରିମକୋର୍ଟ ଏହାକୁ ଗ୍ରହଣ କରି ସରକାରୀ ଫରେନ୍ସିକ ଲ୍ୟାବ୍ରୋଟରୀ ସିଏଫଏସ୍ଏଲକୁ ଅଡିଓ କ୍ଲିପର ସତ୍ୟତା ଉପରେ ରିପୋର୍ଟ ଦେବାକୁ କହିଥିଲେ । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଆସିବାର ୬ ଦିନ ପରେ ବୀରେନ ସିଂହ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ପଦରୁ ବୀରେନ ସିଂହଙ୍କ ଇସ୍ତଫା ପଛରେ ସୁପ୍ରିମକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ଅନ୍ୟତମ କାରଣ । ଜନସାଧାରଣଙ୍କ ବର୍ଦ୍ଧିତ ଚାପ, ସୁପ୍ରିମକୋର୍ଟଙ୍କ ତଦନ୍ତ ନିର୍ଦ୍ଦେଶ ଓ କଂଗ୍ରେସର ଅନାସ୍ଥା ପ୍ରସ୍ତାବ ଧମକ ବୀରେନ ସିଂହଙ୍କ ଇସ୍ତଫାର କାରଣ । ମଣିପୁରରେ ଆଦିବାସୀ ଓ ଅଣଆଦିବାସୀଙ୍କ ମଧ୍ୟରେ ହିଂସା ଏବେ ବି ଜାରି ରହିଛି । ସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ । ମଣିପୁରରେ ୨୦୨୩ ମେ\’ ମାସରୁ ଆରମ୍ଭ ହୋଇଥିବା ହିଂସା ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । ସେହିପରି ଅନେକ ଲୋକ ନିଜର ଭିଟା ମାଟି ଛାଡ଼ି ରିଲିଫ କ୍ୟାମ୍ପରେ ଜୀବନ ବିତାଉଛନ୍ତି ।