କୋଲକାତା, : ଆଇପିଏଲର ଅଷ୍ଟାଦଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବ । ଏହାକୁ ନେଇ କ୍ରିକେଟ୍ ଜଗତରେ ପ୍ରବଳ ଉତ୍କଣ୍ଠା ପରିଲକ୍ଷିତ ହୋଇଛି । ତେବେ ରାମନବମୀ ଅବସରରେ ଆବଶ୍ୟକ ସୁରକ୍ଷା ପ୍ରଦାନ କରିବାକୁ ସ୍ଥାନୀୟ
ପୋଲିସ ମନା କରିବା ପରେ ଏପ୍ରିଲ ୬ରେ ଏଠାରେ ଖେଳାଯିବାକୁ ଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ଲକ୍ଷ୍ନୌ ସୁପରଜାଏଣ୍ଟସ୍ ମ୍ୟାଚ୍ ଗୁଆହାଟୀକୁ ସ୍ଥାନାନ୍ତର ହୋଇଛି । ବେଙ୍ଗଲ କ୍ରିକେଟ୍ ସଂଘ ସଭାପତି ତଥା ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ବଡ଼ ଭାଇ ସ୍ନେହାଶିଷ ଗାଙ୍ଗୁଲି ଗୁରୁବାର ଏହି ସୂଚନା ଦେଇଛନ୍ତି । ଏହା ପୂର୍ବରୁ ଗତବର୍ଷ ରାମନବମୀରେ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା କେକେଆର୍ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚର ଭେନ୍ୟୁକୁ ମଧ୍ୟ ଶେଷ ମୁହୂର୍ତ୍ତରେ ପରିବର୍ତ୍ତନ କରାଯାଇଥିଲା । ସୁରକ୍ଷା ବ୍ୟବସ୍ଥା ନହେଲେ
୬୫୦୦୦ରୁ ଅଧିକ ଦର୍ଶକଙ୍କୁ ପରିଚାଳନା କରିବା ଅତ୍ୟନ୍ତ କଷ୍ଟକର ହେବ । ଏଣୁ କେକେଆର୍-ଏଲ୍ଏସଜି ମ୍ୟାଚକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଆମେ ବିସିସିଆଇକୁ ଅନୁରୋଧ କରିଥିଲୁ ବୋଲି ସ୍ନେହାଶିଷ କହିଛନ୍ତି । ସୂଚନାଯୋଗ୍ୟ ଯେ ରାମନବମୀଅବସରରେ ପଶ୍ଚିମବଙ୍ଗରେ ୨୦,୦୦୦ରୁ ଅଧିକ ଶୋଭାଯାତ୍ରା କରାଯିବ ବୋଲି ବିଜେପି ନେତା
ଶୁଭେନ୍ଦୁ ଅଧିକାରୀ ଘୋଷଣା କରିଛନ୍ତି । ଏହାକୁ ଦେଖି କୋଲକାତା ପୋଲିସ ରାମନବମୀରେ କ୍ରିକେଟ୍ ମ୍ୟାଚ୍ ପାଇଁ
ସୁରକ୍ଷା ଦେବାକୁ ନିଜ ଅକ୍ଷମତା ପ୍ରକାଶ କରିଥିବା ଜଣାପଡ଼ିଛି । ତେବେ ରାଜସ୍ଥାନ ରୟାଲ୍ସର ପ୍ରଥମ ତିନି ମ୍ୟାଚରେ ରିଆନ ପରାଗ କାମଚଳା ଅଧିନାୟକ ଦାୟିତ୍ୱ ତୁଲାଇବେ । ନିୟମିତ ଅଧିନାୟକ ସଞ୍ଜୁ ସାମସନ୍ ପୂରା ଫିଟ୍ ନଥିବାରୁ ଦଳ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ତେବେ ସଞ୍ଜୁ ଜଣେ ଖେଳାଳି ଭାବେ ଏହି ମ୍ୟାଚଗୁଡ଼ିକ ଲାଗି ଉପଲବ୍ଧ ହେବେ ଅଙ୍ଗୁଳିରେ ଅସ୍ତ୍ରୋପଚାର ହୋଇଥିବାରୁ ବିସିସିଆଇ ଡାକ୍ତରମାନେ ତାଙ୍କୁ ଆଉ କିଛି ଦିନ ପାଇଁ ୱିକେଟରକ୍ଷଣ
ନକରିବାକୁ ପରାମର୍ଶ ଦେବା ପରେ ରାଜସ୍ଥାନ ବାଧ୍ୟହୋଇ ତାଙ୍କୁ ଅଧିନାୟକ ଦାୟିତ୍ୱରୁ ଦୂରେଇ ରଖିଥିବା ଜଣାପଡ଼ିଛି । ସଞ୍ଜୁଙ୍କୁ ସମ୍ଭବତଃ ରାଜସ୍ଥାନ ଇମ୍ପାକ୍ଟ ପ୍ଲେୟାର ଭାବେ ଏହି ମ୍ୟାଚଗୁଡ଼ିକରେ ଖେଳାଇପାରେ । ସୂଚନାଯୋଗ୍ୟ ଯେ ଗତମାସରେ ମୁମ୍ବାଇରେ ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟ୍ୱେଣ୍ଟି-୨୦ ମୁକାବିଲାରେ ସଞ୍ଜୁ ଆହତ ହୋଇଥିଲେ । ଜୋଫ୍ରା ଆର୍ଚରଙ୍କ ବଲରେ ଆଘାତପ୍ରାପ୍ତ ହେବା ପରେ ତାଙ୍କ ଅଙ୍ଗୁଳିରେ ଅସ୍ତ୍ରୋପଚାର କରାଯାଇଥିଲା । ତେବେ ଆଉ ଦିନକ ପରେ ଆରମ୍ଭ ଆଇପିଏଲ । ମୈଦାନରେ ଆଇପିଏଲ ମହାଯୁଦ୍ଧର ମଜା ନେବେ ଦର୍ଶକ । ଫଟାଫଟ କ୍ରିକେଟ୍
ସହ ନିଜ ନିଜର ସମର୍ଥିତ ଦଳକୁ ନେଇ ଚର୍ଚ୍ଚା ଆଲୋଚନା କରିବେ କ୍ରିକେଟ୍ ପ୍ରେମୀ । ମାର୍ଚ୍ଚ ୨୨ରୁ ଆଇପିଏଲ ମହାଯୁଦ୍ଧ ଆରମ୍ଭ ହେଉଥିବା ବେଳେ ମେ ୨୫ରେ ଫାଇନାଲ ମ୍ୟାଚ୍ ଖେଳାଯିବ । ତେବେ ମ୍ୟାଚ୍ ଆରମ୍ଭ ପୂର୍ବରୁ ସାମ୍ନାକୁ ଆସିଛି ଆଇପିଏଲ ଟ୍ରଫି ସହ ଫଟୋସୁଟ୍ । ୧୦ଟି ଟିମର କ୍ୟାପଟେନ୍ ଟ୍ରଫି ସହ ଫଟୋସୁଟ୍ କରିଥିଲେ । ଏଥିସହ ନୂଆ ଜର୍ସିରେ ବି ନଜର ଆସିଛନ୍ତି ନୂଆ କ୍ୟାପଟେନ୍ । ତେବେ ଆଇପିଏଲର ଚଳିତ ସିଜିନରେ ବି ୧୦ଟି ଭାଗନେବା ସହ ୬୫ ଦିନରେ ଫାଇନାଲ ମ୍ୟାଚ ସମେତ ମୈଦାନରେ ମୋଟ୍ ୭୪ଟି ମୁକାବିଲା ଦେଖିବାକୁ ମିଳିବ । ସମସ୍ତ ମ୍ୟାଚ୍
ଭାରତର ୧୩ଟି ଭେନ୍ୟୁରେ ଖାଳାଯିବାକୁ ଥିବା ବେଳେ ୬୨ଟି ମ୍ୟାଚ୍ ସନ୍ଧ୍ୟା ସମୟରେ ଏବଂ ୧୨ଟି ମ୍ୟାଚ୍ ଅପରାହ୍ଣରେ ଖେଳାଯିବା ନେଇ ଧାର୍ଯ୍ୟ ହୋଇଛି । ତେବେ ଅପରାହ୍ଣରେ ଖେଳାଯିବାକୁ ଥିବା ମ୍ୟାଚ୍ ୩.୩୦ରୁ ଆରମ୍ଭ ହେବ । ସେହିପରି ସନ୍ଧ୍ୟାରେ ଖେଳାଯିବାକୁ ଥିବା ମ୍ୟାଚ୍ ସାଢେ ୭ଟାରୁ ଆରମ୍ଭ ହେବ ।
ଆଜିଠୁ ଆଇପିଏଲ୍, ବଢୁଛି ଉତ୍କଣ୍ଠା
Next Post