୩୦ରୁ \”ୱିମେନ୍ସ ବିଜନେସ୍ ମେଳା ୨.୦\’: ୨୦୦ରୁ ଅଧିକ ମହିଳାଙ୍କ ଷ୍ଟଲ

ଭୁବନେଶ୍ୱର,: ଚଳିତ ମାସ ୩୦ରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ୱିମେନ୍ସ ବିଜିନେସ୍ ମେଳା ୨.୦ ଆରମ୍ଭ ହେବ । ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ ନ୍ୟାସନାଲ୍‌ ୱିମେନ୍ସ ଏଣ୍ଟର୍ପ୍ରିନ୍ୟୁରସିପ୍ କାଉନ୍ସିଲ୍‌ (ଆଇଏନଡବ୍ଲ୍ୟୁଇସି) ପକ୍ଷରୁ ଆୟୋଜନ କରାଯାଉଥିବା ଏହି ମେଳା ପାଞ୍ଚ ଦିନ ଧରି ମେ\’ ୪ ପର୍ଯ୍ୟନ୍ତ ଚାଲିବ । ଏଥିରେ ୨୩୦ରୁ ଅଧିକ ଷ୍ଟଲ୍ ସ୍ଥାପନ କରାଯିବ । ଜନଜାତି ଉଦ୍ୟୋଗୀ, ଏସ୍‌ଏଚ୍‌ଜି ଗ୍ରୁପ୍ ଏବଂ ଶିଶୁ ଉଦ୍ୟୋଗୀଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ଷ୍ଟଲ୍‌ ଦିଆଯିବ । ଜିଲ୍ଲା, ରାଜ୍ୟ ଓ ଜାତୀୟସ୍ତରରୁ ଏଥିରେ ମହିଳା ଉଦ୍ୟୋଗୀମାନେ ଭାଗ ନେବେ । ୨୦୨୨ରେ ଏହି ମେଳାର ପ୍ରଥମ ସଂସ୍କରଣ ଆୟୋଜନ କରାଯାଇଥିଲା । ଆଇଏନଡ଼ବ୍ଲ୍ୟୁଇସି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ଯେ ମେଳାର ଦ୍ୱିତୀୟ ସଂସ୍କରଣ ମହିଳା ଉଦ୍ୟୋଗୀମାନଙ୍କ ବର୍ଦ୍ଧିତ ଗୁରୁତ୍ୱକୁ ଉପସ୍ଥାପିତ କରିବ । ଏହା ଏକ ସମ୍ପୂର୍ଣ୍ଣ ଭିନ୍ନ ଅନୁଭୂତି ପ୍ରଦାନ କରିବ । ସୁସ୍ମିତା ସେନ୍‌, ଜାୟେଦ୍ ଖାନ୍‌, ପ୍ରକୃତି ମିଶ୍ର, ଶୋଭା ଦେ ଓ ପ୍ରହଲ୍ଲାଦ କକରଙ୍କ ଭଳି ବଲିଉଡ୍ ସେଲିବ୍ରିଟି ଏଥିରେ ସାମିଲ ହେବେ । ପ୍ରତିଦିନ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିରେ ଏକ ଖାଦ୍ୟ ଉତ୍ସବ ଆୟୋଜନ କରାଯିବ, ଯେଉଁଥିରେ ୩୮ଟି ଷ୍ଟଲ୍ ରହିବ । ଏହା ବ୍ୟତୀତ ଏକ ଅଟୋମୋବାଇଲ୍ ଜୋନ୍‌ ରହିବ, ଯେଉଁଥିରେ ପ୍ରତିଷ୍ଠିତ ବ୍ରାଣ୍ଡଗୁଡ଼ିକର ଗାଡ଼ି ପ୍ରଦର୍ଶିତ ହେବ । ଏହି ମେଳାରେ ସାମିଲ ହେବାକୁ ଥିବା ମହିଳାମାନଙ୍କୁ ବ୍ୟବସାୟର ମନ୍ତ୍ର ପ୍ରଦାନ କରାଯିବ । ସେମିନାର ଆୟୋଜନ କରାଯିବ । ରାଜ୍ୟର ସବୁ ମହିଳାଙ୍କୁ ସଶକ୍ତ କରିବା ସହ ସେମାନଙ୍କ ପାଇଁ ଏହା ସହଯୋଗର ସେତୁ ହେବ । ସବୁ ଷ୍ଟଲ୍‌ର ବ୍ରାଣ୍ଡିଂ କରାଯିବ ଏବଂ ଷ୍ଟଲ୍ ବିଷୟରେ ସବିଶେଷ ତଥ୍ୟ ରହିବ । ଏହି ମେଳା ମହିଳାମାନଙ୍କୁ ବ୍ରାଣ୍ଡ୍ ଶୁଭାରମ୍ଭ, ବଜାର ସଂଯୋଗ, ଗ୍ରାହକ ସମ୍ପର୍କ, ଷ୍ଟାର୍ଟଅପ୍ ଏବଂ ଏମ୍‌ଏସ୍‌ଏମ୍‌ଇଗୁଡ଼ିକୁ ଉନ୍ନତି ପାଇଁ ଆବଶ୍ୟକ ଯୋଜନା ସମ୍ପର୍କରେ ଅବଗତ କରିବ । ଏଥିରେ ଫ୍ୟାସନ୍‌, ସ୍ୱାସ୍ଥ୍ୟ, ଖାଦ୍ୟ, କୃଷି, ପ୍ରଯୁକ୍ତିବିଦ୍ୟା, ଶିକ୍ଷା, ଅର୍ଥନୀତି, ରିଅଲ୍‌ ଇଷ୍ଟେଟ୍ ଓ ଅଟୋମୋବାଇଲ୍ ଶିଳ୍ପର ପ୍ରତିନିଧି ରହିବ । ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ସ୍ୱତନ୍ତ୍ର ସଚିବ ଶୁଭେନ୍ଦ୍ର କୁମାର ନାୟକ, ଆଇସିସି ଓଡ଼ିଶା ଶାଖାର ଅଧ୍ୟକ୍ଷ ରାଜୀବ ସାହୁ, ଉପାଧ୍ୟକ୍ଷ ନୀଳାଞ୍ଜନା ମୁଖାର୍ଜୀ, ଆଇଏନଡ଼ବ୍ଲ୍ୟୁଇସି ଆବାହକ ପ୍ରୀତି ପଲ୍ଲବୀ ପଟ୍ଟନାୟକ, ସହ ଆବାହକ ସ୍ୱାତୀ କେଜ୍ରିୱାଲ, ସୁମାଦେବୀ ଦାଶ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Comments (0)
Add Comment