ନୂଆଦିଲ୍ଲୀ, : ଭାରତୀୟ ଟିମର ଷ୍ଟାର ଦ୍ରୁତ ବୋଲର ହେଉଛନ୍ତି ଯଶପ୍ରୀତ ବୁମ୍ରା । ଟେଷ୍ଟ, ଟି-୨୦ ଓ ଦିନିକିଆ କ୍ରିକେଟରେ ବୁମ୍ରା କ୍ରମାଗତ ଭଲ ପ୍ରଦର୍ଶନ କରି ଆସୁଛନ୍ତି । ନିଜର ଘାତକ ବୋଲିଂ ବଳରେ ସେ ଭାରତକୁ ଅନେକ ମ୍ୟାଚରେ ବିଜୟ କରାଇଛନ୍ତି । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ଠାରୁ ୨୦୨୪ ଟି-୨୦ ବିଶ୍ୱକପ, ସବୁଥିରେ ବୁମ୍ରାଙ୍କ ଜଲୱା ଦେଖିବାକୁ ମିଳିଥିଲା । ବୁମ୍ରାଙ୍କୁ ଶତାବ୍ୱୀର ଶ୍ରେଷ୍ଠ ବୋଲର ଆଖ୍ୟା ମଧ୍ୟ ମିଳିଛି । ସେ ଅନେକ ବଡ଼ବଡ଼ ବ୍ୟାଟରଙ୍କୁ ଘାଇଲା କରିବାରେ ସକ୍ଷମ । ଏବେ ବୁମ୍ରା ବିଶ୍ୱ ଟେଷ୍ଟ କ୍ରିକେଟର ୧ ନଂ ବୋଲର । ଏସବୁ
ଭିତରେ ବୁମ୍ରାଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା । ସେ ଆଇସିସି ଟେଷ୍ଟ କ୍ରିକେଟର ଅଫ ଦ ଇୟର ପୁରସ୍କାର ଜିତିଛନ୍ତି । ୨୦୨୪ରେ ବୁମ୍ରା ୧୩ ଟେଷ୍ଟରେ ରେକର୍ଡ ୭୧ଟି ୱିକେଟ ଦଖଲ କରିଛନ୍ତି । ତାଙ୍କ ଠାରୁ ୨୦୨୪ରେ କେହି ବି ଅଧିକ ୱିକେଟ ନେଇ ନାହାନ୍ତି । ବୁମ୍ରା ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ବା ବର୍ଷର ଶ୍ରେଷ୍ଠ କ୍ରିକେଟର ପୁରସ୍କାର ଜିତିବାରେ ଭାରତର ୬ଷ୍ଠ ଖେଳାଳି । ତାଙ୍କ ପୂର୍ବରୁ ୨୦୦୪ରେ ରାହୁଲ ଡ୍ରାଭିଡ, ୨୦୦୯ରେ ଗୌତମ ଗମ୍ଭୀର, ୨୦୧୦ରେ ବୀରେନ୍ଦ୍ର ସେହୱାଗ, ୨୦୧୬ରେ ରବିଚନ୍ଦ୍ରନ ଅଶ୍ୱିନ ଓ ୨୦୧୮ରେ ବିରାଟ କୋହଲି ଏପରି ସମ୍ମାନର ଅଧିକାରୀ ହୋଇଥିଲେ । ୨୦୧୮ ପରେ ଭାରତର କୌଣସି ଖେଳାଳି ଆଇସିସି ଶ୍ରେଷ୍ଠ ଟେଷ୍ଟ କ୍ରିକେଟର ଅଫ ଦି ଇୟର ପୁରସ୍କାର ଜିତି ପାରି ନଥିଲେ । କିନ୍ତୁ ବୁମ୍ରା ୨୦୨୪ରେ ଏହି ପୁରସ୍କାର ଜିତିବାକୁ ସକ୍ଷମ ହୋଇଛନ୍ତି । ବୁମ୍ରା ପୁରସ୍କାର ଜିତିବା ପରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆର ସମକକ୍ଷ ହୋଇଛି । ଭାରତ ଭଳି ଅଷ୍ଟ୍ରେଲିଆର ବିଭିନ୍ନ ଖେଳାଳି ମୋଟ ୬ଥର ଆଇସିସି ଟେଷ୍ଟ କ୍ରିକେଟର ଅଫ ଦି ଇୟର ହୋଇପାରିଥିଲେ । ତେବେ ଷ୍ଟିଭ ସ୍ମିଥ (୨୦୧୫ ଓ ୨୦୧୭) ଏକମାତ୍ର ଖେଳାଳି ଯିଏ ନିଜ କ୍ୟାରିୟରରେ ଏହି ସମ୍ମାନଜନକ ପୁରସ୍କାରକୁ ଦୁଇ ଥର ଜିତିବାର ରେକର୍ଡ କରିଛନ୍ତି । ୨୦୨୪ରେ ବୁମ୍ରା ସର୍ବାଧିକ ୱିକେଟ ଦଖଲକାରୀ ତାଲିକାର ୧ନଂ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ଥିବା
ଇଂଲଣ୍ଡର ଗସ ଅଟକିନସନଙ୍କ ନାଁରେ ୧୧ଟି ମ୍ୟାଚରେ ୫୨ଟି ସଫଳତା ରହିଛି । ସେହିପରି ତାରକା ଭାରତୀୟ ବ୍ୟାଟର ସ୍ମୃତି ମନ୍ଧାନା ଆଇସିସି ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ୨୦୨୪ ପୁରସ୍କାର ଜିତିଛନ୍ତି । ୨୮ ବର୍ଷୀୟ ବାମହାତୀ ଓପନିଂ ବ୍ୟାଟର ଗତ ବର୍ଷ ଭାରତୀୟ ମହିଳା ଟିମ୍ ପାଇଁ ୧୩ଟି ଦିନିକିଆ ମ୍ୟାଚ୍ ଖେଳିଥିଲେ
ଏବଂ ଚାରୋଟି ଶତକ ଏବଂ ତିନୋଟି ଅର୍ଦ୍ଧଶତକ ସହାୟତାରେ ୭୪୭ ରନ କରି ସର୍ବାଧିକ ରନ ସ୍କୋର କରିଥିଲେ । ଏଥିସହିତ ମନ୍ଧାନାଙ୍କୁ ନ୍ୟୁଜିଲ୍ୟାଣ୍ଡର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସୁଜି ବେଟ୍ସଙ୍କ ସର୍ବାଧିକ ମହିଳା ଦିନିକିଆ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ଜିତିବାର ରେକର୍ଡର ସମକକ୍ଷ ହୋଇଛନ୍ତି । ବେଟ୍ସ ୨୦୧୩ ଏବଂ ୨୦୧୬ରେ ଶ୍ରେଷ୍ଠ ପୁରସ୍କାର ଜିତିଥିଲେ, ଯେତେବେଳେ ମନ୍ଧାନା ୨୦୧୮ରେ ତାଙ୍କର ପ୍ରଥମ ଦିନିକିଆ କ୍ରିକେଟର ଅଫ୍ ଦି ଇୟର ପୁରସ୍କାର ପାଇଥିଲେ । ୨୦୨୪ ବର୍ଷ ମନ୍ଧାନାଙ୍କ ପାଇଁ ଏକ ସ୍ମରଣୀୟ ବର୍ଷ ଥିଲା । ସେ ଚାରୋଟି ଶତକ ହାସଲ କରିଥିଲେ । ଯାହା ତାଙ୍କୁ ଭାରତ ପାଇଁ ମୀଥାଲୀ ରାଜଙ୍କ ଦିନିକିଆରେ ସର୍ବାଧିକ ଶତକର ରେକର୍ଡ ଭାଙ୍ଗିବାରେ ସାହାଯ୍ୟ କରିଥିଲା ଏବଂ ଏହା ସହିତ ସେ ଟି-୨୦ରେ ସର୍ବାଧିକ ରନ ସ୍କୋରର ଭାବରେ ମଧ୍ୟ ବର୍ଷ ଶେଷ କରିଥିଲେ । ମନ୍ଧାନା ଶ୍ରେଷ୍ଠ ମହିଳା ଦିନିକିଆ ୨୦୨୫ ପୁରସ୍କାର ଜିତିବା ପରେ ଖୁସି ପ୍ରକାଶ କରି କହିଛନ୍ତି, ମୁଁ ଏହି ପୁରସ୍କାର ପାଇ ଆଇସିସିକୁ
ଧନ୍ୟବାଦ ଦେବାକୁ ଚାହୁଁଛି । ଗତ ବର୍ଷ ଦିନିକିଆ ଫର୍ମାଟରେ ଭାରତୀୟ ଦଳ ପାଇଁ ଭଲ ଥିଲା ଏବଂ ମୁଁ ଖୁସି ଯେ ମୁଁ ଯୋଗଦାନ ଦେଇପାରିଲି । ମୁଁ ସମସ୍ତ ସମର୍ଥନ ପାଇଁ ପ୍ରଶିକ୍ଷକ ଏବଂ ମୋ ପରିବାରକୁ ଧନ୍ୟବାଦ ଦେବାକୁ ଚାହୁଁଛି ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସମସ୍ତ ଉତ୍ଥାନ-ପତନ ସମୟରେ ମୋ ସହିତ ଥିବା ମୋର ସାଥୀ ଖେଳାଳିମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି । ତେବେ ଆହତ ସମସ୍ୟା କାରଣରୁ ବୁମ୍ରା ନିୟମିତ ଟେଷ୍ଟ କ୍ରିକେଟ ଖେଳି ପାରୁ ନଥିଲେ । କିନ୍ତୁ ୨୦୨୩ ଶେଷ ଭାଗରେ ସେ ଆହତ ସମସ୍ୟାରୁ ମୁକୁଳି ଦଳକୁ କମବ୍ୟାକ କରିଥିଲେ । ସେବେଠାରୁ ସେ ଜବରଦସ୍ତ ବୋଲିଂ କରିବା ସହ ୱିକେଟ ସଂଖ୍ୟା ବାଇ ଗୋଟିଏ ପରେ ଗୋଟିଏ ରେକର୍ଡ କରି ଚାଲିଛନ୍ତି । ବୁମ୍ରାଙ୍କ ଘାତକ ବୋଲିଂ ଯୋଗୁ ଭାରତ ଘରୋଇ ମାଟିରେ ଇଂଲଣ୍ଡ ଓ ବାଂଲାଦେଶ ବିପକ୍ଷରେ ସିରିଜ
