ବିହାରକୁ ୭୦୦୦ କୋଟି ଟଙ୍କାର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

PM presents development projects worth Rs 7000 crore to Bihar

ନୂଆଦିଲ୍ଲୀ, ୧୮ା୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବିହାରର ମୋତିହାରୀରେ ୭୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦଘାଟନ, ଶିଳାନ୍ୟାସ ଏବଂ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ପବିତ୍ର ଶ୍ରାବଣ ମାସରେ ବାବା ସୋମେଶ୍ୱର ନାଥଙ୍କୁ ପ୍ରଣାମ କରି ପ୍ରଧାନମନ୍ତ୍ରୀ ବିହାରର ସମସ୍ତ ବାସିନ୍ଦାଙ୍କ ଜୀବନରେ ସୁଖ ଏବଂ ସମୃଦ୍ଧି ପାଇଁ ଆଶୀର୍ବାଦ ଲୋଡ଼ିଥିଲେ ଏବଂ ପ୍ରାର୍ଥନା କରିଥିଲେ । ସମାବେଶକୁ ସମ୍ବୋଧିତ କରି ଶ୍ରୀ ମୋଦି କହିଥିଲେ ଯେ ଏହା ଚମ୍ପାରଣ ଭୂମି, ଏକ ଇତିହାସ ସୃଷ୍ଟି କରିଥିବା ଭୂମି । ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହି ଭୂମି ମହାତ୍ମା ଗାନ୍ଧୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା । ସେ ଗୁରୁତ୍ୱାରୋପ କରିଥିଲେ ଯେ ଏହି ଭୂମିରୁ ପ୍ରେରଣା ଏବେ ବିହାରର ନୂତନ ଭବିଷ୍ୟତ ଗଢ଼ିବ । ଏହି ବିକାଶ ପଦକ୍ଷେପ ପାଇଁ ସେ ଉପସ୍ଥିତ ସମସ୍ତ ଲୋକଙ୍କୁ ଏବଂ ବିହାରର ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଥିଲେ । ଶ୍ରୀ ମୋଦି କହିଥିଲେ ଯେ ଏକବିଂଶ ଶତାବ୍ଦୀ ଦ୍ରୁତ ବିଶ୍ୱ ପ୍ରଗତି ଦେଖୁଛି, ପୂର୍ବରୁ ପାଶ୍ଚାତ୍ୟ ଦେଶମାନଙ୍କର ଆଧିପତ୍ୟ ଥିବାବେଳେ ଏବେ ପ୍ରାଚ୍ୟ ଦେଶମାନଙ୍କ ଅଧିପତ୍ୟ ଆରମ୍ଭ ହୋଇଛି, ଯେଉଁମାନଙ୍କ ଭାଗିଦାରୀ ଓ ପ୍ରଭାବ ବି ବଢୁଛି । ସେ ଉଲ୍ଲେଖ କରିଥିଲେ ଯେ ପ୍ରାଚ୍ୟ ଦେଶଗୁଡ଼ିକ ଏବେ ବିକାଶରେ ନୂତନ ଗତି ହାସଲ କରୁଛନ୍ତି । ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେପରି ପ୍ରାଚ୍ୟ ଦେଶଗୁଡ଼ିକ ବିଶ୍ୱ ସ୍ତରରେ ପ୍ରଗତି କରୁଛନ୍ତି, ସେହିପରି ଭାରତରେ ଏବେ ମଧ୍ୟ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଯୁଗ ଆସିଛି । ସେ ସରକାରଙ୍କ ସଂକଳ୍ପକୁ ପୁନଃଦୋହରାଇଥିଲେ ଯେ ଆଗାମୀ ସମୟରେ, ପୂର୍ବରେ ମୋତିହାରୀ ପଶ୍ଚିମରେ ମୁମ୍ବାଇ ପରି ସମାନ ଗୁରୁତ୍ୱ ହାସଲ କରିବ । ଶ୍ରୀ ମୋଦି ଗୁରୁଗ୍ରାମ ପରି ଗୟା, ପୁନେ ପରି ପାଟନା ଏବଂ ସୁରଟ ପରି ସନ୍ଥଳ ପରଗନାରେ ଶିଳ୍ପ ବିକାଶ ସୁନିଶ୍ଚିତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେ ଆଶା ପ୍ରକାଶ କରିଥିଲେ ଯେ ଜଳପାଇଗୁଡ଼ି ଏବଂ ଯାଜପୁରରେ ପର୍ଯ୍ୟଟନ ଜୟପୁର ପରି ନୂତନ ରେକର୍ଡ ସୃଷ୍ଟି କରିବ ଏବଂ ବୀରଭୂମିର ଲୋକମାନେ ବେଙ୍ଗାଲୁରୁର ଲୋକଙ୍କ ପରି ପ୍ରଗତି କରିବେ । ଶ୍ରୀ ମୋଦି ଗୁରୁତ୍ୱାରୋପ କରି କହିଥିଲେ ଯେ, ପୂର୍ବ ଭାରତକୁ ଆଗକୁ ବଢ଼ିବା ପାଇଁ, ବିହାରକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବାକୁ ପଡିବ । ଆଜି ବିହାରରେ ଦ୍ରୁତ ପ୍ରଗତି ସମ୍ଭବ କାରଣ କେନ୍ଦ୍ର ଏବଂ ରାଜ୍ୟରେ ଉଭୟ ସରକାର ଅଛନ୍ତି ଯେଉଁମାନେ ବିହାରର ବିକାଶ ପାଇଁ ପ୍ରତିବଦ୍ଧ । ସେ ଏହାର ସମର୍ଥନରେ କେତେକ ତୁନଳାତ୍ମକ ତଥ୍ୟ ରଖିଥିଲେ : ପୂର୍ବବର୍ତ୍ତୀ ସରକାରଗୁଡ଼ିକର ୧୦ ବର୍ଷ ମଧ୍ୟରେ ଯେତେବେଳେ ସେମାନେ କେନ୍ଦ୍ରରେ କ୍ଷମତାରେ ଥିଲେ, ବିହାରକୁ କେବଳ ୨ ଲକ୍ଷ କୋଟି ଟଙ୍କା ମିଳିଥିଲା । ସେ ମନ୍ତବ୍ୟ ଦେଇଥିଲେ ଯେ ଏହା ନୀତିଶ କୁମାରଙ୍କ ନେତୃତ୍ୱାଧୀନ ସରକାରଙ୍କ ବିରୁଦ୍ଧରେ ରାଜନୈତିକ ପ୍ରତିଶୋଧର ଏକ ପ୍ରକାର ଥିଲା । ପ୍ରଧାନମନ୍ତ୍ରୀ ଦୃଢ଼ତାର ସହିତ କହିଥିଲେ ଯେ ୨୦୧୪ରେ କ୍ଷମତାକୁ ଆସିବା ପରେ, ତାଙ୍କ ସରକାର ବିହାର ବିରୁଦ୍ଧରେ ଏହି ପ୍ରତିଶୋଧର ରାଜନୀତିର ଅନ୍ତ ଘଟାଇଛି, ତାଙ୍କ ଶାସନ କାଳରେ ଗତ ୧୦ ବର୍ଷ ମଧ୍ୟରେ ବିହାରର ବିକାଶ ପାଇଁ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଆବଣ୍ଟିତ ହୋଇଛି । ଏହା ପୂର୍ବ ସରକାରଙ୍କ ସମୟରେ ପ୍ରଦାନ କରାଯାଇଥିବା ପରିମାଣର ଚାରି ଗୁଣ, ଯାହାକି ଲୋକଙ୍କ କଲ୍ୟାଣ ଓ ବିକାଶମୂଳକ ପ୍ରକଳ୍ପ ପାଇଁ ବ୍ୟବହାର ହେଉଛି ବୋଲି ସେ କହିଥିଲେ । ଦୁଇ ଦଶନ୍ଧି ପୂର୍ବେ ଥିବା ବିହାରର ହତାଶାକୁ ଆଜିର ପିଢ଼ି ହୃଦୟଙ୍ଗମ କରନ୍ତୁ ବୋଲି ପ୍ରକାଶ କରି ଶ୍ରୀ ମୋଦି କହିଥିଲେ ଯେ ପୂର୍ବ ସରକାରଙ୍କ ସମୟରେ ବିକାଶ ଅଟକି ଯାଇଥିଲା ଏବଂ ଗରିବଙ୍କ ପାଇଁ ଆବଣ୍ଟିତ ଟଙ୍କା ସେମାନଙ୍କ ପାଖରେ ପହଞ୍ଚିବା ପ୍ରାୟ ଅସମ୍ଭବ ଥିଲା । ତକ୍ରାଳୀନ ନେତୃତ୍ୱକୁ ସମାଲୋଚନା କରି ସେ କହିଥିଲେ ଯେ ସେମାନଙ୍କର ଧ୍ୟାନ କେବଳ ଗରିବଙ୍କଠାରୁ ଟଙ୍କା ଲୁଟିବା