ମୁମ୍ବାଇ, : ଅନ୍ତଃରାଷ୍ଟ୍ରୀୟ ସମସ୍ୟା ଓ ଭୂରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ଷ୍ଟକ୍ ମାକେର୍ଟର କାରବାର ଏକ ବଡ଼ଧରଣର ବୃଦ୍ଧି ହାସଲ କରିଛି । ଗୋଟିଏପଟେ ଭାରତ-ପାକ୍ ଯୁଦ୍ଧର ବିରତି ଘୋଷଣା ଏବଂ ଅନ୍ୟପଟରେ ଶେୟାର ବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ ନିବେଶ କରୁଥିବାବେଳେ ସୋମବାର ପୁଞ୍ଜି ବଜାରର ଫଳାଫଳ ଉଭୟ ଷ୍ଟକ୍ ବଜାର ଓ ନିବେଶକମାନଙ୍କୁ ଖୁସି କରିଦେଇଛି । ଏପରିକି ଦିନକ ମଧ୍ୟରେ ଶେୟାର ବଜାରର ନିବେଶକମାନେ ପ୍ରାୟ ୧୬ ଲକ୍ଷ କୋଟି ଟଙ୍କାର ନିବେଶ ପୁଞ୍ଜି ବଜାରରେ ଯୋଗ କରିଛନ୍ତି । ପୂର୍ବ ଦିବସର କାରବାର ଶେଷ ଫଳାଫଳ ସୁଦ୍ଧା ବଜାର ପୁଞ୍ଜି ୪୧୬.୪୦ ଲକ୍ଷ କୋଟି ଥିଲାବେଳେ ସୋମବାର କାର୍ଯ୍ୟ ଦିବସର ଫଳାଫଳ ଶେଷ ସୁଦ୍ଧା ନିବେଶକ ପୁଞ୍ଜି ବଜାରରେ ପ୍ରାୟ ୧୬ ଲକ୍ଷ କୋଟି ଯୋଡ଼ିବାରୁ ବଜାର ପୁଞ୍ଜି ୪୩୨.୫୫ ଲକ୍ଷ କୋଟିରେ ପହଞ୍ôଚଛି । ଉଲ୍ଲେଖଯୋଗ୍ୟ, ଭାରତୀୟ ପୁଞ୍ଜି ବଜାରରେ ଉଭୟ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ (ବିଏସ୍ଇ) ଏବଂ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ(ଏନ୍ଏସ୍ଇ)ର କାରବାର ଉତ୍ସାହଜନକ ରହିଥିଲାବେଳେ ସେନସେକ୍ସର କାରବାର ପ୍ରାୟ ୩୦୦୦ ପଏଣ୍ଟ ନିକଟବର୍ତ୍ତୀ ବୃଦ୍ଧି କରିଥିଲା । ସେହିଭଳି ନିଫ୍ଟ ୯୦୦ ପଏଣ୍ଟରୁ ଅଧିକ ବଢ଼ି ୨୪,୯୨୪.୭୦ ଅଙ୍କରେ କାରବାର ଶେଷ କରିଥିଲା । ଏପରିକି ନିଫ୍ଟ ମିଡକ୍ୟାପ୍ରେ ୪.୧୨% ବୃଦ୍ଧି ଘଟି ୫୫,୪୧୬.୦୫ ଅଙ୍କରେ କାରବାର ବନ୍ଦ କରିଥିଲାବେଳେ ସ୍ମଲକ୍ୟାପ୍ର କାରବାର ୪.୪୫% ବୃଦ୍ଧି ଘଟି ୮୦୮୦.୭୫ ଅଙ୍କରେ କାରବାର ଶେଷ କରିଥିଲା । ଅପରପକ୍ଷରେ ନିଫ୍ଟ ବ୍ୟାଙ୍କର କାରବାର ୩.୩୪% ବଢି ୫୫,୩୮୨.୮୫ ଅଙ୍କରେ ଏବଂ ନିଫ୍ଟ ଆଇଟି ୬.୭୦% ବୃଦ୍ଧି ଘଟି ୩୮,୨୮୨.୫୫ ଅଙ୍କରେ କାରବାର ବନ୍ଦ କରିଥିଲା । ସେହିପରି ୩୦ ଶେୟାର ବିଶିଷ୍ଟ ବିଏସ୍ଇ ସେନସେକ୍ସର ମିଡ୍କ୍ୟାପ୍ କାରବାରରେ ୩.୮% ଏବଂ ସ୍ମଲକ୍ୟାପ କାରବାରରେ ୪% ବୃଦ୍ଧି ଘଟିଥିଲା । ଏପରିକି ସେକ୍ଟରାଲ କ୍ଷେତ୍ରରେ ମଧ୍ୟ ମେଟାଲ, ଆଇଟି, ଆଇରନ, ପାୱାର, ଶକ୍ତି ଭଳି ପ୍ରମୁଖ ନିବେଶକମାନେ ପ୍ରାୟ ୫%ର ନିବେଶ ବୃଦ୍ଧି କରିଛନ୍ତି ।