ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଆମେରିକାର ବୋମାମାଡ

ନୂଆଦିଲ୍ଲୀ, : ଇସ୍ରାଏଲ ଓ ଇରାନ ଯୁଦ୍ଧରେ ସାମିଲ ହୋଇଛି ଆମେରିକା । ରବିବାର ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ବୋମାମାଡ଼ କରିଛି ଆମେରିକା । ଫୋର୍ଦୋ, ନତାଞ୍ଜ ଓ ଇସଫହାନ ପରମାଣୁ କେନ୍ଦ୍ରରେ ଆମେରିକାର ଏହି ଆକ୍ରମଣ ପରେ ଇରାନ ଓ ଇସ୍ରାଏଲ ପରସ୍ପର ଉପରକୁ ମିସାଇଲ ମାଡ଼ କରିଛନ୍ତି । ଇରାନର ୩ଟି ପରମାଣୁ କେନ୍ଦ୍ର ଉପରେ ଆକ୍ରମଣ କରିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶବାସୀଙ୍କୁ ସମ୍ବୋଧିତ କରି କହିଥିଲେ ଯେ ଫୋର୍ଦୋ, ନତାଞ୍ଜ ଓ ଇସଫହାନରେ ଆମେରିକୀୟ ଯୁଦ୍ଧବିମାନଗୁଡ଼ିକର ଆକ୍ରମଣ ସଫଳତା ପୂର୍ବକ ଶେଷ ହୋଇଛି । ଇରାନର ପ୍ରମୁଖ ପରମାଣୁ ସମୃଦ୍ଧ କେନ୍ଦ୍ରଗୁଡ଼ିକୁ ସଂପୂର୍ଣ୍ଣ ଭାବରେ ଧ୍ୱଂସ କରିଦିଆଯାଇଛି । ଏହି ଆକ୍ରମଣଗୁଡ଼ିକ ଏକ ଅଦ୍ଭୁଦପୂର୍ବ ସାମରିକ ସଫଳତା । ସେ ଆହୁରି କହିଥିଲେ, ବର୍ତ୍ତମାନ ଇରାକ ଶାନ୍ତି ପ୍ରତିଷ୍ଠା କରିବା ଉଚିତୟ ଯଦି ସେମାନେ ଶାନ୍ତି ପ୍ରତିଷ୍ଠା ନକରିବେ, ତା\’ହେଲେ ଭବିଷ୍ୟତରେ ଯେଉଁ ଆକ୍ରମଣ ହେବ, ତାହା ଏହାଠାରୁ ବି ବଡ଼ ହେବ । ଇରାନ ପାଖରେ କେବଳ ଦୁଇଟି ବିକଳ୍ପ ଅଛି । ସେମାନେ ଶାନ୍ତି ପ୍ରତିଷ୍ଠା କରନ୍ତୁ ନହେଲେ ଗତ ୮ ଦିନରେ ଯେତିକି କ୍ଷତି ଘଟିଛି, ତା\’ଠାରୁ ବହୁଗୁଣା କ୍ଷତି ସହିବାକୁ ପ୍ରସ୍ତୁତ ହୁଅନ୍ତୁ । ଯଦି ସେମାନେ ଶୀଘ୍ର ଶାନ୍ତି ପ୍ରତିଷ୍ଠା ଦିଗରେ କାର୍ଯ୍ୟ ନକରନ୍ତି, ଆମେ ଠିକଣା ଭାବେ ଦକ୍ଷତାର ସହିତ ଖୁବ୍ ଦ୍ରୁତଗତିରେ ଚୟନ ହୋଇଥିବା ଅନ୍ୟ ସ୍ଥାନଗୁଡ଼ିକୁ ଟାର୍ଗେଟ କରିବୁ । ସେଗୁଡ଼ିକରୁ ଅଧିକାଂଶକୁ ଟାର୍ଗେଟ କରିବା ମାତ୍ର କିଛି ମିନିଟର କଥା ବୋଲି କହିଛନ୍ତି ଟ୍ରମ୍ପ । ଇରାନର ୩ଟି ପରମାଣୁ କେନ୍ଦ୍ରକୁ ଆମେରିକା ସେନା ଧ୍ୱଂସ କରିଦେବା ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ପ୍ରଶଂସା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଟ୍ରମ୍ପଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି, ଇରାନର ପରମାଣୁ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରିବା ପାଇଁ ଆପଣ ଯେଉଁ ସାହାସିକ ନିଷ୍ପତ୍ତି ନେଲେ ତାହା ଇତିହାସ ବଦଳାଇ ଦେବ । ରାଷ୍ଟ୍ରପତି ଟ୍ରମ୍ପ ଓ ମୁଁ ପ୍ରାୟତଃ କହୁ ଯେ ଶକ୍ତି ମାଧ୍ୟମରେ ଶାନ୍ତି ଆସେ । ପ୍ରଥମେ ଶକ୍ତି ଆସେ । ତା\’ପରେ ଶାନ୍ତି ଆସେ । ରବିବାର ଡୋନାଲ୍ଡ ଟ୍ରମ୍ପ ଓ ଆମେରିକା ବହୁତ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକା