ସମ୍ବଲପୁର,: ସମ୍ବଲପୁର ପୋଲିସ ଦ୍ୱାରା ଜଣେ ଦୁର୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ଆଜି ସକାଳ ପ୍ରାୟ ୫.୪୫ ମିନିଟ ସମୟରେ ସମ୍ବଲପୁର ଅଇଁଠାପାଲି ପୋଲିସ ମହେଶ କୁମାର ନାମକ ଜଣେ ଅପରାଧୀଙ୍କୁ ଏନକାଉଣ୍ଟର କରିଛି । ମହେଶ ଗତକାଲି ଟାଙ୍ଗରପାଲିରେ ଜଣେ ବ୍ୟକ୍ତିଙ୍କ ଠାରୁ ୪୫ ହଜାର ଟଙ୍କା ବନ୍ଧୁକ ଦେଖାଇ ଲୁଟ କରିଥିବା ଅଭିଯୋଗ ହୋଇଥିଲା । ତେବେ ଲୁଟର ଶିକାର ହୋଇଥିବା ବ୍ୟକ୍ତି ଅକ୍ଷୟ କୁମ୍ଭାର ଏନେଇ ଅଇଁଠାପାଲି ଥାନାରେ ଅଭିଯୋଗ କରିଥିଲେ । ପୋଲିସ ବିଭିନ୍ନ ସୂତ୍ରରୁ ଖବର ଲଗାଇ ଜାଣିଥିଲେ ଯେ ଏହି ଲୁଟ ମହେଶ କରିଛି ବୋଲି । ସମ୍ବଲପୁର ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି ଯେ ଆଜି ମହେଶ ଜମାଦାରପାଲି ଏୟାର ଷ୍ଟ୍ରିପ୍ ରୋଡ଼ ଅଞ୍ଚଳରେ ଥିବାର ସୂଚନା ପାଇ ପୋଲିସ ପହଞ୍ଚିବା ବେଳେ ପୋଲିସକୁ ଦେଖି ଅଭିଯୁକ୍ତ ପଳାଉ ଥିବା ବେଳେ ତା ବାଇକଟି ସ୍ଲିପ
ହୋଇ ଯାଇଥିଲା । ଯାହାଫଳରେ ମହେଶ ଗାଡି ଛାଡି ଦୌଡ଼ି ପଳାଉ ଥିବା ବେଳେ ପୋଲିସ ତାର ପିଛା କରିବା ସମୟରେ ସେ ପୋଲିସ ଉପରକୁ ପ୍ରଥମେ ୨ ରାଉଣ୍ଡ ଗୁଳି ଚଳାଇଥିଲା । ଏହାର ଜବାବରେ ପୋଲିସ ଆତ୍ମରକ୍ଷା ପାଇଁ ମହେଶ ଉପରକୁ ଗୁଳି ଚଳାଇଥିଲା । ଏହା ଫଳରେ ମହେଶର ବାମ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲା । ମହେଶକୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ତୁରନ୍ତ ବୁର୍ଲା ମେଡିକାଲକୁ ଚିକିତ୍ସା ପାଇଁ ପଠା ଯାଇଥିଲା । ମହେଶ ବରଗଡ଼ ସହର ରେଳ ଷ୍ଟେସନ ଅଞ୍ଚଳର ବୋଲି ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ସୂଚନା ଦେଇଛନ୍ତି । ମହେଶ ନାମରେ ବରଗଡ଼, ଟିଟିଲାଗଡ଼, ବଲାଙ୍ଗୀର ଓ ସମ୍ବଲପୁରରେ ପ୍ରାୟ ୨୪ଟା ମାମଲା ରହିଥିବା ଅତିରିକ୍ତ ଏସପି ସୂଚନା ଦେଇଛନ୍ତି ।