ଜିତିଥିଲା । ସେହିପରି ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମାଟିରେ ମଧ୍ୟ ଦଳ ଟେଷ୍ଟ ଜିତିବାକୁ ସକ୍ଷମ ହୋଇଥିଲା । ଏଯାଏ
ଟେଷ୍ଟ କ୍ରିକେଟରେ ବୁମ୍ରା ୩୫୭ ଓଭର ବୋଲିଂ କରି ସାରିଛନ୍ତି । ହେଲେ ତାଙ୍କ ବୋଲିଂ ଇକୋନୋମି କେବଳ ୨.୯୬
ରହିଛି । ବର୍ତ୍ତମାନର ଆଧୁନିକ ଟେଷ୍ଟ କ୍ରିକେଟରେ ବ୍ୟାଟରମାନେ ଦ୍ରୁତ ଗତିରେ ରନ ସଂଗ୍ରହ କରୁଛନ୍ତି । ତଥାପି ବୁମ୍ରାଙ୍କ ଇକୋନୋମି ୩ରୁ କମ ରହିବା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ୨୦୨୪ରେ ବୁମ୍ରାଙ୍କ ବୋଲିଂ ହାର ୧୪.୯୨ ରହିଥିବା ବେଳେ ଷ୍ଟ୍ରାଇକ ରେଟ ୩୦.୧ ରହିଛି । ସେ ଗୋଟିଏ ବର୍ଷରେ ୭୧ଟି ୱିକେଟ ନେଇ ରେକର୍ଡ କରିଛନ୍ତି । ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୭୦ରୁ ଅଧିକ ୱିକେଟ ନେବାରେ ସେ ୪ର୍ଥ ଭାରତୀୟ । ରବିଚନ୍ଦ୍ରନ ଅଶ୍ୱିନ, ଅନୀଲ କୁମ୍ବଲେ ଓ କପିଲ ଦେବ ପୂର୍ବରୁ ଏପରି ରେକର୍ଡ କରିଥିଲେ । ବୁମ୍ରା ଅନେକ ମ୍ୟାଚରେ ଦମଦାର ପ୍ରଦର୍ଶନ କରିଛନ୍ତି ।
କିନ୍ତୁ ତାଙ୍କର ସର୍ବଶ୍ରେଷ୍ଠ ବୋଲିଂ ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମ୍ୟାଚରେ ଦେଖିବାକୁ ମିଳିଥିଲା । ପର୍ଥରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ନଥିବାରୁ ବୁମ୍ରା କମାଣ ସମ୍ଭାଳିଥିଲେ । ବୁମ୍ରା ନିଜର ଜଲୱା ଦେଖାଇ ଭାରତକୁ ପର୍ଥରେ ଐତିହାସିକ ବିଜୟ ଭେଟି ଦେଇଥିଲେ । ଭାରତ ପ୍ରଥମ ଇନିଂସରେ ମାତ୍ର ୧୫୦ ରନ କରିଥିଲା । ହେଲେ ବୁମ୍ରା ୫ ୱିକେଟ ନେବାରୁ ଅଷ୍ଟ୍ରେଲିଆ ୧୦୪ ରନରେ ଅଲଆଉଟ ହୋଇ ଯାଇଥିଲା । ଦ୍ୱିତୀୟ ଇନିଂସରେ ଯଶସ୍ୱୀ ଜୈସୱାଲ ଓ ବିରାଟ କୋହଲିଙ୍କ ଶତକ ଯୋଗୁ ଭାରତ ମ୍ୟାଚ୍ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୫୩୪ ରନର ଟାର୍ଗେଟ ଦେଇଥିଲା । ଦ୍ୱିତୀୟ ଇନିଂସରେ ବୁମ୍ରା ୩ଟି ୱିକେଟ ନେବାରୁ ଭାରତ ୨୯୫ ରନରେ ବିଜୟୀ ହୋଇଥିଲା ।
ଆଇସିସି ଟେଷ୍ଟରେ ବୁମ୍ରା ଓ ଦିନିକିଆରେ ସ୍ମୃତି ମନ୍ଧାନାଙ୍କୁ କ୍ରିକେଟରେ ଅଫ ଦି ଇୟର ପୁରସ୍କାର
Cricketer of the year award to Bumrah in ICC Test and Smriti Mandhana in Dinikia
Next Post