ଟାଙ୍ଗୀ : ତୁରନ୍ତ ଦୁଃଖ ବୁଝିଲେ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର । ଦୁଇ ଘଣ୍ଟା ମଧ୍ୟରେ ଅସହାୟ ଅବସ୍ଥାରେ ପରିତ୍ୟକ୍ତ ଘରେ ପଡିଥିବା ରୋଗୀଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଲେ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅଧୀନସ୍ଥ ହାଟ ବରଡି ଗ୍ରାମର ଗୁରୁ ବେହେରା ଗୁରୁତର ରୋଗରେ ପୀଡିତ ହୋଇ କୁହୁଡ଼ି ରେଳ ଷ୍ଟେସନ ନିକଟରେ ଥିବା ପରିତ୍ୟକ୍ତ ଗୃହରେ ଦୁଇପୁଅ, ଗୋଟିଏ ଝିଅ ଓ ସ୍ତ୍ରୀଙ୍କୁ ନେଇ ଦୟନୀୟ ଅବସ୍ଥାରେ ଦୀର୍ଘ ଦିନ ଧରି ପଡି ରହିଥିଲେ । ଏ ସମ୍ପର୍କରେ ଖବର ପାଇବା ପରେ ନବନିଯୁକ୍ତ ଖୋର୍ଦ୍ଧା ଜିଲ୍ଲାପାଳ ସଙ୍ଗେ ସଙ୍ଗେ ରୋଗୀଙ୍କୁ ଚିକିତ୍ସା ସହାୟତା ଯୋଗାଇଦେବାକୁ ଚିଲିକା ବ୍ଲକ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ଚିଲିକା ତହସିଲଦାର ପୁନମ୍ ମହାପାତ୍ର ପହଂଚି ରୋଗୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଗତ ରାତି ୭ଟା ସମୟରେ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ । ଏହାପରେ ଚିଲିକା ବିଡ଼ିଓଙ୍କ ସୁଷମା ବାରିକଙ୍କ ନିର୍ଦେଶ ମୁତାବକ ବ୍ଲକ୍ ପ୍ରଶାସନ ପକ୍ଷରୁ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟର ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଫିସର ଜି.ସାଗର ଅର୍ଜୁନ ପାତ୍ର, ବାଲୁଗାଁ ମେଡିକାଲ ଅଫିସର ସୌମ୍ୟକାନ୍ତ ଦାସପଟ୍ଟନାୟକଙ୍କ ନିର୍ଦେଶରେ ଜରିପଡା ମେଡିକାଲ ହେଲଥ ସୁପରଭାଇଜର ସୁଶାନ୍ତ କୁମାର ରାଉତରାୟ, ଜରିପଡା ଅତିରିକ୍ତ ରାଜସ୍ବ ନିରୀକ୍ଷକ କୈଳାସ ଚନ୍ଦ୍ର ବେହେରା ଓ ସ୍ଥାନୀୟ ସରପଞ୍ଚ ପ୍ରତିନିଧି ଗୁରୁ ବେହେରାଙ୍କ ନିକଟରେ ପହଞ୍ଚି ଉନ୍ନତ ଚିକିତ୍ସା ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ୧୦୮ ଆମ୍ବୁଲାନ୍ସ ଜରିଆରେ ପଠାଇଥିଲେ । ସ୍ଥାନୀୟ ଜନସାଧାରଣ ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ଏବଂ ଏହି ମାନବ ସେବା ମାଧବ ସେବା ମନୋବୃତି ରଖି ସହଯୋଗ କରିଥିବା ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ସ୍ଥାନୀୟ ଅଧିବାସୀ ସାଧୁବାଦ ଜଣାଇଛନ୍ତି ।