କିମଙ୍କ ସ୍ତ୍ରୀ ଗାଏବ୍

ନୂଆଦିଲ୍ଲୀ,୧ ।୨: ଗାଏବ ହୋଇଯାଇଛନ୍ତି ଉତ୍ତର କୋରିଆ ଶାସକ କିମ-ଜଙ୍ଗ-ଉନ୍ଙ୍କ ସ୍ତ୍ରୀ । ରି-ସୋଲ-ଜୁ ବର୍ଷେରୁ ଅଧିକ ଦିନ ହେବ ନଜର ଆସୁନାହାନ୍ତି । ୨୦୨୦ ଜାନୁଆରୀ ୨୫ ତାରିଖରେ ରି-ସୋଲ-ଜୁଙ୍କୁ ସ୍ୱାମୀ କିମଙ୍କ ସହ ପ୍ୟୋଙ୍ଗୟାଙ୍ଗରେ ନୂଆବର୍ଷ ପାଳନ କରୁଥିବା ଅବସରେ ଦେଖିବାକୁ ମିଳିଥିଲା । ବାସ୍ ସେହିଦିନ ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳୁନି । ସେ କେଉଁଆଡେ ଗାଏବ୍ ହୋଇଯାଇଛନ୍ତି । ଶୁଣିବାକୁ ମିଳୁଛି ଯେ, ରି-ସୋଲ-ଜୁଙ୍କ ଗାଏବ ହେବା ପଛରେ କିମ୍ଙ୍କ ହାତ ରହିଛି । ସେପଟେ ତାଙ୍କୁ କରୋନା ହୋଇଥାଇପାରେ ବୋଲି ମଧ୍ୟ ଶୁଣିବାକୁ ମିଳୁଛି । ପଶ୍ଚିମ ମିଡିଆ ରିପୋର୍ଟ ମୁତାବକ କିମ-ଜଙ୍ଗ-ଉନଙ୍କ ସ୍ତ୍ରୀ ରି-ସୋଲ-ଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ଦୀର୍ଘଦିନ ହେବ ଅସୁସ୍ଥ ଅଛି । କରୋନା ସଂକ୍ରମଣ ଭୟରେ ସେ ସାର୍ବଜନିକ ରୂପେ ବାହାରକୁ ଯିବା ଆସିବା ବନ୍ଦ କରିଦେଇଛନ୍ତି । ଗତବର୍ଷ ଅକ୍ଟୋବର ୧୦ ତାରିଖରେ ପ୍ୟୋଙ୍ଗୟାଙ୍ଗରେ ବଡ ଧରଣର ସେନା ପରେଡର ଆୟୋଜନ ହୋଇଥିଲା । ପ୍ରତି ବର୍ଷ ରି-ସୋଲ-ଜୁ ସ୍ୱାମୀ କିମ୍ଙ୍କ ସହ ଏହି କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତି । କିନ୍ତୁ ଗତବର୍ଷ ଏହି କାର୍ଯ୍ୟକ୍ରମରେ ତାଙ୍କର ଦେଖାନଥିଲା । ଏହାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବା ନେଇ ଶୁଣିବାକୁ ମିଳିଥିଲା । ଏଥିସହ କିମ୍ ତାଙ୍କୁ ହତ୍ୟା କରିଥବା କିମ୍ବା ତାଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ସୋଶାଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା । ଗତ କିଛି ଦିନ ପୂର୍ବେ କିମ୍କୁ ନେଇ ମଧ୍ୟ ଏଭଳି କିଛି ସନ୍ଦେହ କରାଯାଉଥିଲା । ତାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଗୁଜବ ସୃଷ୍ଟି ହୋଇଥିଲା ।

Comments (0)
Add Comment