ଭୁବନେଶ୍ୱର,: ରାଜଧାନୀର ଭି.ଏ-୨୯/୧ ଜନପଥରେ ଗଢି ଉଠିଥିଲା କେଶରୀୟା ହିନ୍ଦୁ ବାହିନୀ ସଂଗଠନର କାର୍ଯ୍ୟାଳୟ । ଏହି କାର୍ଯ୍ୟାଳୟକୁ ସାଧୁ, ସନ୍ଥ ମାନଙ୍କର ଯାତାୟତ ଲାଗି ରହୁଥିଲା । ହଜିଯାଉଥିବାହିନ୍ଦୁ ସଂସ୍କୃତିକୁ ପୁନରୁଦ୍ଧାର ରଖିବା, ହିନ୍ଦୁ ଦେବାଦେବୀଙ୍କ ତିଥି ଅନୁସାରେ ପୂଜାପାଠ, ହୋମଯଜ୍ଞ ତଥା ରାମଚରିତ ମାନସ, ହନୁମାନ ଚାଳିଶା ପଠନ ଇତ୍ୟାଦି କାର୍ଯ୍ୟକ୍ରମ ସୂଚାରୁ ରୂପେ ଚାଲିଥିଲା । ଗୋ-ମାତାର ସୁରକ୍ଷାକୁ ମଧ୍ୟ ପ୍ରାଧାନ୍ୟ ଦେଇ ବହୁ କାର୍ଯ୍ୟକଳାପ ଜାରି ରଖାଯାଇଥିଲା ଏଠି । ଦୁଇଦିନ ପୂର୍ବେ ସରକାରୀ ଘରକୁ ଜବରଦଖଲ ଉଚ୍ଛେଦ ନାଁରେ ଘର ଭିତରକୁ ହଠାତ ପ୍ରବେଶ କରି ଜିଏ, ବିଡିଏ, ବିଏମସିର କିଛି ସରକାରୀ କର୍ମଚାରୀ ଘର ଭିତରେ ପୂଜା ପାଉଥିବା ପ୍ରଭୁ ଶ୍ରୀରାମ ଏବଂ ମହାବୀର ହନୁମାନଙ୍କ ଫଟୋ ଏବଂ ତାଙ୍କ ପାଇଁ ବ୍ୟବହୃତ ସାମଗ୍ରୀ ମୃଦଙ୍ଗ, ଗିନି, ଢୋଲ, ଶଙ୍ଖ ଇତ୍ୟାଦିକୁ ଇତଃସ୍ତତ ଫିଙ୍ଗା ଫୋପଡା କରି ଘରେ ତାଲା ପକାଇବା ସହ ସିଲ୍ କରି ଚାଲିଯାଇଥିଲେ । ଏପରିକି ପ୍ରଭୁ ଶ୍ରୀରାମଙ୍କ ତୋରଣ ସହ ଫଟୋ ଚିତ୍ରକୁ ମଧ୍ୟ ଚିରି ଫିଙ୍ଗି ଦେଇଥିଲେ । କେଶରୀୟା ହିନ୍ଦୁ ବାହିନୀର ସଭାପତି ଡ.ଅକ୍ଷୟ ପଟ୍ଟନାୟକ ଯେତେ ନେହୁରା ହେଲେ ମଧ୍ୟ କେହି କର୍ଣ୍ଣପାତ କରି ନଥିଲେ । ବିଡମ୍ବନାର ବିଷୟ ଏହି କି ଯେ କିଛି ଗଣମାଧ୍ୟମ ସେମାନଙ୍କ ସହ ମିଶି ପ୍ରଭୁ ଶ୍ରୀରାମଙ୍କୁଅପମାନିତ କରି ଚାଲିଥିଲେ । କେଶରୀୟା ହିନ୍ଦୁ ବାହିନୀ ସଭାପତି ପ୍ରତିବାଦ ଜଣାଇବାରୁ ତାଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ଅଭଦ୍ର ବ୍ୟବହାର କରିଥିଲେ । ପ୍ରକାଶ ଥାଉକି, କେଶରୀୟା ହିନ୍ଦ ବାହିନୀର କାର୍ଯ୍ୟାଳୟ ଯେଉଁ ସରକାରୀ କ୍ୱାର୍ଟରରେ ଚାଲିଥିଲା ସେହି ଉଦ୍ଦେଶ୍ୟରେ ୨୫.୦୯.୨୪ରେ ଜି.