ଶିଳ୍ପାୟନର ତଦାରଖ କରିବ ଟାସ୍କଫୋର୍ସ: ପ୍ରକଳ୍ପ ଅଗ୍ରଗତି ଉପରେ ରଖିବ ନଜର

ଭୁବନେଶ୍ୱର,: ରାଜ୍ୟରେ ଶିଳ୍ପାୟନକୁ ଗତି ଦେବା ଲାଗି ଏକ ୧୭ ଜଣିଆ ଉଚ୍ଚ କ୍ଷମତା ସମ୍ପନ୍ନ ଟାସ୍କଫୋର୍ସ ଗଠନ କରାଯାଇଛି । ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟାସ୍କଫୋର୍ସର ଲକ୍ଷ୍ୟ ହେଉଛି ରାଜ୍ୟକୁ ଆସୁଥିବା ନିବେଶ ପ୍ରସ୍ତାବଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ପର୍ଯ୍ୟନ୍ତ ସହାୟତା କରିବା । ଏକ ପ୍ରସ୍ତାବକୁ କାରଖାନାରେ ପରିଣତ କରିବା ପର୍ଯ୍ୟନ୍ତ ଆବଶ୍ୟକ ହେଉଥିବା ସହଯୋଗ ଯୋଗାଇ ଦେବା । ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ଯେଉଁ ସମସ୍ୟା ରହିଛି ତାହାକୁ ଦୂର କରିବା । ଶିଳ୍ପ ପ୍ରକଳ୍ପଗୁଡ଼ିକ ଯେଭଳି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ, ସେଥିପାଇଁ ଟାସ୍କଫୋର୍ସରେ ବିଭିନ୍ନ ବିଭାଗର ସଦସ୍ୟ ରହିବେ । ବିଶେଷ କରି ପ୍ରକଳ୍ପ ପାଇଁ ରହିଥିବା ସମସ୍ୟାଗୁଡ଼ିକୁ ଦୂର କରିବା ଲାଗି ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟରେ ଉନ୍ନତି ଆଣିବା ଉପରେ ଟାସ୍କଫୋର୍ସ ଧ୍ୟାନ ଦେବ । ସୂଚନା ଅନୁସାରେ ପ୍ରକଳ୍ପ ନିରୀକ୍ଷଣ ଦଳ ପିଏମ୍‌ଜି) ଓ ପ୍ରଗତି ଅଭିଯାନ ଅଧୀନରେ ଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକୁ ମଧ୍ୟ ଟାସ୍କଫୋର୍ସ ଅନୁଧ୍ୟାନ କରିବ । ରାଜ୍ୟକୁ ଆସିଥିବା ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ତ୍ୱରାନ୍ୱିତ କରିବା ଲାଗି ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ହୋଇଥିବା ଉତ୍କର୍ଷ ଓଡ଼ିଶା ମେକ୍‌ ଇନ୍ ଓଡ଼ିଶା କନକ୍ଲେଭରେ ରାଜ୍ୟ ସରକାର ପ୍ରାୟ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ହାସଲ କରିଥିଲେ । ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ନିବେଶକ ସମ୍ମିଳନୀରେ ୧.୦୩ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିଲା । ରାଜ୍ୟ ସରକାରଙ୍କ ସିଙ୍ଗଲ ୱିଣ୍ଡୋ ବ୍ୟବସ୍ଥା ଓ ଉଚ୍ଚସ୍ତରୀୟ ମଞ୍ଜୁର କର୍ତ୍ତୃପକ୍ଷ (ଏଚ୍‌ଏଲସିଏ) ବେଠକରେ ନିୟମିତ ବ୍ୟବଧାନରେ ବିଭିନ୍ନ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁର କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ କରିବା ଲାଗି କାର୍ଯ୍ୟ କରୁଥିବା ବେଳେ ଶିଳ୍ପାୟନ ତାହାର ଏକ ପ୍ରମୁଖ ଅଂଶ ହୋଇ ରହିଛି । ରାଜ୍ୟର ପ୍ରତି ଜିଲ୍ଲାରେ ଶିଳ୍ପ ସ୍ଥାପନ କରାଯିବ ବୋଲି ସେ ବାରମ୍ବାର କହୁଛନ୍ତି । ପାରମ୍ପରିକ ଖଣିଜ ଓ ଧାତବ କ୍ଷେତ୍ରରେ ରାଜ୍ୟ ସରକାର ନିବେଶ ପ୍ରସ୍ତାବ ହାସଲ କରୁଥିବା ବେଳେ ଏବେ ରସାୟନ, ଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ସୂଚନ ପ୍ରଯୁକ୍ତି, ସେମିକଣ୍ଡକ୍ଟର ଓ ଅକ୍ଷୟ ଶକ୍ତି ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯାଉଛି । ରାଜ୍ୟକୁ ଟ୍ରୋକେମିକାଲ୍ସର ଏକ ହବ୍‌ରେ ପରିଣତ କରିବାକୁ ସରକାର ଯୋଜନା ରଖିଛନ୍ତି । ଶିଳ୍ପ ପ୍ରକଳ୍ପଗୁଡ଼ିକୁ ଅନୁକୂଳ ପରିବେଶ ଓ ଭିତ୍ତିଭୂମି ପ୍ରଦାନ କରିବା ଲାଗି ବିଭିନ୍ନ ସ୍ଥାନରେ ଶିଳ୍ପ କରିଡର ମଧ୍ୟ ବିକାଶ କରାଯାଉଛି ।

Comments (0)
Add Comment