ନୂଆଦିଲ୍ଲୀ, : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (ଏନ୍ଏଚ୍ଏ) ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହିତ ଏକ ବୁଝାମଣା ପତ୍ର (ଏମ୍ଓୟୁ) ସ୍ୱାକ୍ଷର କରିବା ପରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍ ଜେଏୱାଇ) ଲାଗୁ କରିବାରେ ଓଡ଼ିଶା ୩୪ତମ ରାଜ୍ୟ ହୋଇପାରିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ ସୋମବାର ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ତଥା ଏନଏଚଏ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲଏସ ଚାଙ୍ଗସାନ ଏବଂ ଓଡ଼ିଶା
ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସଚିବ ଅଶ୍ୱତ୍ଥୀ ଏସ ଏମଓୟୁରେ ସ୍ୱାକ୍ଷର କରିଥିଲେ । ସ୍ୱାକ୍ଷର ସମାରୋହରେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଅଧ୍ୟକ୍ଷତା କରିଥିବା ବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ର ରେଳ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶାରେ ବର୍ତ୍ତମାନର ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା (ଜିଜେଏୱାଇ) ସହିତ ମିଶି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବି ପିଏମ୍ଜେଏୱାଇ) କାର୍ଯ୍ୟକାରୀ କରାଯିବ । ଏହା ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଏବଂ ମହିଳା ସଦସ୍ୟଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟବୀମା ପ୍ରଦାନ କରିବ । କେନ୍ଦ୍ର ସରକାରଙ୍କ ସହାୟତାରେ ୬୭.୮ ଲକ୍ଷ ପରିବାର ସହିତ ମୋଟ ପାଖାପାଖି ୧ କୋଟି ୩ ଲକ୍ଷ ପରିବାର ଏହି ସମ୍ମିଳିତ ଯୋଜନା ଅଧୀନରେ ଆସିବେ । ସମାବେଶକୁ ସମ୍ବୋଧିତ କରି ଜେପି ନଡ୍ଡା କହିଥିଲେ, ଆଜି ଓଡ଼ିଶା ପାଇଁ ଏକ
ଐତିହାସିକ ଦିନ । ଏବି ପିଏମ-ଜେଏୱାଇ କେବଳ ବିଶ୍ୱର ସର୍ବବୃହତ ସ୍ୱାସ୍ଥ୍ୟ କଭରେଜ୍ ଯୋଜନା ନୁହେଁ ବରଂ ଏହି ଯୋଜନା ଆରମ୍ଭ ପରଠାରୁ କାର୍ଯ୍ୟକାରୀ ହେଉଥିବା ଦ୍ରୁତତମ ମଧ୍ୟ । ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ୍ ହୋଇଛି ଏବଂ ଭାରତର ପାଖାପାଖି ୪୫ ପ୍ରତିଶତ ଜନସଂଖ୍ୟାକୁ ଏଥିରେ ସାମିଲ କରାଯାଇଛି ବୋଲି ସେ କହିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଅକ୍ଟୋବର ୨୦୨୪ରେ
ଆୟୁଷ୍ମାନ ବୟ ବନ୍ଦନା କାର୍ଡର ଶୁଭାରମ୍ଭ କରିଥିଲେ ଯାହା ୭୦ବର୍ଷ ଏବଂ ତତୋଧିକ ବୟସର ପ୍ରାୟ ୬ କୋଟି ଲୋକଙ୍କୁ ଉପକୃତ କରିବ । ଏବି ପିଏମ-ଜେଏୱାଇର ପ୍ରଭାବ ଉପରେ ଆଲୋକପାତ କରି ଶ୍ରୀ ନଡ୍ଡା କହିଥିଲେ, ଏହି ଯୋଜନା ଆରମ୍ଭ ହେବା ପରଠାରୁ ୮ କୋଟି ୧୯ ଲକ୍ଷ ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି, ଯେଉଁଥିରେ ସମାଜର ଅବହେଳିତ ବର୍ଗଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ୧ ଲକ୍ଷ
୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ସେ ଆହୁରି କହିଥିଲେ, ରୋଗ ବୃଦ୍ଧି କାରଣରୁ ନୁହେଁ, ବରଂ ସୁଲଭ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ବୃଦ୍ଧି କାରଣରୁ ଡାକ୍ତରଖାନାରେ ଭର୍ତ୍ତି ହେବାର ଏହି ସଂଖ୍ୟା ବଢିଛି । ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ଏବି ପିଏମ-ଜେଏୱାଇ କାରଣରୁ ଦୁର୍ଗମ, ଉପାନ୍ତ ଏବଂ ଅଶାନ୍ତ ଅଞ୍ଚଳରେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ସେ ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲେ ଯେ ବସ୍ତର ଏବଂ ବିଜାପୁର ଭଳି ନକ୍ସଲ ପ୍ରଭାବିତ ଜିଲ୍ଲାରେ ମଧ୍ୟ ଡାକ୍ତରଖାନାରେ ଭର୍ତ୍ତି ହେବା ସଂଖ୍ୟା
୪.୩ ପ୍ରତିଶତ ଉଲ୍ଲେଖନୀୟ ଭାବେ ବୃଦ୍ଧି ପାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମଧ୍ୟପ୍ରଦେଶରେ ଏବି ପିଏମ-ଜେଏୱାଇ ଯୋଜନାର ଫଳସ୍ୱରୂପ ଡାକ୍ତରଖାନାରେ ଭର୍ତ୍ତି ସଂଖ୍ୟା ୩୦ ଗୁଣ ବୃଦ୍ଧି ପାଇଛି । ଦକ୍ଷିଣ ପୂର୍ବ ଏସିଆ ଉପରେ ନିକଟରେ ହୋଇଥିବା ଲାନସେଟ୍ ଅଧ୍ୟୟନକୁ ଉଦ୍ଧୃତ କରି ଶ୍ରୀ ନଡ୍ଡା କହିଛନ୍ତି ଯେ ଏବି ପିଏମ-ଜେଏୱାଇ କର୍କଟ ରୋଗୀଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଉପଲବ୍ଧତା ୩୩ ପ୍ରତିଶତ ବୃଦ୍ଧି ପାଇଛି । ପ୍ରାରମ୍ଭିକ ଅବସ୍ଥାରୁ କର୍କଟ ଚିହ୍ନଟରେ ଉନ୍ନତି ଆଣିବା ଏବଂ ବିଶେଷ କରି ମହିଳାମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ-ସଚେତନ ଆଚରଣକୁ ପ୍ରୋତ୍ସାହିତ କରିବାରେ ଏହି ଯୋଜନାର ଭୂମିକା ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ ।