ଇଂଲଣ୍ଡ ବିପକ୍ଷରେ ଜିତିଲା ଭାରତ, ଦିନିକିଆ ଶୃଙ୍ଖଳା କଲା ଅକ୍ତିଆର

0 135

କଟକ, : ଭାରତ ଓ ଇଂଲଣ୍ଡ ମଧ୍ୟରେ ରବିବାର ଐତିହାସିକ ବାରବାଟୀ ଷ୍ଟାଡିୟମରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ୨ୟ ମ୍ୟାଚ୍ ଖେଳାଯାଇଛି । ଏହି ମ୍ୟାଚରେ ଘରୋଇ ଦଳ ୪ ୱିକେଟରେ ବିଜୟୀ ହୋଇଛି । ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତ ବାରବାଟୀ ଦିନିକିଆ ଜିତିବା ସହିତ ଶୃଙ୍ଖଳାକୁ ଅକ୍ତିଆର କରିଛି । ଭାରତ ଏହି ୩ ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାରେ ୨-୦ରେ ଅଗ୍ରଣୀ ରହିଛି । ଭାରତ ପ୍ରଥମ ମ୍ୟାଚରେ ଇଂଲଣ୍ଡକୁ ନାଗପୁରରେ ୪ ୱିକେଟରେ ପରାସ୍ତ କରିଥିଲା । ଚଳିତ ଶୃଙ୍ଖଳାର ଅନ୍ତିମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ୧୨ ତାରିଖରେ ଖେଳାଯିବ । ବାରବାଟୀରେ ଭାରତକୁ ୩୦୫ ରନର ବିଜୟ ଲକ୍ଷ୍ୟ ମିଳିଥିଲା । ରୋହିତଙ୍କ ଟିମ୍ ୪୪.୩ ଓଭରରେ ୬ ୱିକେଟ୍ ହରାଇ ୩୦୮ ରନ୍ କରିଛି । ଟସ୍ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଭାରତ ବୋଲିଂ କରିଥଲା । ଇଂଲଣ୍ଡ ନିର୍ଦ୍ଧାରିତ ୫୦ ଓଭରରେ ସମସ୍ତ ୱିକେଟ୍ ହରାଇ ୩୦୪ ରନ୍ କରିଥିଲା । ଭାରତର ଇନିଂସ ଆରମ୍ଭ କରିଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ । ଉଭୟ ପ୍ରାରମ୍ଭିକ ବ୍ୟାଟର ପ୍ରଥମ ୱିକେଟ୍ ପାଇଁ ୧୩୬ ରନ୍‌ ସଂଗ୍ରହ କରିଥିଲେ । ଏଥିରେ ଶୁଭମନ୍‌ଙ୍କ ୬୦ ରନ୍ ସାମିଲ ଥିଲା । ଗିଲ୍ ଆଉଟ୍ ହେବା ପୂର୍ବରୁ ୫୨ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ଗିଲ୍ ଆଉଟ୍ ହେଲା ପରେ ବିରାଟ କୋହଲି ପଡ଼ିଆକୁ ପ୍ରବେଶ କରିଥିଲେ । କିନ୍ତୁ ବିରାଟ ଦର୍ଶକମାନଙ୍କୁ ନିରାଶ କରିଥିଲେ । ସେ ମାତ୍ର ୮ଟି ବଲ୍‌ ଖେଳି ୫ ରନ୍ ସଂଗ୍ରହ କରି ପାଭିଲଅନକୁ ଫେରି ଯାଇଥିଲେ । ଇଂଲଣ୍ଡର ତୃତୀୟ ଶିକାର ହୋଇଥିଲେ ରୋହିତ ଶର୍ମା । ଲିଆମ ଲିଭିଂଷ୍ଟୋନ୍‌ଙ୍କ ବଲ୍ ଆଦିଲ ରସିଦଙ୍କୁ କ୍ୟାଚ୍‌ ଦେଇ ରୋହିତ ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ସେ ୯୦ଟି ବଲ୍ ଖେଳି ୧୧୯ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୧୨ଟି ଚୌକା ଓ ୭ଟି ଛକା ସାମିଲ ଥିଲା । ଏହା ହେଉଛି ତାଙ୍କର ୩୨ତମ ଦିନିକିଆ ଅନ୍ତର୍ଜାତୀୟ ଶତକ । ରୋହିତ ଶର୍ମା ରବିବାର ୩୦ଟି ବଲ୍ ଖେଳି ୪ଟି