ଭୁବନେଶ୍ୱର, : ନୂଆଦିଲ୍ଲୀସ୍ଥିତ ପ୍ରଗତି ମଇଦାନରେ ସମ୍ପ୍ରତି •ଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଓଡିଶା ପାଭିଲିୟନକୁ ଶୁକ୍ରବାର ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କ ସମେତ ହିମାଚଳ ପ୍ରଦେଶର ଶିଳ୍ପ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଚୌହାନ ପରିଦର୍ଶନ କରିଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଓଡିଶା ପାଭିଲିୟନରେ ପହଞ୍ଚି ପାଭିଲିୟନର ସମସ୍ତ ଷ୍ଟଲକୁ ଯାଇ ସେଠାରେ ବିକ୍ରି ପାଇଁ ଉଦ୍ଦିଷ୍ଟ ସାମଗ୍ରୀଗୁଡ଼ିକୁ ଦେଖିବା ସହିତ ଲାଇଭ ଡେମୋ ମାଧ୍ୟମରେ ବିଭିନ୍ନ ସାମଗ୍ରୀର ପ୍ରସ୍ତୁତି ପଦ୍ଧତି ସମ୍ପର୍କରେ ଅବଗତ ହୋଇଥିଲେ । ବିଶେଷ କରି ଓରମାସ, ମିଶନ ଶକ୍ତି, ବୟନିକା, ଉକ୍ରଳିକା, କୃଷି ଓ କୃଷକ ସଶକ୍ତିକରଣ, ଅନୁସୂଚିତ ଜନଜାତି ଓ ଜାତି, ଏମଏସଏମଇ, ଇତ୍ୟାଦି ବିଭାଗର ଷ୍ଟଲର ଅଧିକାରୀମାନଙ୍କ ସହିତ ଆଲୋଚନା କରି ବିକ୍ରିବଟା ହେଉଥିବା ନିଆରା ସାମଗ୍ରୀଗୁଡ଼ିକ ଗ୍ରାହକମାନଙ୍କ ପସନ୍ଦ ପାଲଟିଥିବା ଜାଣି ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ତରଫରୁ ତୃଣମୂଳସ୍ତରରେ ସ୍ୱୟଂ ସହାୟିକା ଗୋଷ୍ଠୀ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀମାନଙ୍କୁ ସବୁବେଳେ ପ୍ରୋତ୍ସାହିତ କରାଯାଇଆସୁଛି । ଏହି କ୍ରମରେ ରାଜ୍ୟର କୋଣ ଅନୁକୋଣରୁ କାରିଗର, ବୁଣାକାର, ହସ୍ତଶିଳ୍ପୀ, ଉଦ୍ୟୋଗୀମାନଙ୍କ ଦ୍ୱାରା ପ୍ରସ୍ତୁତ ଜିନିଷଗୁଡିକୁ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଭଳି ପ୍ରକୃଷ୍ଟ ମଞ୍ଚରେ ପ୍ରଦର୍ଶନ ଓ ବିକ୍ରି କରିବାର ସୁଯୋଗ ପ୍ରଦାନ ସେମାନଙ୍କ ଆତ୍ମବିଶ୍ୱାସକୁ ନିଶ୍ଚିତ ଭାବେ ବୃଦ୍ଧି କରିବ ବୋଲି ପ୍ରକାଶ କରିଥିଲେ । ତତସହିତ, ଚଳିତ ବର୍ଷର ଓଡ଼ିଶା ପାଭିଲିୟନର ପରିକଳ୍ପନା, ଡିଜାଇନ ଓ ସାଜସଜ୍ଜାର ମଧ୍ୟ ସେ ଉଚ୍ଚ ପ୍ରଶଂସା କରି ରାଜ୍ୟର କଳା, ଶିଳ୍ପ, ଭାସ୍କର୍ଯ୍ୟକୁ ଏହା ସଠିକ୍ ଭାବେ ପ୍ରତିଫଳିତ କରିପାରିଛି ବୋଲି କହିଥିଲେ । ପରେ ପରେ, ରାଜ୍ୟ ଅର୍ଥ ଓ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ମଧ୍ୟ ଓଡ଼ିଶା ପାଭିଲିୟନକୁ ଆସି ସମସ୍ତ ଷ୍ଟଲକୁ ବୁଲି ଦେଖିଥିଲେ ଏବଂ ଷ୍ଟଲରେ ବିକ୍ରି ହେଉଥିବା ଅନନ୍ୟ କଳାକୃତି, ହସ୍ତତନ୍ତ ଇତ୍ୟାଦିର ପ୍ରଶଂସା କରିଥିଲେ । ଏଥିସହିତ, ଷ୍ଟଲମାନଙ୍କରେ ଜିନିଷ କିଣୁଥିବା ଗ୍ରାହକମାନଙ୍କ ସହିତ ବାର୍ତ୍ତାଳାପ କରି, ଓଡ଼ିଶା ପାଭିଲିୟନର ସାଜସଜ୍ଜା ଓ ଉପଲବ୍ଧ ସାମଗ୍ରୀ ସମ୍ପର୍କରେ ଉପସ୍ଥିତ ଦର୍ଶକ ଓ ଗ୍ରାହକମାନଙ୍କର ସକାରାତ୍ମକ ପ୍ରତିକ୍ରିୟା ଶୁଣି ଆନନ୍ଦିତ ହେବା ସଙ୍ଗେସଙ୍ଗେ ଏଥିପାଇଁ ଆୟୋଜକ ସୂଚନା ଓ ଲୋକସମ୍ପର୍କ ବିଭାଗର ସମସ୍ତ ଅଧିକାରୀ ଓ କର୍ମ•ରୀମାନଙ୍କୁ ଧନ୍ୟବାଦ ଦେଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ଆଗମନ ପୂର୍ବରୁ ହିମାଚଳ ପ୍ରଦେଶର ଶିଳ୍ପ ମନ୍ତ୍ରୀ ହର୍ଷ ବର୍ଦ୍ଧନ ଚୌହାନ ଓଡ଼ିଶା ପାଭିଲିୟନ ପରିଦର୍ଶନ କରି ପାଭିଲିୟନର ସାଜସଜ୍ଜାକୁ ଭୂୟସୀ ପ୍ରଶଂସା କରିବା ସହିତ ଓଡିଶାର ଶିଳ୍ପୀମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଉଥିବା ନିଖୁଣ କାରିଗରୀ କୌଶଳ ଦେଖି ବିମୁଗ୍ଧ ହୋଇଥିଲେ । ସହିପରି, ଗତକାଲି ଆସାମର ଶିଳ୍ପମନ୍ତ୍ରୀ ବିମଲ ବରୁଆ ଓଡିଶା ପାଭିଲିୟନକୁ ଆସି ଓଡିଶା ସହିତ ଆସାମର ଯୁଗଯୁଗର ସମ୍ପର୍କକୁ ମନେ ପକାଇବା ସଙ୍ଗେସଙ୍ଗେ ଓଡିଶାର ହସ୍ତଶିଳ୍ପୀମାନଙ୍କ କଳା ନିପୁଣତାରେ ମୁଗ୍ଧ ହୋଇ ସେମାନଙ୍କୁ ଦେଶର ବିଶ୍ୱକର୍ମା ବୋଲି ସମ୍ବୋଧିତ କରିଥିଲେ । ଅତିଥିମାନଙ୍କ ପରିଦର୍ଶନ ଅବସରରେ ପାଭିଲିୟନ ନିର୍ଦ୍ଦେଶକ ସୂର୍ଯ୍ୟ ରଞ୍ଜନ ମହାନ୍ତିଙ୍କ ଦ୍ୱାରା ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଦେବ ଏବଂ ମନ୍ତ୍ରୀ ଦ୍ୱୟଙ୍କୁ ଉପହାର ପ୍ରଦାନ କରାଯାଇଥିଲା ଏବଂ ସବୁ କ୍ଷେତ୍ରରେ ସହଯୋଗ ପାଇଁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା । ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସଙ୍କ ସମେତ ବିଭାଗର ଅନ୍ୟ ଅଧିକାରୀ ଓ କର୍ମ•ରୀ, ଗାର୍ଲସ୍ ଗାଇଡମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ।