ଟ୍ରମ୍ପଙ୍କ ପାଲଟା ଶୁଳ୍କ ଉପରେ ପ୍ରଥମଥର ପାଇଁ ମୁହଁ ଖୋଲିଲା ଭାରତ

0 144

ନୂଆଦିଲ୍ଲୀ, : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ଲାଗୁ କରାଯାଇଥିବା ୨୭% ପାଲଟା ଶୁଳ୍କକୁ ନେଇ ଭାରତ ଏନେଇ ପ୍ରଥମ ଥର ପାଇଁ ଆଧିକାରିକ ସ୍ତରରେ ମୁହଁ ଖୋଲିଛି । ବାଣିଜ୍ୟ ବିଭାଗ ଗୁରୁବାର କହିଛି ଯେ ଟ୍ରମ୍ପଙ୍କ ଏହି ନୂତନ ପଦକ୍ଷେପର ପ୍ରଭାବକୁ ଭାରତ ସତର୍କତାର ସହ ତଦାରଖ କରୁଛି । ଏହା ସହିତ, ଭାରତୀୟ ଏବଂ ଆମେରିକାର ବାଣିଜ୍ୟିକ ଦଳ ମଧ୍ୟରେ ବର୍ତ୍ତମାନ ପାରସ୍ପରିକ ଲାଭଦାୟକ ଏବଂ ଦୀର୍ଘସ୍ଥାୟି ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଚୂଡାନ୍ତ କରିବା ପାଇଁ ଆଲୋଚନା ଚାଲିଛି ବୋଲି କହିଛି । ଟ୍ରମ୍ପଙ୍କ ଏହି ନୂତନ ପାଲଟା ଶୁଳ୍କ ନୀତିକୁ ସେ ମୁକ୍ତି ଦିବସ ବୋଲି କହିଛନ୍ତି । ଏହି ନୂଆ ନିୟମ ଅନୁସାରେ ଆମେରିକାକୁ ସମସ୍ତ ଆମଦାନୀ ଉପରେ ଏପ୍ରିଲ ୫ ତାରିଖରୁ ୧୦ ପ୍ରତିଶତ ଶୁଳ୍କ ଏବଂ ଏପ୍ରିଲ ୧୦ ତାରିଖରୁ ଅତିରିକ୍ତ ୧୭ ପ୍ରତିଶତ ଶୁଳ୍କ ଲାଗୁ ହେବ । ଭାରତୀୟ ଆମଦାନୀ ଉପରେ ମୋଟ ୨୭ ପ୍ରତିଶତ ଶୁଳ୍କ ନିର୍ଦ୍ଧାରିତ ହୋଇଛି । ଏହି ଘୋଷଣା ପରେ ଭାରତର ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି, ବାଣିଜ୍ୟ ବିଭାଗ ସମସ୍ତ ହିତାଧିକାରୀଙ୍କ ସହ ଯୋଗାଯୋଗ କରି ପାଲଟା ଶୁଳ୍କର ମୂଲ୍ୟାଙ୍କନ ଏବଂ ପରିସ୍ଥିତିର ବିଶ୍ଳେଷଣ କରୁଛି । ବିଭିନ୍ନ ଦୃଷ୍ଟିକୋଣରୁ ଆମେ ଏହି ଆମେରିକୀୟ ବାଣିଜ୍ୟ ନୀତି ପରିବର୍ତ୍ତନରୁ ହେବାକୁଥିବା ସମ୍ଭାବନାଗୁଡ଼ିକୁ ଉପରେ ମଧ୍ୟ ନଜର ରଖିଛୁ । ଟ୍ରମ୍ପଙ୍କ ଏହି ପଦକ୍ଷେପ ବିଶ୍ୱବ୍ୟାପୀ ବାଣିଜ୍ୟ ନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିଛି । ଯାହା ଅନେକ ଦେଶ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରେ । ଭାରତ ସରକାର ଏହାର ପ୍ରଭାବକୁ ନିକଟରୁ ନିରୀକ୍ଷଣ କରୁଛନ୍ତି ଓ ଏହାର ସମ୍ଭାବ୍ୟ ସୁଯୋଗ ଓ କ୍ଷତିର ମୂଲ୍ୟାଙ୍କନ କରୁଛନ୍ତି । ଏକ ବରିଷ୍ଠ ଅଧିକାରୀଙ୍କ ମତରେ, ଏହି ଶୁଳ୍କ ଭାରତକୁ ମିଶ୍ରିତ ଫଳାଫଳ ଦେଇପାରେ । ତେବେ ଏହା ଭାରତ ପାଇଁ ଆମେରିକୀୟ ବଜାରକୁ ସମ୍ପୂର୍ଣ୍ଣ ପ୍ରତିବନ୍ଧକ କରି ନାହିଁ ବୋଲି କହିଛନ୍ତି । ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ଆଲୋଚନାରେ ସାପ୍ଲାଏ ଚେନ୍‌, ନିବେଶ ବୃଦ୍ଧି ଏବଂ ପ୍ରଯୁକ୍ତି ହସ୍ତାନ୍ତର ଭଳି ବିଷୟ ଆଲୋଚନା ହୋଇଛି । ଏହି ଚୁକ୍ତି ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ସମ୍ପର୍କକୁ ଆଗକୁ ଆହୁରି ମଜବୁତ କରିବାର ଲକ୍ଷ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) ମଧ୍ୟ ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଟ୍ରମ୍ପଙ୍କ ପାଲଟା ଶୁଳ୍କ ଆଦେଶର ମୂଲ୍ୟାଙ୍କନ କରିଛି । ଏହି ବୈଠକରେ ଭାରତର ବାଣିଜ୍ୟ ରଣନୀତି ଏବଂ ଆଗାମୀ ପଦକ୍ଷେପ ଉପରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଟ୍ରମ୍ପଙ୍କ ଏହି ନୀତି ବିଶ୍ୱ ଅର୍ଥନୀତିରେ ପୁଣି ଏକ ବାଣିଜ୍ୟ ଯୁଦ୍ଧର
ଆଶଙ୍କା ସୃଷ୍ଟି କରିଛି । ତେବେ ଭାରତ ଏହାର ପ୍ରତିକ୍ରିୟାରେ ରଣନୀତିକ ଦୃଷ୍ଟିକୋଣ ଅବଲମ୍ବନ କରିଛି । ଆଗାମୀ ଦିନରେ ଏହି ଶୁଳ୍କର ପ୍ରଭାବ ଏବଂ ଦ୍ୱିପାକ୍ଷିକ ଆଲୋଚନାର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.