ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ କଲେ ଲକ୍ଷ ଲକ୍ଷ ଭକ୍ତ

ପୁରୀ,: ସ୍ନାନ ବେଦୀରେ ବୁଧବାର ଶ୍ରୀଜିଉମାନଙ୍କର ଦୁର୍ଲ୍ଲଭ ହାତୀବେଶ ଅନୁଷ୍ଠିତ ହୋଇଯାଇଛି । ମହାପ୍ରଭୁଙ୍କ ଏହି ବେଶ ଦର୍ଶନ ଲାଗି ଲୋକାରଣ୍ୟ ହୋଇଥିଲା ସମଗ୍ର ବଡ଼ଦାଣ୍ଡ । ସକାଳୁ ସକାଳୁ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁ ଗୁଳିକୁ ଭ୍ରୁକ୍ଷେପ ନକରି ଲକ୍ଷଲକ୍ଷ ଶ୍ରଦ୍ଧାଳୁ ଆଜି ଦାରୁବିଗ୍ରହମାନଙ୍କ ଏହି ଦୁର୍ଲ୍ଲଭ ହାତୀବେଶ ଦେଖିବାକୁ ପୁରୀରେ ଭିଡ଼
ଜମାଇଥିଲେ । ଅନେକ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ ଲାଗି ବଡ଼ ଦାଣ୍ଡରେ ବସି ରହିଥିବା ଦେଖାଯାଇଥିଲା । ପ୍ରତ୍ୟେହ ରତ୍ନବେଦୀରେ ମନ୍ତ୍ରସ୍ନାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ବୁଧବାର ସ୍ନାନବେଦୀରେ କରିଥିଲେ ଜଳସ୍ନାନ । ନୀତି ନିର୍ଘଣ୍ଟ ଏକ ଘଣ୍ଟା ବିଳମ୍ବରେ ମଙ୍ଗଳାର୍ପଣ କରାଯାଇ ଡୋରାଲଗି, ପୁଷ୍ପାଞ୍ଜଳି ପରେ ଭୋର ୫ଟା୪୫ରୁ ଆରମ୍ଭ ହୋଇଥିଲା ଦାରୁବିଗ୍ରହମାନଙ୍କ ପହଣ୍ଡି । ପହଣ୍ଡି ବିଜେ ସମୟରେ ସାତ ପାହାଚ ପାଖରେ ବିଗ୍ରହମାନଙ୍କୁ ଟାହ୍ୟା ଲାଗି କରାଯାଇଥିଲା । ଘଣ୍ଟ ଘଣ୍ଟା ଓ କାହାଳୀର ଧ୍ୱନି ମଧ୍ୟରେ ଧାଡ଼ି ପହଣ୍ଡିରେ ଆସି ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରିଥିଲେ । ସ୍ନାନମଣ୍ଡପରେ ପୂର୍ବାହ୍ନ ୮ଟା ୫୫ ସୁଦ୍ଧା ମହାପ୍ରଭୁଙ୍କୁ ରୁନ୍ଧାଯାଇଥିଲା । ପରେ ପୂର୍ବାହ୍ନ ୯ଟାରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ ବିଜେ କରିଥିଲେ । ପୂର୍ବାହ୍ନ ସାଢ଼େ ୯ଟାରେ ସ୍ନାନମଣ୍ଡପରେ ସମ୍ପନ୍ନ ହୋଇଥିଲା ମହାପ୍ରଭୁଙ୍କ ମଙ୍ଗଳ ଆଳତି । ପରେ ସ୍ନାନ ମଣ୍ଡପରେ ମଇଲମ, ତଡପଲାଗି, ଅଧରପୋଛା ଓ ବେଶ ଆଦି ନୀତି ସମ୍ପନ୍ନ କରାଯାଇଥିଲା । ପୂର୍ବରୁ ସୁନା କୂଅରୁ ଆସିଥିବା ଜଳ ଅଧିବାସ ଘରେ ରଖାଯାଇଥିଲା । ଚନ୍ଦନ, କର୍ପୁର କେଶର ଓ ଚୂଆ ମିଶ୍ରିତ ସେହି ୧୦୮ଗଦୁ ସୁବାସିତ ଜଳର ଛେକ ଗରବଡୁ ସେବାୟତମାନେ ଦିନ ଗୋଟାଏ ସୁଦ୍ଧା ସ୍ନାନ ମଣ୍ଡପକୁ ଆଣିଥିଲେ । ମଧ୍ୟାହ୍ନ ସାଢ଼େ ଗୋଟାଏରେ ଆରମ୍ଭ ହୋଇଥିଲା ଜଳବିଜେ ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥ ୩୫ ଗଡୁ, ବଳଭଦ୍ର ୩୩ ଗଡୁ, ଦେବୀ ସୁଭଦ୍ରା ୨୨ଗଡୁ ଓ ଚକ୍ରରାଜ ସୁଦର୍ଶନ ୧୮ ଗଡୁ ସୁବାସିତ ଜଳରେ ସ୍ନାନ କରିଥିଲେ । ପରେ ପରେ ମଇଲମ୍‌, ମେକାପ, ସର୍ବାଙ୍ଗ, ନୁଆ ଲୁଗା ଲାଗି ବେଶ ଆଦି ନୀତି ସମ୍ପନ୍ନ ହୋଇଥିଲା । ଏହାପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ସ୍ନାନ ମଣ୍ଡପରେ ଛେରା ପହଁରା ପାଇଁ ଅପରାହ୍ନ ୪ଟାରେ ପହଞ୍ଚିଥିଲେ । ଛେରା ପହଁରା ଶେଷ କରି ଗଜପତି ଦିନ ୪ଟା ୪୦ରେ ଫେରିବା ପରେ ଆରମ୍ଭ ହୋଇଥିବା ମହାପ୍ରଭୁଙ୍କ ଦୁର୍ଲ୍ଲଭ ହାତୀବେଶ ଅପରାହ୍ନ ୫ଟା ୪୫ରେ ଶେଷ ହୋଇଥିଲା । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ପରିସରରେ ଉପସ୍ଥିତ ରହି ନୀତି ପରିଚାଳନାକୁ ତ୍ୱରାନିତ କରିଥିଲେ । ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରମୁଖ ମୁଖ୍ୟ ପ୍ରଶାସକଙ୍କୁ ସହଯୋଗ କରିଥିଲେ । ପ୍ରମୁଖ ରାଜ୍ୟ ତଥା ରାଜ୍ୟ ବାହାରର ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ବିଳମ୍ୱିତ ରାତି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଏହି ଦୁର୍ଲଭ ବେଶ ଦର୍ଶନ କରିଥିଲେ । ଦର୍ଶନାର୍ଥିମାନେ କେବଳ ସିଂହଦ୍ୱାରଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ ଓ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିଥିଲେ । ତେବେ ଟିକେଟଧାରୀଭକ୍ତମାନେ ପ୍ରାତଃ ସମୟରେ ଦକ୍ଷିଣଦ୍ୱାରରେ ନିର୍ମିତ ବ୍ୟାରିକେଡ ଦେଇ ପ୍ରବେଶ କରିଥିଲେ । ପହଣ୍ଡ ଶେଷହେବା ପରେ ଦକ୍ଷିଣ ଦ୍ୱାର ଦେଇ ପ୍ରବେଶ ବନ୍ଦ କରାଯାଇଥିଲା । ଅନ୍ୟଦର୍ଶନାର୍ଥିମାନେ ମାର୍କେଟ ଛକରୁ ହୋଇଥିବା ବ୍ୟାରିକେଡ଼ ଦେଇ ସ୍ନାନ ମଣ୍ଡପ ଆଡ଼କୁ ପ୍ରବେଶ କରିଥିଲେ । ଦର୍ଶନାର୍ଥିମାନେ ବଡ଼ଦାଣ୍ଡଦେଇ ଶ୍ରୀକୃଷ୍ଣ ସିନେମାହଲ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଅଭିମୁଖେ ଆସିବା ପରେ ମେଟାଲ ଡିରେକ୍ଟରରେ ଯାଞ୍ଚ କରାଯାଇ ଦୋଳବେଦୀକୋଣରୁ ନିର୍ମିତ ଆଠଟି ଷ୍ଟିଲ
