ବାଇକ୍ କିଣିଲେ ମିଳିବ ୨ଟି ହେଲମେଟ

0 183

ନୂଆଦିଲ୍ଲୀ,: ଆଗାମୀ ଦିନରେ ମୋଟରସାଇକେଲ କିଣିବାକୁ ଗଲେ ସାଙ୍ଗରେ ମିଳିବ ଦୁଇଟି ଆଇଏସ୍‌ଆଇ ସାର୍ଟିଫାଏଡ୍ ହେଲମେଟ୍ । ମୋଟରସାଇକେଲ କମ୍ପାନୀ ଗାଡ଼ି ସହିତ ଯାତ୍ରୀଙ୍କୁ ଦୁଇଟି ଆଇଏସ୍‌ଆଇ ସାର୍ଟିଫାଏଡ ହେଲମେଟ୍ ବିକ୍ରି କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ନିକଟରେ ଦିଲ୍ଲୀର ହୋଇଥିବା ଏକ ଅଟୋ ସମ୍ମିଳନୀରେ କେନ୍ଦ୍ର ସଡ଼କ ପରିହନ ମନ୍ତ୍ରୀ ନୀତିନ ଗଡ଼କରି ଏହି ଘୋଷଣା କରିଛନ୍ତି । ଲୋକଙ୍କ ସୁରକ୍ଷା ଜରୁରୀ ବୋଲି ମନ୍ତ୍ରୀ କହିଛନ୍ତି । କମ୍ପାନୀଙ୍କୁ ମୋଟରସାଇକେଲ ସହିତ ଯାତ୍ରୀମାନଙ୍କୁ ଦୁଇଟି ହେଲମେଟ୍ ଦେବାକୁ ଟୁ-ହୁଇଲର ମ୍ୟାନୁଫେକ୍‌ଚର୍ସ ଆସୋସିଏସନ ଅଫ୍ ଇଣ୍ଡିଆ (ଟିଏଚଏମଏ) ବହୁ ଦିନରୁ ଦାବି କରି ଆସୁଥିଲା । ଏବେ କେନ୍ଦ୍ରମନ୍ତ୍ରୀଙ୍କ ଏଭଳି ଘୋଷଣା ପରେ ଟିଏଚଏମଏ ଏହାକୁ ଦୃଢ଼ ସମର୍ଥନ କରିଛି । କେନ୍ଦ୍ରମନ୍ତ୍ରୀଙ୍କ ଘୋଷଣାକୁ ପ୍ରଶଂସା କରି ଟିଏଚଏମଏର ଅଧ୍ୟକ୍ଷ ରାଜୀବ କପୁର କହିଛନ୍ତି, ଏହା କେବଳ ଏକ ନିୟମ ନୁହେଁ; ଏହା ଏକ ଜାତୀୟ ଆବଶ୍ୟକତା । ଏଭଳି ନିର୍ଦ୍ଦେଶ ଭବିଷ୍ୟତରେ ଏହି କ୍ଷତିକୁ ରୋକିପାରିବ ବୋଲି ଦୁର୍ଘଟଣାରେ ପ୍ରିୟଜନଙ୍କୁ ହରାଇଥିବା ପରିବାର ମଧ୍ୟରେ ଆଶା ସଂଚାର କରିଛି । ମୋଟରସାଇକେଲ ଯାତ୍ରା ଆଉ ବିପଦପୂର୍ଣ୍ଣ ହେବା କଥା ନୁହେଁ । ଚାଳକ ଓ ପଛରେ ବସିଥିବା ଯାତ୍ରୀ ହେଲମେଟ୍ ପିନ୍ଧି ଏହାକୁ ସୁରକ୍ଷିତ କରିବା ଉଚିତ୍ ବୋଲି ଆସୋସିଏସନ କହିଛି । ଦେଶର ଚାହିଦା ପୂରଣ ପାଇଁ ଉଚ୍ଚମାନର ହେଲମେଟ୍ ଉତ୍ପାଦନ ବଢାଇବାକୁ ଆସୋସିଏସନ ପ୍ରତିଶ୍ରୁତି ଦେଇଛି । ଭାରତରେ ପ୍ରତିବର୍ଷ ୪,୮୦,୦୦୦ରୁ ଅଧିକ ସଡ଼କ ଦୁର୍ଘଟଣା ଘଟୁଛି, ଏବଂ ୧,୮୮,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି । ଏମାନଙ୍କ ମଧ୍ୟରୁ ୬୬% ମୃତକଙ୍କ ବୟସ ୧୮ ରୁ ୪୫ ବର୍ଷ ମଧ୍ୟରେ । ତେବେ ପ୍ରତିବର୍ଷ ଦୁଇଚକିଆ ଯାନ ଦୁର୍ଘଟଣାରେ ୬୯,୦୦୦ରୁ ଅଧିକ ଲୋକଙ୍କର ପ୍ରାଣ ଯାଉଛି । ଦୁଇ ଚକିଆ ଯାନ ଦୁର୍ଘଟଣାରେ ପ୍ରାଣ ହରାଉଥିବା ମୋଟ ମୃତ୍ୟୁ ସଂଖ୍ୟାରୁ ୫୦% ହେଲମେଟ ପିନ୍ଧି ନଥିବାରୁ ହେଉଛି । ମୋଟରସାଇକଲେ ଚଲାଇଲା ବେଳେ ହେଲମେଟ୍ ପିନ୍ଧିବା କେତେ ଜରୁରୀ ଏଥିରୁ ଆପଣ ଜାଣିପାରୁଥିବେ । ତା\’ ଛଡ଼ା ହେଲମେଟ୍ ପିନ୍ଧିଲେ ଆପଣଙ୍କ ଜୀବନ ସୁରକ୍ଷିତ ରହିବା ସହିତ ଟ୍ରାଫିକର ମୋଟା ଚାଲାଣରୁ ରକ୍ଷା ପାଇପାରିବେ । ଏଥିରେ ଦୁଇଟା ଫାଇଦା ରହିଛି । ତେଣୁ ଏଥର ଭାବନ୍ତୁ ହେଲମେଟ୍ ପିନ୍ଧିବେ ନା ପୂର୍ବପରି ହେଲମେଟକୁ ବାଇକ ହ୍ୟାଣ୍ଡେଲ୍‌ରେ ଟାଙ୍ଗି କିମ୍ବା ସ୍କୁଟି ଡିକିରେ ରଖି ବିପପୂର୍ଣ୍ଣ ଯାତ୍ରା କରିବେ ।

Leave A Reply

Your email address will not be published.