ଉପରେ ଥିଲା । ସେ ବିହାରର ଲୋକଙ୍କ ଦୃଢ଼ ନିଷ୍ପତ୍ତିକୁ ପ୍ରଶଂସା କରିଥିଲେ ଏବଂ ଏହାକୁ ଏପରି ଏକ ଭୂମି ଭାବରେ ବର୍ଣ୍ଣନା କରିଥିଲେ ଯେଉଁଠାରେ ଅସମ୍ଭବକୁ ସମ୍ଭବ କରାଯାଇପାରିବ । ପୂର୍ବ ସରକାରଙ୍କ ଶୃଙ୍ଖଳରୁ ବିହାରକୁ ମୁକ୍ତ କରିବା ଏବଂ ଗରିବ ଲୋକଙ୍କ ନିକଟରେ ସିଧାସଳଖ କଲ୍ୟାଣକାରୀ ଯୋଜନା ପହଞ୍ଚାଇବା ପାଇଁ ସେ ଲୋକଙ୍କ ପ୍ରଶଂସା କରିଥିଲେ । ଶ୍ରୀ ମୋଦି ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ଗତ ୧୧ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସାରା ଦେଶରେ ୪ କୋଟିରୁ ଅଧିକ ଘର ନିର୍ମାଣ କରାଯାଇଛି, ଯେଉଁଥିରୁ ପ୍ରାୟ ୬୦ ଲକ୍ଷ ଘର କେବଳ ବିହାରରେ ନିର୍ମିତ ହୋଇଛି । ଏହି ସଂଖ୍ୟା ନରୱେ, ନ୍ୟୁଜିଲ୍ୟାଣ୍ଡ ଏବଂ ସିଙ୍ଗାପୁର ଭଳି ଦେଶର ମୋଟ ଜନସଂଖ୍ୟାଠାରୁ ଅଧିକ । ଶ୍ରୀ ମୋଦି କହିଥିଲେ, କେବଳ ମୋତିହାରୀ ଜିଲ୍ଲାରେ ପ୍ରାୟ ୩ ଲକ୍ଷ ପରିବାର ପକ୍କା ଘର ପାଇଛନ୍ତି ଏବଂ ଏହି ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଆଜି ଏହି ଅଞ୍ଚଳର ୧୨୦୦୦ରୁ ଅଧିକ ପରିବାର ସେମାନଙ୍କର ନୂତନ ଘରର ଚାବି ପାଇଛନ୍ତି । ଏହା ସହିତ, ୪୦୦୦୦ରୁ ଅଧିକ ଗରିବ ପରିବାର, ଯେଉଁମାନେ ଅଧିକାଂଶ ଦଳିତ, ମହାଦଳିତ ଏବଂ ପଛୁଆ ସମ୍ପ୍ରଦାୟର, ପକ୍କା ଘର ନିର୍ମାଣ ପାଇଁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପାଣ୍ଠି ପାଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ପୂର୍ବ ସରକାରଗୁଡ଼ିକର ଶାସନ କାଳରେ ଗରିବ ଲୋକଙ୍କ ପାଇଁ ଏପରି ଘର ପାଇବା କଳ୍ପନାତୀତ ଥିଲା । ସେ ସ୍ମରଣ କରିଥିଲେ ଯେ ତାଙ୍କ କାର୍ଯ୍ୟକାଳରେ ଲୋକମାନେ ଘରମାଲିକମାନେ ସେମାନଙ୍କୁ ଟାର୍ଗେଟ କରିବେ ବୋଲି ଭୟ କରି ସେମାନଙ୍କ ଘରକୁ ରଙ୍ଗ କରିବାକୁ ମଧ୍ୟ ଭୟ କରୁଥିଲେ । ସେ ଦୃଢ଼ତାର ସହିତ କହିଥିଲେ ଯେ ପୂର୍ବ ଶାସକ ଦଳର ନେତାମାନେ କେବେବି ଲୋକଙ୍କୁ ପକ୍କା ଘର ଯୋଗାଇ ପାରି ନଥିଲେ । ବିହାରର ପ୍ରଗତି ପାଇଁ ଏହାର ମା’ ଏବଂ ଭଉଣୀମାନଙ୍କ ଶକ୍ତି ଏବଂ ଦୃଢ଼ ନିଷ୍ପତ୍ତିକୁ ଶ୍ରେୟ ଦେଇ ଶ୍ରୀ ମୋଦି କହିଛନ୍ତି ଯେ ବିହାରର ମହିଳାମାନେ ତାଙ୍କ ସରକାରଙ୍କ ପ୍ରତ୍ୟେକ ପଦକ୍ଷେପର ଗୁରୁତ୍ୱକୁ ସମ୍ପୂର୍ଣ୍ଣ ଭାବରେ ବୁଝନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ବହୁ ସଂଖ୍ୟକ ମହିଳାଙ୍କୁ ସେ ପ୍ରଶଂସା କରିଥିଲେ ଏବଂ ସେହି ଦିନଗୁଡ଼ିକୁ ମନେ ପକାଇଥିଲେ ଯେତେବେଳେ ସେମାନଙ୍କୁ ୧୦ ଟଙ୍କା ମଧ୍ୟ ଲୁଚାଇବାକୁ ପଡୁଥିଲା, ତାଙ୍କର ବ୍ୟାଙ୍କ ଖାତା ନଥିଲା ଏବଂ ବ୍ୟାଙ୍କରେ ପ୍ରବେଶ କରିବାକୁ ଅନୁମତି ନଥିଲା । ପ୍ରଧାନମନ୍ତ୍ରୀ ଗରିବଙ୍କ ସମ୍ମାନ ବିଷୟରେ ତାଙ୍କର ବୁଝାମଣାକୁ ପୁନରାବୃତ୍ତି କରିଥିଲେ ଏବଂ କିପରି ସେ ବ୍ୟାଙ୍କଗୁଡ଼ିକୁ ପ୍ରଶ୍ନ କରିଥିଲେ ଯେ ଗରିବମାନଙ୍କ ପାଇଁ ସେମାନଙ୍କର ଦ୍ୱାର କାହିଁକି ବନ୍ଦ ଥିଲା । ସେ ଜନଧନ ଆକାଉଣ୍ଟ ଖୋଲିବା ପାଇଁ ଆରମ୍ଭ ହୋଇଥିବା ବିଶାଳ ଅଭିଯାନ ଉପରେ ଆଲୋକପାତ କରିଥିଲେ, ଯାହା ମହିଳାମାନଙ୍କୁ ଅତ୍ୟନ୍ତ ଲାଭ ଦେଇଛି । ବିହାରରେ ବର୍ତ୍ତମାନ ପ୍ରାୟ ୩.୫ କୋଟି ମହିଳାଙ୍କର ଜନଧନ ଆକାଉଣ୍ଟ ଅଛି । ଶ୍ରୀ ମୋଦି ଗୁରୁତ୍ୱାରୋପ କରିଥିଲେ ଯେ ସରକାରୀ ଯୋଜନାରୁ ପାଣ୍ଠି ବର୍ତ୍ତମାନ ସିଧାସଳଖ ଏହି ଆକାଉଣ୍ଟଗୁଡ଼ିକୁ ସ୍ଥାନାନ୍ତରିତ ହେଉଛି । ସେ ଆହୁରି ସୂଚନା ଦେଇଥିଲେ ଯେ ନୀତିଶ କୁମାରଙ୍କ ନେତୃତ୍ୱରେ ବିହାର ସରକାର ସମ୍ପ୍ରତି ବୃଦ୍ଧ, ଭିନ୍ନକ୍ଷମ ଏବଂ ବିଧବା ମା’ମାନଙ୍କ ପାଇଁ ମାସିକ ପେନସନ ୪୦୦ ଟଙ୍କାରୁ ରୁ ୧୧୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ ଯେ ଏହି ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉଛି । ଗତ ଦେଢ଼ ମାସରେ, ବିହାରରେ ୨୪୦୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ୧୦୦୦ କୋଟି ଟଙ୍କାରୁ ଅଧିକ ସହାୟତା ପାଇଛନ୍ତି । ସେ ଏହି ସଫଳତା ପାଇଁ ଜନଧନ ଆକାଉଣ୍ଟ ମାଧ୍ୟମରେ ମା’ ଏବଂ ଭଉଣୀମାନଙ୍କର ଆର୍ଥିକ ସଶକ୍ତିକରଣକୁ ଶ୍ରେୟ ଦେଇଛନ୍ତି । ମହିଳା ସଶକ୍ତିକରଣ ପଦକ୍ଷେପର ପ୍ରଭାବଶାଳୀ ଫଳାଫଳ ଉପରେ ଗୁରୁତ୍ୱାରୋପ କରି, ସାରା ଦେଶ ଏବଂ ବିହାରରେ ‘ଲକ୍ଷପତି ଦିଦି’ଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜାତୀୟ ଲକ୍ଷ୍ୟ ହେଉଛି ୩ କୋଟି ଲଖପତି ଦିଦି ସୃଷ୍ଟି କରିବା ଏବଂ ଏପର୍ଯ୍ୟନ୍ତ ୧.