ଏ ବିଭାଗର ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇ ଥିଲା ଏବଂ ମେଲରେ ମଧ୍ୟ ଏହାର ନକଲ ପଠାଯାଇଥିଲା । ସରକାରୀ ନିୟମ ଅନୁସାରେ ଆବେଦନର ୪୫ ଦିନ ପରେ ସାଧାରଣ ପ୍ରଶାସନ ବିଭାଗ ତରଫରୁ ଆବେଦନକାରୀଙ୍କୁ ସେନେଇ ସୂଚିତ କରିବା କଥା । କିନ୍ତୁ ଦୀର୍ଘ ଦୁଇମାସ ବିତିଯିବା ପରେ ବି କୌଣସି ଉତ୍ତର ନ ମିଳିବାରୁ କେଶରୀୟା ହିନ୍ଦୁ ବାହିନୀ ତରଫରୁ ଜିଏ ବିଭାଗର ନିର୍ଦ୍ଦେଶକଙ୍କ ସହ ସାକ୍ଷାତ କରାଯାଇଥିଲା । ଆବେଦନ ପରେ ବି କାହିଁକି ଏହାକୁ ବିଚାରକୁ ନିଆଗଲା ନାହିଁ ବୋଲି ପ୍ରଶ୍ନ ହେବାରୁ ତାଙ୍କ ପକ୍ଷରୁ ଉତ୍ତର ମିଳିଥିଲା ଯେ ବର୍ତ୍ତମାନ କ୍ୱାର୍ଟର ଆଲଟମେଣ୍ଟ ବନ୍ଦ ଅଛି । ଏଣୁ ଆପଣମାନେ କାର୍ଯ୍ୟାଳୟ ଚଳାଇ ରଖି ପାରିବେ । ଯେତେବେଳେ ଆଲଟମେଣ୍ଟ ଖୋଲିବ ସେତେବେଳେ ଆପଣମାନଙ୍କୁ ପ୍ରାଧାନ୍ୟ ଦିଆଯିବ ବୋଲି ନିର୍ଦ୍ଦେଶକ ସ୍ପଷ୍ଟ ଭାବରେ କହିଥିଲେ । ଯଦି କୌଣସି କାରଣରୁ ଆଲଟମେଣ୍ଟ ନମିଳେ ଘର ଖାଲି କରିବା ପାଇଁ ଆପଣଙ୍କ ପାଖକୁ ନୋଟିସ୍ ଯିବ ବୋଲି ସେ କହିଥିଲେ । ଏହି ପ୍ରତିଶ୍ରୁତି ସତ୍ତ୍ୱେ ନା କୌଣସି ନୋଟିସ୍ ମିଳିଲା, ନା ଫୋନ୍ ଦ୍ୱାରା ଜଣାଇ ଦିଆଗଲା । କୌଣସି ସୂଚନା ନଦେଇ କର୍ମଚାରୀ ହଠାତ୍ ଆସି ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କରି ଠାକୁରଙ୍କ ସାମଗ୍ରୀକୁ ଫିଙ୍ଗା ଫୋପଡା ଓ କ୍ୱାର୍ଟରକୁ ସିଲ୍ କରି ଚାଲିଯିବା ଏକ ବେଆଇନ କାର୍ଯ୍ୟ । ବହୁ ସାଧୁ ସନ୍ୟାସୀ ଓ ପଣ୍ଡିତଙ୍କ ଗହଣରେ ଶ୍ରୀରାମ ନବମୀ ଦିନ ମହା ଆଡମ୍ବରରେ ହୋମଯଜ୍ଞ କରି ପ୍ରତିଷ୍ଠା କରାଯାଇଥିବା ଠାକୁର ଏବେ ପୂଜାର୍ଚ୍ଚନାରୁ ବଞ୍ଚିତ ହେବା ସଙ୍ଗେ ସଙ୍ଗେ ଉପବାସରେ ରହିଛନ୍ତି । ସେଦିନ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗଣମାଧ୍ୟମ ମଧ୍ୟ ପ୍ରଭୁ ଶ୍ରୀରାମଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ପ୍ରଶ୍ନ ପଚାରିନଥିଲେ । ଏହି ଘଟଣା କେଶରୀୟା ହିନ୍ଦୁ ବାହିନୀର କର୍ମକର୍ତ୍ତା ଓ ଶ୍ରୀରାମଙ୍କ ଭକ୍ତଙ୍କ ମନରେ ଆଘାତ ପହଞ୍ଚାଇଛି ବୋଲି ଡ.ଅକ୍ଷୟ ପଟ୍ଟନାୟକ ଅଭିଯୋଗ କରିଛନ୍ତି ।
