ଜାତୀୟ ଶିକ୍ଷା ନୀତି ସମ୍ପର୍କରେ ପାଠଚକ୍ର ଓ ଅଧ୍ୟାପକ ସମ୍ମେଳନର ନୂଆ କର୍ମକର୍ତ୍ତା ମନୋନୟନ

ଭୁବନେଶ୍ୱର, : ରବିବାର ନିଖିଳ ଭାରତ ଓଡ଼ିଆ ଅଧ୍ୟାପକ ସମ୍ମେଳନର ଅଷ୍ଟାଦଶ ବାର୍ଷିକ ଉତ୍ସବ ଓ ‘ଜାତୀୟ ଶିକ୍ଷା ନୀତି ୨୦୨୦: ଓଡ଼ିଆ ଓ ଆଦିବାସୀ ଭାଷା -ସାହିତ୍ୟ\’ ବିଷୟରେ ଏକ ଜାତୀୟ ପାଠଚକ୍ର କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ନୂତନ ଶିକ୍ଷାନୀତି ଓଡ଼ିଆ ଓ ଅନ୍ୟାନ୍ୟ ଆଦିବାସୀ ଭାଷାର ସୁରକ୍ଷା କବଚ ହେବ ବୋଲି ମତ ପ୍ରକାଶ ପାଇଛି । ବିଶ୍ୱବିଦ୍ୟାଳୟର ତୁଳନାତ୍ମକ ଆଦିବାସୀ ଭାଷା ସାହିତ୍ୟ ସ୍କୁଲର ଓଡ଼ିଆ ବିଭାଗ ସହଯୋଗରେ ଆୟୋଜିତ ଏହି ପାଠଚକ୍ରକୁ ପଦ୍ମଶ୍ରୀ ଡ. ପ୍ରତିଭା ଶତପଥୀ ଉଦ୍‌ଘାଟନ କରିଥିଲେ । ଅଧ୍ୟାପକ ସମ୍ମେଳନର କାର୍ଯ୍ୟକାରୀ ସଭାପତି ପ୍ରଫେସର ଅନନ୍ତ କିଶୋର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉଦ୍‌ଘାଟନୀ ଅଧିବେଶନରେ ପ୍ରଫେସର ବୈଷ୍ଣବ ଚରଣ ସାମଲ ସ୍ୱତନ୍ତ୍ର ଅତିଥି ଭାବରେ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଓ କିସ୍‌ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ । ପ୍ରଫେସର ସନ୍ତୋଷ କୁମାର ରଥ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ । ଅଭ୍ୟର୍ଥନାକମିଟିର ଅଧ୍ୟକ୍ଷ ଡ.ଶଶାଙ୍କ ଚୂଡାମଣି ସ୍ୱାଗତ ଭାଷଣ ଦେଇଥିଲେ ଓ ସମ୍ମେଳନର ସାଧାରଣ ସମ୍ପାଦକ ଡ.ରମେଶ ଚନ୍ଦ୍ର ବେହେରା ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ବିଭାଗ ମୁଖ୍ୟ ଡ.ରଶ୍ମିତା ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ସୁସଞ୍ଚାଳନ କରିଥିଲେ ଅଧ୍ୟାପିକା ଡ. ଶର୍ମିଷ୍ଠା ମହାପାତ୍ର । ଏହି ଅବସରରେ ସମ୍ମେଳନର ମୁଖପତ୍ର ‘ସ୍ମରଣିକା ୨୦୨୫\’ ଓ ନଳିନୀପ୍ରଭା ମହାପାତ୍ରଙ୍କ କବିତା ପୁସ୍ତକ ‘ଜୀବନର ଚଲାପଥେ\’ ଉନ୍ମୋଚିତ ହୋଇଥିଲା । ବର୍ଷୀୟାନ ଅଧ୍ୟାପକ ପ୍ରଫେସର ନୀଳାଦ୍ରିଭୂଷଣ ହରିଚନ୍ଦନ, ପ୍ରଫେସର ନଟବର ଶତପଥୀ, ପ୍ରଫେସର ମନୋରମା ବିଶ୍ୱାଳ ମହାପାତ୍ର ଓ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କୁ ସମ୍ମେଳନ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରଫେସର ପ୍ରଦୀପ୍ତ କୁମାର ପଣ୍ଡା ଓ ପ୍ରଫେସର ବସନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସମାନ୍ତରାଳ ଭାବରେ ଦୁଇଟି ବୈଷୟିକ ଅଧିବେଶନରେ ୫୦ରୁ ଊର୍ଦ୍ଧ୍ୱ ଅଧ୍ୟାପକ- ଅଧ୍ୟାପିକା ଓ ଗବେଷକ ଜାତୀୟ ଶିକ୍ଷା ନୀତି ପରିପ୍ରେକ୍ଷୀରେ ଭାଷା ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ପ୍ରବନ୍ଧ ପାଠ କରିଥିଲେ । ଅପରାହ୍ନରେ ଡ. ନିତ୍ୟାନନ୍ଦ ସାହୁଙ୍କ ସଭାପତିତ୍ୱରେ ପରିଚାଳିତ ସାଙ୍ଗଠନିକ ଅଧିବେଶନରେ ଡ.ବାବାଜୀ ପଟ୍ଟନାୟକ ଓ ଡ.ରଞ୍ଜିତ କୁମାର ପରିଡ଼ା ନୂତନ କର୍ମକର୍ତ୍ତା ମନୋନୟନ ତଥା ସମ୍ପାଦନ କରିଥିଲେ । ସର୍ବସମ୍ମତିକ୍ରମେ ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ ସଭାପତି, ଡ.କୁଳମଣି ଓଝା କାର୍ଯ୍ୟକାରୀ ସଭାପତି, ଡ.ରମେଶ ଚନ୍ଦ୍ର ବେହେରା ସାଧାରଣ ସମ୍ପାଦକ, ଡ.ଶର୍ମିଷ୍ଠା ମହାପାତ୍ର ଯୁଗ୍ମ ସାଧାରଣ ସମ୍ପାଦକ ଓ ଡ.ବିଜୟଲକ୍ଷ୍ମୀ ଦାଶ କୋଷାଧ୍ୟକ୍ଷ ରୂପେ ମନୋନୀତ ହୋଇଛନ୍ତି । ଏଥିସହିତ ଆଞ୍ଚଳିକ ସଭାପତି ଓ ସମ୍ପାଦକ ପଦ ପାଇଁ ଛଅଜଣ ଅଧ୍ୟାପକ ଅଧ୍ୟାପିକା ମନୋନୀତ ହୋଇଥିଲେ । ଏହି ଜାତୀୟ ସମ୍ପାନରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଶତାଧି ଅଧ୍ୟାପକ, ଗବେଷକ ଯୋଗଦେଇଥିଲେ । ପରିଶେଷରେ ଅଧ୍ୟାପକ ଡ. ଦର୍ପଦଳନ ରଥ ଧନ୍ୟବାଦ ଜ୍ଞାପନ କରିଥିଲେ ।

Comments (0)
Add Comment