ଶ୍ରୀମନ୍ଦିରର ଭିତର ଫଟୋ ଭାଇରାଲ ଘଟଣା ପୋଷ୍ଟର ମାରି ଚେତାଇଲା ପୋଲିସ

ପୁରୀ,: ଶ୍ରୀମନ୍ଦିରର ଭିତରଫଟୋ ଏବଂ ଭିଡିଓ ଭାଇରାଲ୍‌ ଘଟଣାରେ ବିଭିନ୍ନ ମହଲରୁ ତୀବ୍ର ସମାଲୋଚନାର ଶରବ୍ୟ ହେବା ପରେ ପୋଲିସର ଚେତା ପଶିଛି । ପୁରୀ ପୋଲିସ୍‌ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଚେତାଇଦେବା ଲାଗି ଶ୍ରୀମନ୍ଦିର ଚାରିପଟେ ପୋଷ୍ଟର ଲଗାଯାଇଛି । ଲାଗିଯାଇଥିବା ପୋଷ୍ଟରରେ ଶ୍ରୀମନ୍ଦିର ପରିସରରେ ମୋବାଇଲ ଫୋନ୍ ନିଷେଧ କରାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କୁ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସେଥିରେ ଉଲ୍ଲେଖ କରାଯାଇଛି
ସୂଚନା ଯୋଗ୍ୟ ଗତ ୧୯ ତାରିଖ ଦିନ ବୃନ୍ଦାବନର ବାଙ୍କେ ବିହାରୀ ଅନନ୍ତ ନାମକ ଜଣେ ବ୍ୟକ୍ତିଙ୍କ ନିଜ ଇନ୍‌ଷ୍ଟାଗ୍ରାମ
ଆକାଉଣ୍ଟରେ ଶ୍ରୀମନ୍ଦିର ବେଢାର ଜଗମୋହନ ଓ ଗରୁଡ଼ ସ୍ତମ୍ଭ ଭିଡ଼ିଓ ଭାଇରାଲ ହୋଇଥିଲା । ବାଙ୍କେ ବିହାରୀ
ପତିତପାବନଙ୍କ ନିକଟରେ ନିଜ ଫଟୋ ସହ ଏକ ଭିଡ଼ିଓ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ପୋଷ୍ଟ କରିଥିବା ମଧ୍ୟ
ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ଫଟୋ ଭାଇରାଲ ହେବା ପରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାକୁ
ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ଭିତରକୁ ମୋବାଇଲ ବାରଣ କରାଯାଇଥିବା ବେଳେ ଶ୍ରୀମନ୍ଦିର ଚାରି
ଦ୍ୱାରରେ ମାଳମାଳ ପୋଲିସ ଅଧିକାରୀ ଓ କର୍ମଚାରୀ ୨୪ ଘଣ୍ଟିଆ ଡ୍ୟୁଟି କରୁଛନ୍ତି । ଏହା ସତ୍ତ୍ୱେ ଶ୍ରୀମନ୍ଦିର  ଭିତରକୁ କିପରି ମୋବାଇଲ ଯାଉଛି ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହେବା ଘଟଣା ଏବେ ଦେହସୁହା ହୋଇଗଲାଣି ବୋଲି ଅନେକ ବୁଦ୍ଧଜୀବୀ ମତବ୍ୟକ୍ତ କରିଥିଲେ । କାରଣ ଶ୍ରୀମନ୍ଦିର ଭିତର ଫଟୋ ଭାଇରଲ ହେବା ଘଟଣା କିଛି ନୂଆ କଥା ନୁହେଁ । ଗତ ଜୁଲାଇ ୧୭ ତାରିଖରେ ରାଜ ଶେଖର ନାମକ ଜଣେ ଯୁବକ ନିଜ ଫେସବୁକରେ ଶ୍ରୀମନ୍ଦିର ଭିତର ବେଢାରୁ ନିଜ ସେଲ୍ଫିର ଫଟୋ ଅପଲୋଡ କରିଥିଲେ । ସେହିପରି ଗତ ଜୁଲାଇ ପ୍ରଥମ ସପ୍ତାହରେ ମଧ୍ୟ ସୋସିଆଲ ମିଡିଆରେ ଭିତର ବେଢାର ଫଟୋ ଭାଇରାଲ ହୋଇଥିଲା । ଇନ୍‌ଷ୍ଟାଗ୍ରାମରେ ନିଖିଲ ଗିରି ନାମକ ଜଣେ ଯୁବକ ଶ୍ରୀମନ୍ଦିର ଭିତର ଫଟୋ
ଉଠାଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅପ୍‌ଲୋଡ କରିଥିଲେ । ଶ୍ରୀମନ୍ଦିର ଆନନ୍ଦ ବଜାରର ପ୍ରବେଶ ପଥରେ ଏହି
ଫଟୋ ଉତ୍ତୋଳନ କରାଯାଇଥିବା ଜଣାପଡିଥିଲା । ଗତ ଜୁନ ୩ ତାରିଖରେ ଦୁଇ ଜଣ ବ୍ୟକ୍ତି ଶ୍ରୀମନ୍ଦିର ଭିତର
ବେଢା଼ରେ ଉଠାଇଥିବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ପୂର୍ବରୁ ଅନେକ ଥର ମଧ୍ୟ ଶ୍ରୀମନ୍ଦିର ଭିତରର ଫଟୋ ଭାଇରାଲ୍ ହେବାର ନଜିର ଥିଲେ ମଧ୍ୟ ପୋଲିସ ପକ୍ଷରୁ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଅଭିଯୋଗ ହୋଇଛି ।

Comments (0)
Add Comment