ସେନସେକ୍ସ ୧୧୩୧ ପଏଣ୍ଟ୍ ବଢ଼ିଲା

ମୁମ୍ବାଇ,: ବହୁଦିନ ପରେ ଭାରତୀୟ ଷ୍ଟକ୍ ବଜାରରେ ଉତ୍ସାହଜନକ କାରବାର ହୋଇଛି । ନିବେଶକମାନେ ମନ ଖୋଲି ସେୟାର କିଣିବାରୁ ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜର ସେନସେକ୍ସ ୧୧୩୧ ପଏଣ୍ଟ୍ ବୃଦ୍ଧି ପାଇ ୭୫,୩୦୧ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା । ସେହିପରି, ନ୍ୟାସନାଲ୍‌ ଷ୍ଟକ୍ ଏକ୍ସଚେଞ୍ଜର ନିଫ୍ଟି ମଧ୍ୟ ୩୨୬ ପଏଣ୍ଟ୍ ବୃଦ୍ଧି ପାଇ ୨୨,୮୩୪ ପଏଣ୍ଟ୍‌ରେ ବନ୍ଦ ହୋଇଥିଲା । ଦୁଇ ଦିନ ମଧ୍ୟରେ ସେନସେକ୍ସରେ ୧୪୭୨ ପଏଣ୍ଟ୍ ବୃଦ୍ଧି ଘଟିଛି । ତାହାର ପ୍ରଭାବରେ ନିବେଶକମାନଙ୍କୁ ୮.୬୭ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜରେ ତାଲିକାଭୁକ୍ତ ଥିବା କମ୍ପାନିଗୁଡ଼ିକର ମୋଟ ବଜାର ପୁଞ୍ଜି ପରିମାଣ ୩,୯୯,୮୫,୯୭୨ କୋଟି ଟଙ୍କାକୁ ବୃଦ୍ଧି ପାଇଛି । କେବଳ ଆଜି ନିବେଶକଙ୍କୁ ୭ ଲକ୍ଷ କୋଟି ଟଙ୍କାର ଫାଇଦା ମିଳିଛି । ସେନସେକ୍ସର ଅଂଶ ଥିବା କମ୍ପାନୀଗୁଡ଼ିକ ମଧ୍ୟରୁ ଜୋମାଟୋ, ଆଇସିଆଇସିଆଇ ବ୍ୟାଙ୍କ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଟାଟା ମୋଟର୍ସ ଓ ଏଲ୍‌ଆଣ୍ଡ୍ଟିର ସେୟାର ମୂଲ୍ୟରେ ୨.୭ ପ୍ରତିଶତରୁ ୭.୪ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ଘଟିଛି । ଆର୍ଥିକ କ୍ଷେତ୍ରର ସଂସ୍ଥାଗୁଡ଼ିକର ସେୟାର ମୂଲ୍ୟ ଅଧିକ ବଢ଼ିଛି । ନିଫ୍ଟିରେ ଆଇସିଆଇସିଆଇ ବ୍ୟାଙ୍କର ପ୍ରଦର୍ଶନ ଜବରଦସ୍ତ ଥିଲା । ଧାତବ କ୍ଷେତ୍ରରେ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍‌, ଟାଟା ଷ୍ଟିଲ୍‌, ହିନ୍ଦୁସ୍ତାନ କପର୍ ଓ ଆଦାନୀ ଏଣ୍ଟରପ୍ରାଇଜେସ୍‌ର ସେୟାର ମୂଲ୍ୟରେ ୨ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି । ମଙ୍ଗଳବାର ସେୟାର ବଜାରରେ ଘଟିଥିବା ବୃଦ୍ଧି ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ । କାରଣ କେବଳ କୌଣସି ନିର୍ଦ୍ଦିଷ୍ଟ ବର୍ଗ ନୁହେଁ, ବଜାରର ବୃହତ, ମଧ୍ୟମ ଓ କ୍ଷୁଦ୍ର କ୍ଷେତ୍ର ଆଦି ସବୁଥିରେ ବୃଦ୍ଧି ପରିଲକ୍ଷିତ ହୋଇଛି । ବିଶ୍ୱ ବଜାରରେ ଭଲ କାରବାର ହେବା, ନିଜ ଅର୍ଥନେତିକ ଗତିକୁ ତ୍ତ୍ୱରାନ୍ୱିତ କରିବା ଲାଗି ଚୀନ୍ ସରକାର ନୂଆ ପ୍ରୋତ୍ସାହନ ଯୋଜନା ଘୋଷଣା କରିବା, ବିଭିନ୍ନ ଦେଶର ମୁଦ୍ରା ତୁଳନାରେ ଡଲାର ଦୁର୍ବଳ ହେବା ଭଳି କାରଣ ପାଇଁ ଷ୍ଟକ୍ ବଜାରରେ ଉତ୍ସାହ ଫେରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲଢ଼େଇ ଆରମ୍ଭ କରିବା ପରେ ସାରା ବିଶ୍ୱରେ ଏକ ଅସ୍ଥିରତାର ପରିସ୍ଥିତି ସୃଷ୍ଟି ହୋଇଥିଲା । ମାନ୍ଦାବସ୍ଥା ଭୟ, ଦରବୃଦ୍ଧି ସଙ୍କଟ ଭଳି ଆଶଙ୍କା ପ୍ରକାଶ ପାଇଥିଲା ତାହାର ପ୍ରଭାବରୁ ଆମେରିକା ଷ୍ଟକ୍ ବଜାର ମଧ୍ୟ ବର୍ତ୍ତି ନଥିଲା । ବର୍ଷ ଆରମ୍ଭରୁ ଷ୍ଟକ୍‌ ବଜାର ପ୍ରାୟ ଅସ୍ଥିର ରହିଥିଲା । କିନ୍ତୁ, ଆଜି ବଜାରରେ ଯେଉଁଭଳି କାରବାରହୋଇଛି, ତାହା ନିବେଶକମାନଙ୍କ ମନୋବଳରେ ହୋଇଥିବା ବୃଦ୍ଧିର ପ୍ରମାଣ ବୋଲି କୁହାଯାଉଛି ।

Comments (0)
Add Comment