ଟି-୨୦ ଅଧିନାୟକ ପଦ ହରାଇଲେ ରାଜୱାନ

0 73

ଲାହୋର, : ନିଜେ ଆୟୋଜନ କରୁଥିବା ଚାମ୍ପିୟନ୍ସ ଟ୍ରଫିରେ ଶୋଚନୀୟ ପରାଜୟ ପରେ ପାକିସ୍ତାନ କ୍ରିକେଟରେ ହଇଚଇ ସୃଷ୍ଟି ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନର ଅଭିଯାନ ଶେଷ ହୋଇଥିଲେ ହେଁ ଦଳ ଏବେ ପରବର୍ତ୍ତୀ ସିରିଜ୍ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଚାମ୍ପିୟନ୍ସ
ଟ୍ରଫିର ନୂଆ ଚାମ୍ପିୟନ ହେବା ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ ନୂଆ ସିରିଜ୍ ପାଇଁ ଦଳ ଘୋଷଣା କରିଛି । ମହମ୍ମଦ ରିଜୱାନଙ୍କୁ ଟି୨୦ ଶୃଙ୍ଖଳା ପାଇଁ ଅଧିନାୟକ ପଦରୁ ହଟାଇ ଦିଆଯାଇଛି ଏବଂ ବାବର ଆଜମଙ୍କୁ ମଧ୍ୟ ଦଳରୁ ଦ୍ୱାର ଦେଖାଯାଇଛି । ତେବେ ରିଜୱାନ ଏବେ ବି ଦିନିକିଆରେ ଅଧିନାୟକ ଅଛନ୍ତି । ଚାମ୍ପିୟନ୍ସ ଟ୍ରଫି ପରେ ପାକିସ୍ତାନ ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯିବାକୁ ଯାଉଛି । ୫ଟି ଟି-୨୦ ମ୍ୟାଚ୍‌ର ସିରିଜ୍ ଖେଳାଯିବା ପରେ ୩ଟି ଦିନିକିଆ ସିରିଜ୍ ଖେଳାଯିବ । ସଲମାନ୍ ଅଲ୍ଲୀ ଆଗାଙ୍କୁ ନେଇ ପିସିବି ଏଥର ଟି-୨୦ ମ୍ୟାଚ୍ ପାଇଁ ନୂଆ ଅଧିନାୟକ ନିଯୁକ୍ତ କରିଛି । ଇତିମଧ୍ୟରେ ଶାଦାବ ଖାନ୍ ଦଳକୁ ଫେରିଛନ୍ତି ଏବଂ ତାଙ୍କୁ ଉପଅଧିନାୟକ କରାଯାଇଛି । ଏହି ଦଳରେ ବାବର ଆଜମଙ୍କ ନାଁ
ନାହିଁ । ପିସିବି ଅନେକ ନୂଆ ଖେଳାଳିଙ୍କୁ ସୁଯୋଗ ଦେଇଛି । ଏହି ସିରିଜ୍ ପାକିସ୍ତାନକୁ ଆସନ୍ତା ବର୍ଷ ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତି କରିବାରେ ସହାୟକ ହେବ ବୋଲି ବିଶ୍ୱାସ କରାଯାଉଛି । ମହମ୍ମଦ ରିଜୱାନ ଏବଂ ବାବର ଆଜମଙ୍କୁ ଟି-୨୦ ସିରିଜ ପାଇଁ ବିଶ୍ରାମ ଦିଆଯାଇଛି ନା ସେମାନଙ୍କୁ ଦଳରୁ ବାଦ୍‌ ଦିଆଯାଇଛି ତାହା କହିବା ଏବେ କଷ୍ଟକର ହୋଇପଡ଼ିଛି ।

Leave A Reply

Your email address will not be published.