ବ୍ୟାରିକେଡ଼ ମଧ୍ୟରେ ପ୍ରବେଶ କରିସ୍ନାନ ମଣ୍ଡପରେ ଶ୍ରୀଜିଉମାନଙ୍କୁ ଦର୍ଶନ କରିଥିଲେ । ଉତ୍ତରଦ୍ୱାରଦେଇ ଶ୍ରୀମନ୍ଦିରରୁ ପ୍ରସ୍ଥାନ କରୁଥିବା ଭକ୍ତମାନେ ସତ୍ୟନାରାୟଣ ମନ୍ଦିର ଦେଇ ଅନ୍ୟଗଳିରେ ବଡ଼ଦାଣ୍ଡକୁ ଆସିଥିଲେ । ଦେବସ୍ନାନପୂର୍ଣ୍ଣିମା ପାଇଁ ଭକ୍ତଙ୍କ ସୁରକ୍ଷା, ଯାନବାହାନ ନିୟନ୍ତ୍ରଣ ଓ ଶୃଙ୍ଖଳିତ ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ସଂପୂର୍ଣ୍ଣ ପୁରୀ ସହରକୁ ଏଆଇ କ୍ୟାମେରା ନଜରରେ ରଖାଯାଇଥିଲା । ଶ୍ରୀମନ୍ଦିର ଓ ଶ୍ରଦ୍ଧାଳୁମାନଙ୍କ ସୁରକ୍ଷା ପାଇଁ ଆଣ୍ଟୀଟେରୋରିଷ୍ଟ ଟିମ ନିୟୋଜିତ ହୋଇଥିଲେ । ଶ୍ରୀମନ୍ଦିର ଭିତରର ସୁରକ୍ଷା, ଶ୍ରୀମନ୍ଦିର ବାହାରେ ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ, ପର୍ଯ୍ୟଟକଙ୍କ ସୁରକ୍ଷା ଓଭିଆଇପିଙ୍କ ସୁରକ୍ଷା ପାଇଁ ପୃଥକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୪ଜଣ ଏସପି ଓ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ,୧୫ ଜଣ ଅତିରିକ୍ତ ଏସପି ଓ ଡେପୁଟି କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀ, ୩୦ଜଣ ଡିଏସପି ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଏବଂ ୬୭ଜଣ ଇନ୍ସପେକ୍ଟର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ସ୍ନାନଯାତ୍ରାର ସୁରକ୍ଷା ପାଇଁ ୭୦ ପ୍ଲାଟୁନ ଫୋର୍ସଙ୍କ ସହିତ ୩୪୮ଏସଆଇ ଓ ଏଏସ ଆଇ, ୬୫ ଜଣ ହାବିଲଦାର, ୪୨୮ଜଣ କନଷ୍ଟେବଳ, ୬୧୮ଜଣ ହୋମଗାର୍ଡ ଓ ୫୨ଜଣ ଟ୍ରାଫିକ କନଷ୍ଟେବଳଙ୍କୁ ନିୟୋଜିତ କରାଯାଇଥିଲା । ରେଳ ଷ୍ଟେସନ, ବସଷ୍ଟାଣ୍ଡ, ସମୁଦ୍ରକୂଳ ଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ ସାଧାପୋଷକଧାରୀ ପୋଲିସଙ୍କୁ ମୁତୟନ କରଯାଇଥିଲା । ସମୁଦ୍ର ବେଳାଭୂମୀ ଅଞ୍ଚଳରେ ଲାଇଫ୍ ଗାର୍ଡମାନଙ୍କୁ ନିୟୋଜିତ କରଯାଇଥିଲା । ପୋଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, କେନ୍ଦ୍ରାଞ୍ଚଳ ଆଇଜି ଏସ ପ୍ରବୀଣ କୁମାର, ଏସପି ବିନୀତ ଅଗ୍ରୱାଲ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ ।

Comments (0)
Add Comment