୫ କୋଟି ମହିଳା ଏହି ସଫଳତା ହାସଲ କରିଛନ୍ତି । ବିହାରରେ ୨୦ ଲକ୍ଷରୁ ଅଧିକ ମହିଳା ଲଖପତି ଦିଦି ହୋଇଛନ୍ତି ଏବଂ କେବଳ ଚମ୍ପାରଣରେ ୮୦,୦୦୦ରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀରେ ଯୋଗ ଦେଇ ଏହି ମାଇଲଖୁଣ୍ଟରେ ପହଞ୍ଚିଛନ୍ତି । ଶ୍ରୀ ମୋଦି ନାରୀ ଶକ୍ତିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ୪୦୦ କୋଟି ଟଙ୍କା ସାମୁଦାୟିକ ନିବେଶ ପାଣ୍ଠି ଭାବରେ ଜାରି କରିବାର ଘୋଷଣା କରିଛନ୍ତି । ସେ ନୀତିଶ କୁମାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜୀବିକା ଦିଦି ଯୋଜନାକୁ ପ୍ରଶଂସା କରିଛନ୍ତି, ଯାହା ବିହାରର ଲକ୍ଷ ଲକ୍ଷ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ପଥ ପ୍ରଶସ୍ତ କରିଛି । ଭାରତର ପ୍ରଗତି ପାଇଁ ବିହାରର ପ୍ରଗତି ଅତ୍ୟାବଶ୍ୟକ ବୋଲି ତାଙ୍କ ଦଳର ଦୃଷ୍ଟିକୋଣକୁ ଦୋହରାଇ ଶ୍ରୀ ମୋଦ । ଦୃଢ଼ତାର ସହିତ କହିଥିଲେ ଯେ ବିହାର କେବଳ ସେତେବେଳେ ପ୍ରଗତି କରିବ ଯେତେବେଳେ ଏହାର ଯୁବପିଢ଼ି ପ୍ରଗତି କରିବେ । ସେ ଏକ ସମୃଦ୍ଧ ବିହାର ଏବଂ ପ୍ରତ୍ୟେକ ଯୁବକଙ୍କୁ ନିଯୁକ୍ତି ପ୍ରଦାନ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ ବର୍ଷଗୁଡ଼ିକରେ ବିହାରରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରାଯାଇଛି ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହିତ ଲକ୍ଷ ଲକ୍ଷ ଯୁବକଙ୍କୁ ସରକାରୀ ପଦବୀରେ ନିଯୁକ୍ତି ଦେବା ପାଇଁ ନୀତିଶ କୁମାର ସରକାରଙ୍କ ପ୍ରଶଂସା କରିଛନ୍ତି । ସେ କହିଛନ୍ତି ଯେ ବିହାରର ଯୁବକମାନଙ୍କ ପାଇଁ ନିଯୁକ୍ତି ବୃଦ୍ଧି କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନୂତନ ସଂକଳ୍ପ ନିଆଯାଇଛି ଏବଂ କେନ୍ଦ୍ର ସରକାର ଏହି ପ୍ରୟାସଗୁଡ଼ିକୁ ପୂର୍ଣ୍ଣ ସମର୍ଥନ ସହିତ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି ବୋଲି ଆଶ୍ୱାସନା ଦେଇଛନ୍ତି । ବିହାର ରାଜ୍ୟପାଳ ଆରିଫ ମହମ୍ମଦ ଖାଁ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର, କେନ୍ଦ୍ର ମନ୍ତ୍ରୀ ଜିତନ ରାମ ମାଂଝି, ଗିରିରାଜ ସିଂହ, ରାଜୀବ ରଞ୍ଜନ ସିଂହ, ଚିରାଗ ପାସୱାନ, ରାମନାଥ ଠାକୁର, ନିତ୍ୟାନନ୍ଦ ରାୟ, ସତୀଶ ଚନ୍ଦ୍ର ଦୁବେ, ଡକ୍ଟର ରାଜ ଭୂଷଣ ଚୌଧୁରୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Comments (0)
Add Comment