ଚୌକା ଓ ୪ଟି ଛକା ବଳରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅକ୍ଷର ପଟେଲଙ୍କ ସହିତ ଏକ ଭୁଲ ବୁଝାମଣା ଯୋଗୁଁ ଶ୍ରେୟସ ଆୟର ରନ୍ ଆଉଟ୍ ହୋଇଥିଲେ । କିନ୍ତୁ ଏହା ପୂର୍ବରୁ ସେ ୪୭ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ବଳରେ ୪୪ ରନ୍ ସଂଗ୍ରହ କରିଥିଲେ । କେଏଲ୍ ରାହୁଲ ୧୪ଟି ବଲ୍ ସାମ୍ନା କରିଥିଲେ । ସେ ଗୋଟିଏ ଚୌକା ସହିତ ବ୍ୟକ୍ତିଗତ ଭାବେ ୧୦ ରନ୍‌ ସଂଗ୍ରହ କରିଥିଲେ । ଅଲରାଉଣ୍ଡର ଅକ୍ଷର ପଟେଲ ଓ ରବୀନ୍ଦ୍ର ଜାଦେଜା ମ୍ୟାଚ୍ ବିଜୟ ପର୍ଯ୍ୟନ୍ତ ପଡ଼ିଆରେ ଥିଲେ । ଅକ୍ଷର ପଟେଲ ୪୧ ରନ୍ ସଂଗ୍ରହ କରିଥିଲେ । ସେ ୪୩ଟି ବଲ୍ ଖେଳି ୪ଟି ଚୌକା ମାରିଥିଲେ । ସେହିପରି ଜଡେଜା ୭ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୧୧ ରନ୍‌ କରିଥିଲେ । ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ୍ ଡକେଟ୍‌ ପାଳି ଅରମ୍ଭ କରିଥିଲେ । ଉଭୟ ଖେଳାଳି ପ୍ରଥମ ୱିକେଟ୍‌
ପାଇଁ ୮୧ ରନର ଭାଗିଦାରୀ କରିପାରିଥିଲେ । ଫିଲିପ୍‌ ୨୯ଟି ବଲ୍ ଖେଲି ୨ଟି ଚୌକା ଓ ଗୋଟିଏ ଛକା ବଳରେ ୨୬ ରନ୍ କରିଥିଲେ । ସେହିପରି ବେନ୍ ଡକେଟ୍ ୫୬ଟି ବଲ୍ ଖେଳି ୧୦ଟି ଚୌକା ବଳରେ ୬୫ ରନ୍ କରିଥିଲେ । ବିସ୍ଫୋରକ ବ୍ୟାଟର ଜୋ ରୁଟ୍ ୬୯ ରନ୍ କରିଥିଲେ । ସେ ୭୨ଟି ବଲ୍ ଖେଳି ୬ଟି ଚୌକା ମାରିଥିଲେ । ସେହିଭଳି ମଧ୍ୟକ୍ରମର ବ୍ୟାଟର ହେରି ବୁକ୍‌, ଜୋସ ବଟଲର ଓ ଲିଆମ ଲିଭିଂଷ୍ଟୋନ୍ ମଧ୍ୟ ଦଳର ସ୍କୋର ମଜବୁତ ସ୍ଥିତିରେ ପହଞ୍ଚାଇବାକୁ ଉଦ୍ୟମ କରିଥିଲେ । ହେରି ବୁକ୍ ୩୧ ରନ୍‌ କରିଥିଲେ । ସେ ୫୨ଟି ବଲ୍ ଖେଳି ୩ଟି ଚୌକା ଓ ଗୋଟିଏ ଛକା ମାରିଥିଲେ । ୩୫ଟି ବଲ୍ ଖେଳି ୨ଟି ଚୌକା ସହାୟତାରେ ୩୪ ରନ୍ କରିଥିଲେ ଜୋସ୍ ବଟଲର । ଲିଆମ ଲିଭିଂଷ୍ଟୋନ୍‌ଙ୍କ ବ୍ୟାଟରୁ ୪୧ ରନ୍ ଅମଳ ହୋଇଥିଲା । ସେ ୨ଟି ଚୌକା ଓ ୨ଟି ଛକା ମାରିଥିଲେ । ଇଂଲଣ୍ଡର ନିମ୍ନକ୍ରମର ଖେଳାଳି ଜେମି ଓଭରଟର୍ନ ୬ ରନ୍‌, ଗସ ଆଟିକସନ୍ ୩ ରନ୍‌, ଆଦିଲ ରସିଦ ବ୍ୟକ୍ତିଗତ ଭାବେ ୧୪ ରନ୍ କରିଥିବା ବେଳେ ମାର୍କ ଉଡ ଖାତା ଖୋଲିପାରି ନଥିଲେ । ସାକିବ ମହମ୍ମଦ ଅପରାଜିତ ଥିଲେ । ଭାରତୀୟ ବୋଲର ରବୀନ୍ଦ୍ର ଜାଜେଡା ସର୍ବାଧିକ ୩ଟି ୱିକେଟ୍ ନେଇଥିଲା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା ।

Leave A Reply

Your email address will not be published.