୨୩ ତାରିଖ ସକାଳ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ଭୀଷଣ ବର୍ଷା

ଭୁବନେଶ୍ୱର, : ରାଜ୍ୟରେ ତାତି କମାଇବ କାଳବୈଶାଖୀ ବର୍ଷା । ଆଜି ଠାରୁ ଆସନ୍ତା ୨୩ ତାରିଖ ସକାଳ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସାଙ୍ଗକୁ ଭୀଷଣ ବର୍ଷା, ପବନ ଓ କୁଆପଥର ବର୍ଷା ନେଇ ପାଣିପାଗ ବିଭାଗ
ପକ୍ଷରୁ ଚେତାବନୀ ଜାରି ହୋଇଛି । ସେହିପରି ୨୩ ଓ ୨୪ ତାରିଖରେ ରାଜ୍ୟର କେତେକ ସ୍ଥାନରେ କୋହଲା ପବନ ସାଙ୍ଗକୁ ବଜ୍ରପାତ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ଏନେଇ ଆସନ୍ତା ୨୪ ଘଂଟା ପାଇଁ ୯ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଦେବଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲା କେନ୍ଦ୍ରାପଡ଼ା, ଯାଜପୁର, ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, ସୋନପୁର, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁରକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କିଛି ସ୍ଥାନରେ କୋହଲା ପବନ ସାଙ୍ଗକୁ ବଜ୍ରପାତ ଓ କୁଆପଥର ବୃଷ୍ଟି ହୋଇପାରେ । ଏହି ସମୟରେ ସେଠାରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ । ଭୀଷଣ ବର୍ଷା ନେଇ ୩ ଜିଲ୍ଲା ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ାକୁ ଚେତାବନୀ ରହିଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ କୋହଲା ପବନ ସାଙ୍ଗକୁ ବଜ୍ରପାତ ହୋଇପାରେ । ଏହି ସମୟରେ ସେଠାରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦
କି.ମି. ରହିପାରେ ।ସେହିପରି ୨୨ ତାରିଖ ପାଇଁ ୧୨ ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢ଼େଙ୍କାନାଳ, କେନ୍ଦୁଝର, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି
ହୋଇଥିବା ବେଳେ ଅନ୍ୟ ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୀଷଣ ବର୍ଷା ନେଇ ୪ ଜିଲ୍ଲା ମୟୂରଭଞ୍ଜ,
ବାଲେଶ୍ୱର, ଭଦ୍ରକ, କେନ୍ଦୁଝରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହି ସମୟରେ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ରହିପାରେ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ କେତେକ ସ୍ଥାନରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ରହିପାରେ । କୋହଲା ପବନ ସାଙ୍ଗକୁ ବଜ୍ରପାତ ନେଇ ୨୩ ତାରିଖ ପାଇଁ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କନ୍ଧମାଳ ଏବଂ କଳାହାଣ୍ଡି । କୋହଲା ପବନ ସାଙ୍ଗକୁ ବଜ୍ରପାତ ନେଇ ୨୪ ତାରିଖ ପାଇଁ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସେହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି । ସେହିପରି କାଳବୈଶାଖୀ ଜନିତ କ୍ଷୟକ୍ଷତିର ସ୍ଥିତି ସମୀକ୍ଷା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ମୟୂରଭଂଜ ଜିଲ୍ଲା ଗସ୍ତରେ ଯିବେ । ଏନେଇ ମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି ଆଜି ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି, ବିଷୋୟୀ, କୁଳିଅଣା ଆଦି ବ୍ଲକରେ କାଳବୈଶାଖୀ ଯୋଗୁ ପ୍ରବଳ ବର୍ଷା, ପବନ ସାଙ୍ଗକୁ କୁଆପଥର ମାଡ଼ରେ ଅନେକ ଚାଳ ଛପର ଟିଣ ଓ ଘରର ଛାତ ଉଡ଼ି ଯିବା ସହ ବହୁ
ବଡ଼ ବଡ଼ ଗଛର ଡାଳ ଭାଙ୍ଗି ଯିବା ଯୋଗୁ ଯାତାୟାତ ଓ ବିଦ୍ୟୁତ ସରବରାହରେ ବାଧାପ୍ରାପ୍ତ ସହ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏବାବଦରେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟିକା ସୁଶ୍ରୀ ସଞ୍ଜଳି ମୁର୍ମୁ , ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ, ବାରିପଦା ବିଧାୟକ ପ୍ରକାଶ ସୋରେନ ଏବଂ ଜିଲ୍ଲାର
ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲି । କାଳବୈଶାଖୀ ପରବର୍ତୀ ସ୍ଥିତି କିଭଳି ସ୍ୱାଭାବିକ ହେବ ଓ କ୍ଷତିଗ୍ରସ୍ତ ଜନସାଧାରଣଙ୍କୁ କିପରି ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ ଏନେଇ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ ଚିକିତ୍ସା ଅଧିକାରୀ ଓ ଅନ୍ୟ ଅଧିକାରୀ ମାନଙ୍କୁ ରିଲିଫ, କ୍ଷୟକ୍ଷତି ର ନିଖୁଣ ଆକଳନ, ଆହତ ମାନଙ୍କ ଚିକିତ୍ସା ବାବଦରେ ପରାମର୍ଶ ଦେବାସହ ଆସନ୍ତାକାଲି ସ୍ଥିତିର ସମୀକ୍ଷା ପାଇଁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଉଛି ।

Comments (0)
Add Comment