ଷ୍ଟକ୍ ବଜାରରେ ଅସ୍ଥିରତା ହରାଇଲେଣି ୮୧ହଜାର କୋଟ

ମୁମ୍ବାଇ,: ଯେଉଁମାନେ ଅନ୍ୟ ନିବେଶକମାନଙ୍କ ଲାଗି ପ୍ରେରଣା ପାଲଟିଥିଲେ ସେମାନଙ୍କୁ ବି ନିସ୍ତାର ମିଳିନାହିଁ । ଗତ କିଛି ମାସ ହେଲାଣି ଷ୍ଟକ୍‌ ବଜାରରେ ଦେଖାଦେଇଥିବା ଅସ୍ଥିରତାରୁ ସେମାନେ ବର୍ତ୍ତି ପାରିନାହାନ୍ତି । ପୁଞ୍ଜି ବଜାରରେ ବିଗ୍ ବୁଲ୍ ଭାବେ ପରିଚିତ ଦେଶର ୧୦ ବଡ଼ ନିବେଶକ ଇତି ମଧ୍ୟରେ ୮୧ ହଜାର କୋଟି ଟଙ୍କା ହରାଇସାରିଲେଣି । ଷ୍ଟକ୍ ବଜାରରେ ବୋହୁଥିବା ଝଡ଼ରେ ଆଭେନ୍ୟୁ ସୁପରମାର୍ଟସ୍ ରାଧାକୃଷ୍ଟ ଦମାନି, ଝୁନଝୁନୱାଲା ପରିବାର ଗୁରୁତର ଭାବେ ପ୍ରଭାବିତ ହୋଇଛନ୍ତି । ଗତବର୍ଷ ଅକ୍ଟୋବର ପରଠାରୁ ଦମାନି ୬୪ ହଜାର କୋଟି ଟଙ୍କା ହରାଇଛନ୍ତି । ଏହି ଝଡ଼ରେ ସେ ସର୍ବାଧିକ କ୍ଷତି ସହିଛନ୍ତି । ତାଙ୍କ ପୋର୍ଟଫୋଲିଓ ପରିମାଣ ୨.୩୧ ଲକ୍ଷ କୋଟି ଟଙ୍କାରୁ ୧.୬୭ ଲକ୍ଷ କୋଟି ଟଙ୍କାକୁ ହ୍ରାସ ପାଇଛି । ତାଙ୍କ ଦୁଇ ପ୍ରମୁଖ ସଂସ୍ଥା ଆଭେନ୍ୟୁ ସୁପର୍ମାର୍ଟସ୍ ଓ ଟ୍ରେଣ୍ଟ୍‌ର ସେୟାର ମୂଲ୍ୟରେ ଯଥାକ୍ରମେ ୨୭ ପ୍ରତିଶତ ଓ ୩୨ ପ୍ରତିଶତ ହ୍ରାସ ଘଟିଛି ।ସ୍ୱର୍ଗତ ରାକେଶ ଝୁନଝୁନୱାଲାଙ୍କ ପରିବାରର ପୋର୍ଟଫୋଲିଓରେ ୧୯ ପ୍ରତିଶତ ହ୍ରାସ ଘଟି ତାହା ୫୯,୭୦୯ କୋଟି ଟଙ୍କାକୁ ହ୍ରାସ ପାଇଛି । ଆକାଶ ଭଂଶାଲିଙ୍କ ପୋର୍ଟଫୋଲିଓ ୧୬ ପ୍ରତିଶତ କମିଥିବା ବେଳେ ହେମେନ୍ଦ୍ର କୋଠାରିଙ୍କ ସମ୍ପତ୍ତିରେ ୨୯ ପ୍ରତିଶତ ହ୍ରାସ ହୋଇଛି । ମୁକୁଲ ଅଗ୍ରୱାଲଙ୍କ ପୋର୍ଟଫୋଲିଓରେ ୬ ପ୍ରତିଶତ ହ୍ରାସ ହୋଇଛି । ଆଶିଷ କଚୋଲିଆ ଓ ୟୁସୁଫାଲି କାଦର ମଧ୍ୟ ନିଜ କ୍ଷତିକୁ ଯଥା ସମ୍ଭବ କମ୍ କରିବାରେ ସଫଳ ହୋଇଛନ୍ତି । ୨୦୨୫ରେ ଦେଶରେ ୩୬ ଦିନ ଷ୍ଟକ୍ ବଜାରରେ କାରବାର ହୋଇଥିବା ବେଳେ ନିବେଶକମାନେ ୩୪ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି । ଗୁରୁବାର ମଧ୍ୟ ବମ୍ବେ ଷ୍ଟକ୍‌
ଏକ୍ସଚେଞ୍ଜର ସେନ୍ସେକ୍ସ ୨୦୩ ପଏଣ୍ଟ ହ୍ରାସ ପାଇ ୭୫,୭୩୫ ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ୍ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ୧୯ ପଏଣ୍ଟ ହ୍ରାସ ପାଇ ୨୨୯୧୩ ପଏଣ୍ଟକୁ ଖସିଆସିଛି ।

Comments (0)
Add Comment