ବେଙ୍ଗାଲୁରୁ, ୨୫ା୧୧: ଶନିବାର କର୍ଣ୍ଣାଟକ ରାଜ୍ୟର ବେଙ୍ଗାଲୁରୁସ୍ଥିତ ରାଷ୍ଟ୍ରାୟତ “ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ ପରିଦର୍ଶନରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ “ତେଜସ୍’ ଲଢୁଆ ବିମାନରେ ଚଢି ବୁଲିଛନ୍ତି । “ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନାରେ •ଲିଥିବା କାର୍ଯ୍ୟ ସମୀକ୍ଷା କରିବା ଲାଗି ଶନିବାର ପ୍ରଧାନମନ୍ତ୍ରୀ ମୋଦୀ ବେଙ୍ଗାଲୁରୁ ଯାଇଛନ୍ତି । ଆଗରୁ ବିଶେଷସୂତ୍ରରୁ ସୂଚନା ମିଳିଥିଲା ଯେ, “ତେଜସ୍’ ଜେଟ୍ ଉତ୍ପାଦନ କାରଖାନା ସମେତ “ହିନ୍ଦୁସ୍ତାନ ଏରୋନଟିକ୍ସ୍ ଲିମିଟେଡ୍’ର ଉତ୍ପାଦନ କାରଖାନା ପରିଦର୍ଶନ କରି ପ୍ରଧାନମନ୍ତ୍ରୀ କାର୍ଯ୍ୟ ସମୀକ୍ଷା କରିବେ । ଭାରତୀୟ ବାୟୁସେନାର ଏହି ହାଲୁକା ଲଢୁଆ ବିମାନ “ତେଜସ୍’ରେ ପ୍ରଧାନମନ୍ତ୍ରୀ ପ୍ରାୟ ୪୫ ମନିଟ୍ ଧରି ଉଡ଼ାଣ କରିଥିଲେ । ଏ ସଂକ୍ରାନ୍ତରେ ଅନୁଭୂତି ବ୍ୟକ୍ତକରି ପ୍ରଧାନମନ୍ତ୍ରୀ “ଏକ୍ସ୍’ ପୋଷ୍ଟରେ ଲେଖିଛନ୍ତି “ତେଜସ୍’ରେ ବସି ସ୍ୱଳ୍ପ ସମୟ ପାଇଁ ଉଡ଼ିଲି । ଏ ଅନୁଭୂତି ଅତ୍ୟନ୍ତ ଚମକ୍ରାର, ଦେଶର ସ୍ୱଦେଶୀ ସାମର୍ଥ୍ୟ ଉପରେ ମୋ ଆତ୍ମବିଶ୍ୱାସକୁ ଯଥେଷ୍ଟ ସୁଦୃଢ କରିଛି । ଆମ ଭବିଷ୍ୟତର ଜାତୀୟ ସମ୍ଭାବନା ପ୍ରତି ମୋର ଗୌରବବୋଧ ଓ ପ୍ରତ୍ୟାଶାକୁ ପୁନଃଜାଗରୁକ କରିଛି । ଭାରତୀୟ ବାୟୁସେନା, “ଡିଆରଡିଓ’ ଓ “ଏଚ୍ଏଲ୍’କୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ବିଶ୍ୱର ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଭାରତ କୌଣସି ଗୁଣରେ କମ୍ ନୁହେଁ । “ଏକ୍ସ୍’ ପୋଷ୍ଟରେ ସେ ଲେଖିଛନ୍ତି, ଅତ୍ୟନ୍ତ ଆନନ୍ଦର ସହିତ କହୁଛି ଯେ, ଆମର କଠିନ ଶ୍ରମ ଓ ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଆତ୍ମନିର୍ଭରଶୀଳତା କ୍ଷେତ୍ରରେ ଆମେ ବିଶ୍ୱରେ ଅନ୍ୟମାନଙ୍କଠାରୁ କମ୍ ନୋହୁଁ । ଭାରତୀୟ ବାୟୁସେନା, “ଡିଆରଡିଓ’ ଓ “ଏଚ୍ଏଲ୍’ ତଥା ସମସ୍ତ ଭାରତୀୟଙ୍କୁ ଆନ୍ତରିକ ଶୁଭେଚ୍ଛା ।