ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ୯୪୪ କୋଟିର ଜରିମାନା ଲଗାଇଲା ଆୟକର ବିଭାଗ

0 187

ନୂଆଦିଲ୍ଲୀ,: ଇଣ୍ଡିଗୋ ଏୟାରଲାଇନ୍ସର ମୂଳ କମ୍ପାନୀ ଇଣ୍ଟରଗ୍ଲୋବ୍ ଆଭିଏସନ୍ ଲିମିଟେଡ ଉପରେ ବହୁ କୋଟି ଟଙ୍କାର ଜରିମାନା ଲଗାଇଛି ଆୟକର ବିଭାଗ । ରବିବାର ଏ ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ୨୦୨୧- ୨୨ ମୂଲ୍ୟାଙ୍କନ (ଆସେସମେଣ୍ଟ) ବର୍ଷ ପାଇଁ ଆୟକର ବିଭାଗ ୯୪୪.୨୦ କୋଟି ଟଙ୍କାର ଫାଇନ କରିଛି ବୋଲି କମ୍ପାନୀ ସୂଚନା ଦେଇଛି । ତେବେ ଏହା ସମ୍ପୂର୍ଣ୍ଣ ଭୁଲ ଓ ଅଯଥା ଜରିମାନା ବୋଲି ଇଣ୍ଡିଗୋ ଦାବି କରିବା ସହିତ ଏହା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କମ୍ପାନୀ କହିଛି । ତେବେ ଏହି ନିର୍ଦ୍ଦେଶ ଏୟାରଲାଇନ୍ସ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଇଣ୍ଡିଗୋ କହିଛି । ଏ ନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି ଆୟକର କର୍ତ୍ତୃପକ୍ଷ ୨୦୨୧-୨୨ ମୂଲ୍ୟାଙ୍କନ ବର୍ଷ ପାଇଁ ୯୪୪.୨୦ କୋଟି ଟଙ୍କାର ଜରିମାନା ଆଦେଶ ଦେଇଛନ୍ତି । ଏହି ଆଦେଶ ଏକ ଭୁଲ ବୁଝାମଣା ଆଧାରରେ ଦିଆଯାଇଛି । କମ୍ପାନୀ ଧାରା ୧୪୩(୩) ଅନୁଯାୟୀ ମୂଲ୍ୟାଙ୍କନ ଆଦେଶ ବିରୁଦ୍ଧରେ ଆୟକର କମିଶନର (ଆପିଲ୍‌)ଙ୍କ ନିକଟରେ ଯେଉଁ ଅଭିଯୋଗ ଦାଖଲ କରିଥିଲା ତାହା ଖାରଜ ହୋଇଯାଇଇଛି ବୋଲି ଆୟକର ବିଭାଗ ଭାବିଛି । ତେଣୁ ବିଭାଗ ଏଭଳି ନୋଟିସ ପଠାଇଛି । କିନ୍ତୁ ଏହା ସମ୍ପୂର୍ଣ୍ଣ ଭୁଲ । କୌଣସି ଆବେଦନ ଖାରଜ ହୋଇ ନାହିଁ । ଏହା ଏବେ ବି ଚାଲିଛି ଏବଂ ମାମଲା ବିଚାରାଧୀନ ଅଛି । ତେବେ ଏହି ନିର୍ଦ୍ଦେଶ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ । ଏଥିପାଇଁ କମ୍ପାନୀ ଆଇନର ସହାୟତା ନେବ ବୋଲି କହିଛି ।

Leave A Reply

Your email address will not be published.