୧୮ରୁ ଯୁକ୍ତ୨ ପରୀକ୍ଷା

ଭୁବନେଶ୍ୱର, : ଯୁକ୍ତ ଦୁଇ ଥିଓରୀ ପରୀକ୍ଷା-୨୦୨୫ ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ଆସନ୍ତା ୧୮ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୩୦ଟି ଜିଲ୍ଲାର ୧୨୭୬ ସେଣ୍ଟରରେ ୩,୯୩,୬୧୮ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ସବୁ ସେଣ୍ଟରରେ ସିସିଟିଭି ବ୍ୟବସ୍ଥା ହୋଇଛି । ପରୀକ୍ଷାରେ ତ୍ରୁଟି ଶୂନ୍ୟ ପାଇଁ ବ୍ୟବସ୍ଥା କରାଯାଇଛି । ଯୁକ୍ତ ୨ ପରୀକ୍ଷା ସରିବାର ୪୫ ଦିନ ପରେ ରେଜଲ୍ଟ ପ୍ରକାଶ ପାଇବ । ଯେଉଁ ନିୟମ ରହିଛି ସେହି ଅନୁସାରେ ରେଜଲ୍ଟ ବାହାରିବ ବୋଲି ସିଏଚ୍‌ଏସ୍‌ଇ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି । ସିଏଚ୍‌ଏସ୍‌ଇ ପକ୍ଷରୁ କୁହାଯାଇଛି ଯେ, ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ମୋଟ୍ ୩,୯୩,୬୧୮ ଜଣ
ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ରାଜ୍ୟର ୧୨୭୬ଟି କେନ୍ଦ୍ରରେ ଏହି ପରୀକ୍ଷା ପୂର୍ବାହ୍ଣ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ପରୀକ୍ଷାରେ କପି ରୋକିବାକୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ର ସିସିଟିଭି ସର୍ଭିଲାନ୍ସରେ ରହିବ । ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଯାଇଥିବାରୁ ପରୀକ୍ଷା କେନ୍ଦ୍ରଗୁଡ଼ିକରେ ପାନୀୟ ଜଳର ବ୍ୟବସ୍ଥା କରାଯିବ । ଫେବ୍ରୁଆରୀ ୧୮ରୁ ଆରମ୍ଭ ହେବାକୁଥିବା ଯୁକ୍ତ୨ ଥିଓରି ପରୀକ୍ଷା ପାଇଁ ଚଳିତବର୍ଷ ଦୁଇଟି ପର୍ଯ୍ୟାୟରେ ପ୍ରଶ୍ନପତ୍ର ଓ ଉତ୍ତରଖାତାଗୁଡ଼ିକ ପରୀକ୍ଷା ପରିଚାଳନା ହବ୍‌ (ଇଏମ୍‌ଏଚ୍‌)କୁ ପଠାଯିବ । ପରୀକ୍ଷା ହବଗୁଡ଼ିକର ସୁରକ୍ଷା ସହ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ହବ୍‌ ସୁପରଭାଇଜରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥରକ ହବ୍ ସଂଖ୍ୟା ୨୦୫କୁ ବୃଦ୍ଧି ହୋଇଛି । ସେଥିମଧ୍ୟରୁ ୨୦୪ଟି ଯୁକ୍ତ୨ କଲେଜ ତଥା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସ୍ୱୟଂଶାସିତ କଲେଜ, ବିଶ୍ୱବିଦ୍ୟାଳୟରେ ହୋଇଥିବା ବେଳେ ଗୋଟିଏ ସବ୍‌ଟ୍ରେଜେରିକୁ ହବ୍ ଭାବେ ଚିହ୍ନଟ କରାଯାଇଛି । ପ୍ରଶ୍ନପତ୍ର ଓ ଉତ୍ତର ଖାତା ପ୍ୟାକେଟ୍ ଗ୍ରହଣ ଓ ତାହାକୁ ପରୀକ୍ଷା କେନ୍ଦ୍ରକୁ ପଠାଇବା ଏବଂ ପରୀକ୍ଷା କେନ୍ଦ୍ରର ତଦାରଖ ଦିଗରେ
ଇଏମ୍‌ଏଚଗୁଡ଼ିକ କାର୍ଯ୍ୟ କରିବ ।

Comments (0)
Add Comment