ସେହି କାର୍ଯ୍ୟ କରିଛି ଯାହା ପୃଥିବୀର ଅନ୍ୟ କୌଣସି ଦେଶ କରିପାରିବେ ନାହିଁ । ପୃଥିବୀର ସବୁଠୁ ବିପଜ୍ଜନକ ଶାସକ ଓ ବିପଜ୍ଜନକ ଅସ୍ତ୍ରକୁ ମାତ ଦେବାକୁ ଟ୍ରମ୍ପ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି, ତାହାକୁ ଇତିହାସ ମନେ ରଖିବ । ଏହା ସହିତ ଯେତେ ଦିନ ପର୍ଯ୍ୟନ୍ତ ଇରାନର ପରମାଣୁ କାର୍ଯ୍ୟକ୍ରମ ନେଇ ବିପଦ ସଂପୂର୍ଣ୍ଣ ଭାବେ ଟଳି ନାହିଁ ସେପର୍ଯ୍ୟନ୍ତ ଇରାନ ବିରୋଧରେ ଇସ୍ରାଏଲର ଅପରେସନ ଜାରି ରହିବ ବୋଲି ନେତାନ୍ୟାହୁ ସ୍ପଷ୍ଟ କରି ଦେଇଛନ୍ତି । ଆମେରିକା ଆକ୍ରମଣ କରିବାର କିଛି ଘଣ୍ଟା ପରେ ଇରାନ ପୁଣି ଥରେ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଛି । ଇରାନ ସେନା ପକ୍ଷରୁ ଇସ୍ରାଏଲର ହାଇଫା ଓ ତେଲ ଅଭିଭ ସହର ଉପରେ ୩୦ରୁ ଅଧିକ ମିସାଇଲ ମାଡ଼ କରାଯାଇଥିବା ବେଳେ ୮୬ ଜଣ ଆହତ ହୋଇଥିବା ଜଣାପଡ଼ିଛି । ଇସଲାମିକ ରିଭୋଲ୍ୟୁସୋନାରୀ ଗାର୍ଡ ଗ୍ରୁପ (ଆରଆରଜିସି) କହିଛି ଯେ ସେମାନେ
ତେଲ ଅଭିଭ ନିକଟରେ ଥିବା ବେନ ଗୁରୀୟନ ବିମାନ ବନ୍ଦରରେ ମଧ୍ୟ ଆକ୍ରମଣ କରିଛନ୍ତି । ଇସ୍ରାଏଲ ପକ୍ଷରୁ ଇରାନକୁ ଏହି ଆକ୍ରମଣର ଜବାବ ଦିଆଯାଇଛି । ଇରାନର ଏକାଧିକ ସେନା କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ । ମିସାଇଲ ମାଡ଼ କରୁଥିବା ଇରାନର ଏକାଧିକ ମିସାଇଲ ଲଞ୍ଚରଗୁଡ଼ିକୁ ନଷ୍ଟ କରିଦିଆଯାଇଛି ବୋଲି ଇସ୍ରାଏଲ ଡିଫେନ୍ସ ଫୋର୍ସ କହିଛି । ସେହିପରି ଇରାନର ୨ଟି ଏଫ୫ ଯୁଦ୍ଧ ବିମାନକୁ ମଧ୍ୟ ଏହା ଧ୍ୱଂସ କରିଥିବା ଦାବି କରିଛି । ଗତ ଶୁକ୍ରବାର (ଜୁନ ୧୩)ଠାରୁ ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି । ଇରାନ ବିରୋଧରେ ଇସ୍ରାଏଲ \”ଅପରାସନ ରାଇଜିଂ ଲାୟନ\’ ଆରମ୍ଭ କରିବା ପରେ ଏହି ଯୁଦ୍ଧ ଆରମ୍ଭ ହୋଇଛି । ଇରାନର ପରମାଣୁ କେନ୍ଦ୍ର ଓ ସେନାର ପ୍ରମୁଖ ସ୍ଥାନରେ ଆକ୍ରମଣ କରିଛି ଇସ୍ରାଏଲ । ୱାଶିଂଟନରେ କାର୍ଯ୍ୟ କରୁଥିବା ଇରାନର ଏକ ମାନବ ଅଧିକାର ଗ୍ରୁପର ଦାବି ଅନୁସାରେ ଏହି ଯୁଦ୍ଧରେ ଇରାନରେ ଏଯାବତ ୬୦୦ ଲୋକଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷରେ ଇସ୍ରାଏଲ କହିଛି ଯେ ଇରାନ ଏଯାବତ ସେମାନଙ୍କ ଉପରକୁ ୪୫୦ ମିସାଲ ଓ ୧୦୦୦ ଡ୍ରୋନ୍ ମାଡ଼ କରସାରିଛି । ଏଥିରେ ଇସ୍ରାଏଲର ୨୪ ଜଣ ନାଗରିକ ପ୍ରାଣ ହରାଇଛନ୍ତି । ଇରାନର ୩ଟି ପରମାଣୁ କେନ୍ଦ୍ରକୁ ଆମେରିକା ବୋମା ପକାଇ ଉଡ଼ାଇ ଦେବା ପରେ ପୃଥିବୀର ବିଭିନ୍ନ ଦେଶ ଚିନ୍ତା ପ୍ରକଟ କରିଛନ୍ତି । ତୁରନ୍ତ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ପାଇଁ ସେମାନେ ଇରାନ ସହିତ ଇସ୍ରାଏଲକୁ ପରାମର୍ଶ ଦେଇଛନ୍ତି । ତା\’ସହିତ ରୁଷ ଓ ତୁର୍କୀ ଭଳି ଦେଶ ଆମେରିକାର ଏଭଳି କାର୍ଯ୍ୟକୁ ସମାଲୋଚନା କରିଛନ୍ତି । ଏମିତିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପକୁ ନୋବେଲ ଶାନ୍ତି ପୁରସ୍କାର ଦେବାକୁ ସୁପାରିସ କରିଥିବା ପାକିସ୍ତାନ ମଧ୍ୟ ଆମେରିକାର ଏହି କାର୍ଯ୍ୟକୁ ନାପସନ୍ଦ କରିଛି । ଆମେରିକାକୁ ଚୀନ ବି ସମାଲୋଚନା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟନଙ୍କ ସହିତ ଫୋନରେ କଥା ହେବା ସହିତ ମଧ୍ୟ ପ୍ରାଚ୍ୟର ସ୍ଥିତି ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଏହା ସହିତ ଉତ୍ତେଜନା ହ୍ରାସ କରି ଶାନ୍ତି ପ୍ରତିଷ୍ଠା ନିମନ୍ତେ ଆଲୋଚନା ଓ କୂଟନୈତିକ ମାର୍ଗରେ ଯିବାକୁ ପରାମର୍ଶ ଦେଇଛନ୍ତି । ସୂଚନା ଅନୁଯାୟୀ, ଆମେରିକାର ଆକ୍ରମଣ ପରେ ଇରାନ ରାଷ୍ଟ୍ରପତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ କରି ପରିସ୍ଥିତି ସଂପର୍କରେ ଅବଗତ କରାଇବା ସହିତ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା କରିଥିଲେ । ଯୁଦ୍ଧରୁ ବିରତ ରହିବା ପାଇଁ ଆମେରିକା, ଇସ୍ରାଏଲ ଓ ଇରାନକୁ ଅନୁରୋଧ କରିଛି ଫ୍ରାନ୍ସୟ ସବୁ ପକ୍ଷ କୂଟନୈତିକ ସ୍ତରରେ ସମସ୍ୟାର ସମାଧାନ କରନ୍ତୁ ବୋଲି ଫ୍ରାନ୍ସ କହିଛି । ସେହିପରି ଅତିଶୀଘ୍ର ଆମେରିକା ଓ ଇସ୍ରାଏଲ ସହିତ ଆଲୋଚନା କରିବାକୁ ଇରାନକୁ ପରାମର୍ଶ ଦେଇଛି ଜର୍ମାନୀ । ଇଜିପ୍ଟ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କଲା ବେଳେ
ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟନ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ଉତ୍ତେଜନା ହ୍ରାସ କରିବାକୁ ଇରାନ ପ୍ରାୟସ କରିଥିଲା । କିନ୍ତୁ ଇସ୍ରାଏଲ ଆକ୍ରମଣ କରିବା ପରେ ଆମେ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେଉଛୁ । ଇରାନ ଏହି ଲଢେଇ ଆରମ୍ଭ କରି ନଥିଲା କି ଏହାକୁ ବଢାଇବାକୁ ଚାହୁଁନାହିଁ । କିନ୍ତୁ ଇସ୍ରାଏଲର ଆକ୍ରମଣ ଜାରି ରହିଲେ ଇରାନ ଜବାବ ଦେବ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ସୋମବାର ଇରାନ ବୈଦେଶିକ ମନ୍ତ୍ରୀ ରୁଷ ଗସ୍ତରେ ଯାଇ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଇତି ମଧ୍ୟରେ ରୁଷ ବୈଦେଶିକ ମନ୍ତ୍ରୀ କହିଛନ୍ତି ଯେ ଇରାନର ପରମାଣୁ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ସଂପୂର୍ଣ୍ଣ ଦାୟିତ୍ୱହୀନ ନିଷ୍ପତ୍ତି । ଏହା ଅନ୍ତର୍ଜାତୀୟ ଆଇନକୁ ବି ଉଲ୍ଲଂଘନ କରିଛି ।

Comments (0)
Add Comment