ମାଳ ମାଳ ବେଆଇନ ଇଟାଭାଟି ପ୍ରଶାସନ ଚୁପ ଧୂଆଁରେ ପରିବେଶ ପ୍ରଦୂଷଣ

ହିଞ୍ଜିଳିରେ ଜଳୁଛି ବେଆଇନ ଇଟାଭାଟି, ଶୋଇଛି ପ୍ରଶାସନ

ବ୍ରହ୍ମପୁର:- ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଅଞ୍ଚଳରେ ଏବେ ପ୍ରଦୂଷଣର କାଳିମା। ପରିବେଶ ସୁରକ୍ଷା ଆଇନକୁ ଖୋଲାଖୋଲି ଉଲ୍ଲଂଘନ କରି ମାଳ ମାଳ ବେଆଇନ ଇଟାଭାଟି ଜଳୁଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ ସବୁ ଦେଖି ନୀରବଦ୍ରଷ୍ଟା ସାଜିଛି। ଇଟା ମାଫିଆଙ୍କ ମାତ୍ରାଧିକ ସକ୍ରିୟତା ଯୋଗୁଁ ଅଞ୍ଚଳରେ ତାପମାତ୍ରା ବଢ଼ିବା ସହ ଚାଷ ଜମିର ଉର୍ବରତା କମିବାରେ ଲାଗିଛି। ସବୁଠୁ ବଡ଼ ପ୍ରଶ୍ନ- ଏହି କଳା କାରବାର ପଛରେ ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ମଧୁଚନ୍ଦ୍ରିକା ନାହିଁ ତ ?

ହିଞ୍ଜିଳି ଜଳୁଛି, ଆଉ ଇଟା ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଜାତୀୟ ସବୁଜ ପ୍ରାଧିକରଣ ବା NGTର ନିୟମକୁ ବେଖାତିର କରି ଧୋବାଡ଼ି ଛକ ଓ ଶିଖରପୁର ଭଳି ଅନେକ ସ୍ଥାନରେ ମାଳ ମାଳ ଇଟାଭାଟି ଗଢ଼ି ଉଠିଛି। ଇଟା ପୋଡ଼ିବା ପାଇଁ ସରକାରଙ୍କ ଦ୍ୱାରା ନିଷିଦ୍ଧ ଥିବା ତାଳ ଗଛ ସମେତ ବଡ଼ ବଡ଼ ସବୁଜ ଗଛକୁ କାଟି ଛାରଖାର କରିଦେଉଛନ୍ତି ମାଫିଆ।

ପୋଡ଼ା ଇଟାଭାଟିରୁ ବାହାରୁଥିବା ବିଷାକ୍ତ ଧୂଆଁ ପରିବେଶକୁ ପ୍ରଦୂଷିତ କରୁଥିବା ବେଳେ ଉର୍ବର ମାଟି ଖୋଳାଯିବା ଫଳରେ ଚାଷ ଜମି ଅନୁପଯୁକ୍ତ ହେବାରେ ଲାଗିଛି। ମୃତ୍ତିକା ସଂରକ୍ଷଣ ବିଭାଗ

କିମ୍ବା ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ। ଫଳରେ ମାଫିଆମାନେ ଏବେ ଖୁଲମଖୋଲା ଚେତାବନୀ ଦେଉଛନ୍ତି ଯେ, ସେମାନଙ୍କ ପାଖରେ ରାଜସ୍ୱ ବିଭାଗର ରସିଦ ଅଛି ଏବଂ ସେମାନଙ୍କର କେହି କିଛି କରିପାରିବେ ନାହିଁ।

ଏଠି ସାଧାରଣରେ ପ୍ରଶ୍ନ ଉଠୁଛି, ବେଆଇନ କାର୍ଯ୍ୟ ପାଇଁ କିଏ ଦେଉଛି ରସିଦ? ମୋଟା ଅଙ୍କର ପିସି ନେଇ ପ୍ରଶାସନିକ ଅଧିକାରୀମାନେ ମାଫିଆଙ୍କୁ ସୁରକ୍ଷା ଦେଉନାହାନ୍ତି ତ? ଯଦି ତୁରନ୍ତ ଏହି ବେଆଇନ ଭାଟି ଉପରେ ରୋକ୍ ଲଗା ନଯାଏ, ତେବେ ଆଗାମୀ ଦିନରେ ହିଞ୍ଜିଳି ଅଞ୍ଚଳରେ ମୁଣ୍ଡ ଟେକିବ ଭୟଙ୍କର ଜଳବାୟୁ ସଙ୍କଟ।


Comments (0)
Add Comment