ଆଜିଠାରୁ ଲାଗୁ ହେବ ନୂଆ ନିୟମ

0 197

ନୂଆଦିଲ୍ଲୀ, ଆର୍ଥିକବର୍ଷ ସୋମବାର ଶେଷ ହେବ । ଏପ୍ରିଲ ପହିଲାରୁ ନୂଆ ଆର୍ଥିକବର୍ଷ ଆରମ୍ଭ ହେବ । ୨୦୨୫-୨୬ ଆର୍ଥିକବର୍ଷର ପ୍ରଥମ ଦିନରେ ଆୟକର ଠାରୁ ଆରମ୍ଭ କରି ଜିଏସଟି, କ୍ରେଡିଟ୍ କାର୍ଡ, ୟୁପିଆଇ ନିୟମ ସମେତ ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମାରାଶି ପାଇଁ ରହିଥିବା ନିୟମ ଆଦି ବଦଳିଯିବ । ଟିକସଦାତାଙ୍କ ସମେତ ନାଗରିକମାନେ ଏହାଦ୍ୱାରା ପ୍ରଭାବିତ ହେବେ । ଆୟକର: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତବର୍ଷ ଫେବ୍ରୁଆରି ୧ରେ ସଂସଦରେ ୨୦୨୫-୨୬ ଆର୍ଥିକବର୍ଷ ପାଇଁ ବଜେଟ୍ ଆଗତ କରିବା ସମୟରେ ଆୟକର ନିୟମ ପରିବର୍ତ୍ତନ ଘୋଷଣା କରିଛନ୍ତି । ଏଥିଯୋଗୁ ନୂଆ ଟିକସ ସ୍ଲାବ୍‌ ଏବଂ ହାର କାର୍ଯ୍ୟକାରୀ ହେବ । ନୂଆ ନିୟମ ଅନୁଯାୟୀ, ବାର୍ଷିକ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ଆୟକର ଦେବାକୁ ପଡ଼ିବ ନାହିଁ । ବେତନଭୋଗୀଙ୍କୁ ମଧ୍ୟ ୭୫ ହଜାର ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ମିଳିବ । ତେଣୁ ନୂଆ ଟିକସ ବ୍ୟବସ୍ଥାରେ ବେତନଭୋଗୀମାନଙ୍କୁ ୧୨.୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ଉପରେ ଟିକସ ଦେବାକୁ ପଡ଼ିବ ନାହିଁ । ୟୁପିଆଇ: ୟୁନାଇଟେଡ ପେମେଣ୍ଟ୍ସ ଇଣ୍ଟରଫେସ୍‌ (ୟୁପିଆଇ)ର ସୁରକ୍ଷାକୁ ବାଇବା ପାଇଁ ନ୍ୟାସନାଲ ପେମେଣ୍ଟସ୍ କର୍ପୋରେସନ୍‌ ଅଫ୍ ଇଣ୍ଡିଆ (ଏନ୍‌ପିସିଆଇ) କେତେକ ନୂଆ ନିୟମ ଆସନ୍ତା ପହିଲାରୁ ଲାଗୁ କରିବ । ଏହାଦ୍ୱାରା ନିଷ୍କ୍ରିୟ ମୋବାଇଲ ଫୋନ ନମ୍ବରରୁ ୟୁପିଆଇ କରାଯାଇ ପାରିବ ନାହିଁ । ୟୁପିଆଇ ସହ ସଂଯୋଜିତ ହୋଇଥିବା ନିଷ୍କ୍ରିୟ ନମ୍ବରଗୁଡ଼ିକୁ ବାଦ୍‌ ଦେବା ପାଇଁ ଏନପିସିଆଇ ପକ୍ଷରୁ ବ୍ୟାଙ୍କ ସମେତ ଫୋନପେ, ଗୁଗଲପେ ଆଦି ସଂସ୍ଥାକୁ କୁହାଯାଇଛି । କ୍ରେଡିଟ୍ କାର୍ଡ :କେତେକ କାର୍ଡଧାରୀଙ୍କ ପାଇଁ କ୍ରେଡିଟ୍‌ କାର୍ଡ ନିୟମ ପରିବର୍ତ୍ତନ ହୋଇଯିବ । ରିୱାର୍ଡ ପଏଣ୍ଟ ଢାଞ୍ଚା ଦୃଷ୍ଟିରୁ ଏହି ପରିବର୍ତ୍ତନ ହେବ । ୟୁପିଏସ୍ :୨୦୨୪ ଅଗଷ୍ଟରେ ସରକାର ୟୁପିଏସ୍ (ୟୁନିଫାଏଡ୍‌ ପେନସନ୍ ସ୍କିମ୍‌) ଘୋଷଣା କରିଥିଲେ । ଆସନ୍ତା ଏପ୍ରିଲ ପହିଲାରୁ ପୁରୁଣା ପେନସନ୍‌ ସ୍କିମ୍ (ଓପିଏସ୍‌) ବଦଳରେ ୟୁପିଏସ୍‌ କାର୍ଯ୍ୟକାରୀ ହେବ । ଏହାର ପ୍ରଭାବ ପ୍ରାୟ ୨୩ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ଉପରେ ପଡ଼ିବ । ଏହି ନିୟମ ଅନୁଯାୟୀ, ଅତିକମ୍‌ରେ ୨୫ ବର୍ଷ ଚାକିରି କରିଥିବା କର୍ମଚାରୀମାନେ ସେମାନଙ୍କ ଶେଷ ୧୨ ମାସ ହାରାହାରି ମୂଳ ବେତନର ୫୦% ପେନସନ୍ ପାଇବେ । ଜିଏସଟି: ଏପ୍ରିଲ ପହିଲାରୁ ଜିଏସଟି ନିୟମ ବଦଳିଯିବ । ଜିଏସଟି ପୋର୍ଟାଲରେ ମଲ୍ଟି ଫ୍ୟାକ୍ଟର ଅଥେଣ୍ଟିକେସନ୍ (ଏମ୍‌ଏଫ୍‌ଏ)କୁ ଟିକସଦାତାଙ୍କ ପାଇଁ ବାଧ୍ୟତାମୂଳକ କରାଯିବ । ଉତ୍ତମ ସୁରକ୍ଷା ବ୍ୟବସ୍ଥା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ସେହିଭଳି ୧୮୦ ଦିନରୁ ପୁରୁଣା ହୋଇ ନଥିବା ମୂଳ ଦସ୍ତାବିଜ୍ ପାଇଁ ଇ ୱେବିଲ୍ ସୃଷ୍ଟି କରାଯାଇ ପାରିବ । ବ୍ୟାଙ୍କ ଖାତାରେ ସର୍ବନିମ୍ନ ଜମା : ଏପ୍ରିଲ ପହିଲାରୁ କେତେକ ବ୍ୟାଙ୍କ ସେମାନଙ୍କ ଗ୍ରାହକଙ୍କ ପାଇଁ ନୂଆ ସର୍ବନିମ୍ନ ଜମା ନିୟମ କାର୍ଯ୍ୟକାରୀ କରିବେ । ସର୍ବନିମ୍ନ ଜମାରାଶି ଯେଉଁମାନଙ୍କ ଖାତାରେ ନଥିବ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯିବ ।

Leave A Reply

Your email address will not be published.