ନୂଆଦିଲ୍ଲୀ, ୨୧ା୧୧: ଭାରତରେ ନିଜର ୧୦୦ତମ ଟି-୨୦ ମ୍ୟାଚ୍ ଖେଳିବେ ନାହିଁ ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟର ଡାଭିଡ ୱାର୍ଣ୍ଣର । ରବିବାର ବିଶ୍ୱକପ ଶେଷ ହୋଇଥିବା ବେଳେ ଗୁରୁବାର ଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ ଆରମ୍ଭ ହେବ । ଏଥିପାଇଁ ଘୋଷଣା ହୋଇଥିବା ଅଷ୍ଟ୍ରେଲିଆର ସ୍କ୍ୱାଡରେ ୱାର୍ଣ୍ଣରଙ୍କ ନାଁ ଥିଲା । କିନ୍ତୁ ଅଷ୍ଟ୍ରେଲିଆ ଦିନିକିଆ ବିଶ୍ୱ ବିଜେତା ହେବା ପରେ ୱାର୍ଣ୍ଣର ଏବେ ଟି-୨୦ ସ୍କ୍ୱାଡରୁ ନିଜ ନାଁ ପ୍ରତ୍ୟାହାର କରି ନେଇଛନ୍ତି । ଏ ସମ୍ପର୍କରେ ୱାର୍ଣ୍ଣର ପ୍ରଥମେ କ୍ରିକେଟ ଅଷ୍ଟ୍ରେଲିଆକୁ ଜଣାଇଥିଲେ । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଏହାକୁ ଗ୍ରହଣ କରି ନେଇଛି । ଏହାର ଅର୍ଥ ଭାରତ ବିପକ୍ଷ ଟି-୨୦ ସିରିଜରେ ୱାର୍ଣ୍ଣର ନଜର ଆସିବେ ନାହିଁ । ଏବେ ୱାର୍ଣ୍ଣର ଟି୨୦ ସିରିଜ ସ୍କ୍ୱାଡରେ ନଥିବା ଅନ୍ୟ ଖେଳାଳିଙ୍କ ସହ ସ୍ୱଦେଶ ଫେରିବେ । ସେଠାରେ ସେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ ପାଇଁ ନିଜକୁ ପ୍ରସ୍ତୁତ କରିବେ । ଡିସେମ୍ବର-ଜାନୁଆରୀରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ ଖେଳାଯିବ । ଭାରତକୁ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ହରାଇ •ମ୍ପିୟନ ହୋଇଛି । ଟୁର୍ଣ୍ଣାମେଣ୍ଟରେ ୱାର୍ଣ୍ଣର ଦଳ ପାଇଁ ସବୁଠାରୁ ଅଧିକ ରନ କରିଥିଲେ । ସେ ୧୧ ମ୍ୟାଚରେ ୫୩୫ ରନ କରିଛନ୍ତି । ତେବେ ବିଶ୍ୱକପ ପୂର୍ବରୁ ୱାର୍ଣ୍ଣରଙ୍କ ଫର୍ମକୁ ନେଇ କ୍ରିକେଟ ପଣ୍ଡିତମାନେ ଚିନ୍ତା ପ୍ରକଟ କରିଥିଲେ । ହେଲେ ସେ ସମସ୍ତଙ୍କୁ ଭୁଲ ପ୍ରମାଣିତ କରି ବିଶ୍ୱକପରେ ଜଲୱ। ଦେଖାଇଥିଲେ । ଏହାପରେ ୩୭ ବର୍ଷୀୟ ୱାର୍ଣ୍ଣରଙ୍କୁ ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଘୋଷଣା କରାଯାଇଥିବା ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇଥିଲା । ଲାଗୁଥିଲା ସେ ଭାରତରେ ତାଙ୍କ ୧୦୦ତମ ଟି୨୦ ମ୍ୟାଚ୍ ଖେଳିବେ । କାରଣ ଏଯାଏ ୱାର୍ଣ୍ଣର ୯୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ହେଲେ ଅଷ୍ଟ୍ରେଲିଆ ବିଶ୍ୱ ବିଜେତା ହେବା ପରେ ୱାର୍ଣ୍ଣର ତାଙ୍କ ନାଁକୁ ଟି-୨୦ ସ୍କ୍ୱାଡରୁ ପ୍ରତ୍ୟାହାର କରି ନେଇଛନ୍ତି । ୱାର୍ଣ୍ଣରଙ୍କ ବଦଳରେ ଆରୋନ ହାର୍ଡି ଭାରତ ବିପକ୍ଷ ଟି୨୦ ସ୍କ୍ୱାଡରେ ସାମିଲ ହୋଇଛନ୍ତି । ନିକଟରେ ବିଶ୍ୱକପ ଜିତିଥିବା ଅଷ୍ଟ୍ରେଲିଆ ସ୍କ୍ୱାଡର ୭ଜଣ ଖେଳାଳି ଭାରତ ବିପକ୍ଷ ଟି-୨୦ ସିରିଜରେ ରହିଛନ୍ତି । ବାକି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । ସେମାନେ ମଧ୍ୟ ବିଶ୍ୱକପ ଟ୍ରଫି ଜିତିବା ପରେ ସ୍ୱଦେଶ ଫେରିଛନ୍ତି । ଗୁରୁବାର ଠାରୁ ଅଷ୍ଟ୍ରେଲିଆ ମାଥ୍ୟୁ ୱେଡଙ୍କ କ୍ୟାପ୍ଟେନ୍ସିରେ ଭାରତ ବିପକ୍ଷରେ ଟି-୨୦ ସିରିଜ ଖେଳିବ । ଏହି ଟି୨୦ ସିରିଜରେ ଟ୍ରାଭିସ ହେଡ ଓ ଷ୍ଟିଭ ସ୍ମିଥ ରହିଛନ୍ତି । ସେହିପରି ଗ୍ଲେନ ମ୍ୟାକ୍ସୱେଲ, ଆଡାମ ଜାମ୍ପା, ଜୋଶ ଇଙ୍ଗଲିସ ଓ ମାର୍କସ ଷ୍ଟୋଇନିସ ମଧ୍ୟ ଭାରତ ବିପକ୍ଷ ଟି୨୦ ସିରିଜ ଖେଳିବେ ।