ନୂଆଦିଲ୍ଲୀ, : ଜୁନ ୨୦ରୁ ଭାରତର ୪୫ ଦିନିଆ ଇଂଲଣ୍ଡ ଟୁର ଆରମ୍ଭ ହେବ । ଏହି ସମୟରେ ଭାରତୀୟ ଟିମ ଇଂଲଣ୍ଡ ବିପକ୍ଷରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳିବ । କିନ୍ତୁ ଏହି ଟେଷ୍ଟ ସିରିଜରେ ରୋହିତ ଶର୍ମା ନଜର ନ ଆସି ପାରନ୍ତି । ସେ ନିଜ ଆଡ଼ୁ ନିଜ ନାଁକୁ ପ୍ରତ୍ୟାହାର କରି ନେବେ ବୋଲି ଜଣାପଡ଼ିଛି । ନାଲି ବଲ କ୍ରିକେଟରେ ରୋହିତ କ୍ରମଗାତ ଭାବେ ବିଫଳ ହୋଇ ଚାଲିଛନ୍ତି । ତେଣୁ ଏବେ ସେ ଗୁରୁତ୍ୱପୂର୍ଣ୍ଣ ଇଂଲଣ୍ଡଚ ବିପକ୍ଷ ସିରିଜ ଖେଳିବାକୁ ଚାହୁଁ ନଥିବା ରିପୋର୍ଟ ପ୍ରକାଶ ପାଇଛି । ଏନେଇ ସେ ବିସିସିଆଇକୁ ମଧ୍ୟ ଅବଗତ କରାଇ ସାରିଥିବା କୁହାଯାଉଛି । ତେବେ ଇଂଲଣ୍ଡ ବିପକ୍ଷ ସିରିଜ ପାଇଁ ଘୋଷଣା ହେବାକୁ ଥିବା ଟେଷ୍ଟ ସ୍କ୍ୱାଡରେ ବିରାଟ କୋହଲି ରହିବେ । ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡରଗାଭାସ୍କର ଟ୍ରଫିର ୩ଟି ମ୍ୟାଚରେ କେବଳ ୩୧ ରନ କରିପାରି ଥିଲେ । ଖରାପ ଫର୍ମ ପାଇଁ ସେ ନିଜ ଆଡ଼ୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟେଷ୍ଟରେ ଚୂଡ଼ାନ୍ତ ଏକାଦଶରୁ ବାହାରି ଯାଇଥିଲେ । ସେତେବେଳେ ତାଙ୍କ ଅବସରକୁ ନେଇ ବେଶ ଚର୍ଚ୍ଚା ହୋଇଥିଲା । କିନ୍ତୁ ରୋହିତ ଏହି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ । ଏବେ ସେ ଇଂଲଣ୍ଡ ବିପକ୍ଷ ସିରିଜରୁ ମଧ୍ୟ ନିଜ ନାଁ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିବାରୁ ତାଙ୍କ ଅବସର ଚର୍ଚ୍ଚା ପୁଣି ଜୋର ଧରିଛି । ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚ୍ ରୋହିତ ଖେଳି ନଥିଲେ । ତାଙ୍କ ଅନୁପସ୍ଥିତିରେ ଯଶପ୍ରୀତ ବୁମ୍ରା ଦଳର
କମାଣ ସମ୍ଭାଳିଥିଲେ । ଭାରତ ମଧ୍ୟ ପ୍ରଥମ ଟେଷ୍ଟ ଜିତିଥିଲା । କିନ୍ତୁ ଦ୍ୱିତୀୟ ଟେଷ୍ଟରୁ ରୋହିତଙ୍କ କମବ୍ୟାକ ହୋଇଥିଲା । ସେବେଠାରୁ ଭାରତ ହାରି ଚାଲିଥିଲା । ୩ଟି ମ୍ୟାଚରେ ରୋହିତ ୬.୨୦ ହାରରେ ବ୍ୟାଟିଂ କରିବା ସହ ୩୧ ରନ କରିପାରିଥିଲେ । ଭାରତ ମଧ୍ୟ ୩ଟି ଯାକ ମ୍ୟାଚ୍ ହାରିଥିଲା । ଶେଷ ମ୍ୟାଚରେ ରୋହିତ ଖେଳି ନଥିଲେ ହେଁ ଭାରତ ପୁଣି ହାରିଥିଲା । ଅନ୍ୟପକ୍ଷରେ ଇଂଲଣ୍ଡ ବିପକ୍ଷ ମୁଖ୍ୟ ଟେଷ୍ଟ ସିରିଜ ପୂର୍ବରୁ ଭାରତୀୟ ଏ ଟିମ ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ୨ଟି ୪ ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳିବ । ଅଭ୍ୟାସ ମ୍ୟାଚରେ ଭାରତୀୟ ଟିମର ଏକାଧିକ ପ୍ରମୁଖ ଖେଳାଳିଙ୍କୁ ରଖାଯିବ । ସେମାନେ ଲାୟନ୍ସ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳି ଇଂଲଣ୍ଡ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବେ । ପ୍ରଥମ ଅଭ୍ୟାସ ମ୍ୟାଚ୍ ମେ\’ ୩୦ରେ ଖେଳା ଯିବାକୁ ଥିବା ବେଳେ ଦ୍ୱିତୀୟ ମ୍ୟାଚଟି ୬ ତାରିଖରୁ ଆରମ୍ଭ ହେବ । ଏହାପରେ ଜୁନ ୨୦ରୁ ଭାରତୀୟ ଟିମ ଇଂଲଣ୍ଡକୁ ପ୍ରଥମ ଟେଷ୍ଟରେ ଭେଟିବ । କୁହାଯାଉଛି ଯେ ଭାରତୀୟ ଟିମରେ ଏଥର କରୁଣ ନାଏରଙ୍କୁ ଦେଖିବାକୁ ମିଳିପାରେ । ସେ ପ୍ରଥମେ ଇଂଲଣ୍ଡରେ ଅଭ୍ୟାସ ମ୍ୟାଚ୍ ଖେଳିବେ । ଯଦି ଭଲ ପ୍ରଦର୍ଶନ କରନ୍ତି, ତା\’ହେଲେ ତାଙ୍କୁ ସିନିୟର ଟିମରେ ପୁଣି ସାମିଲ କରାଯିବ । ୨୦୨୪-୨୫ ଘରୋଇ ସିଜିନରେ କରୁଣ ଦମଦାର ପ୍ରଦର୍ଶନ କରି ଚାଲିଛନ୍ତି । ସୟିଦ ମୁସ୍ତାକ ଅଲୀରେ ସେ ସର୍ବାଧିକ ରନ ହାସଲକାରୀ କ୍ରିକେଟର ରହିଥିବା ବେଳେ ରଣଜୀ ଟ୍ରଫିର ୯ଟି ମ୍ୟାଚରେ ୮୬୩ ରନ କରିଥିଲେ । ସେ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ସହ ରଣଜୀରେ ନିଜର ଦମ ଦେଖାଇଥିଲେ । କରୁଣଙ୍କ ଯୋଗୁ ବିର୍ଦ୍ଦଭା ରଣଜୀ ଟ୍ରଫି ଫାଇନାଲରେ କେରଳକୁ ହରାଇ ତୃତୀୟ ଥର ପାଇଁ ଚାମ୍ପିୟନ ହେବାର ଗୌରବ ହାସଲ କରିପାରି ଥିଲା । ତେଣୁ ତାଙ୍କ ନାଁ ବିସିସିଆଇ ବିଚାରକୁ ନେଇପାରେ ।