ଭୁବନେଶ୍ୱର, : ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଅସୁସ୍ଥ ଥିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ହାଇଦ୍ରାବାଦ୍ ସ୍ଥାନାନ୍ତରିତ କରାଯାଇଛି । ଶ୍ରୀ ହରିଚନ୍ଦନଙ୍କୁ ଏୟାରଲିଫ୍ଟ କରାଯାଇଛି । ହାଇଦ୍ରାବାଦରେ ପହଞ୍ଚିଲା ପରେ ତାଙ୍କୁ ସେଠାରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯିବ । ଶ୍ରୀ ହରିଚନ୍ଦନଙ୍କ ଅସୁସ୍ଥତା ନେଇ ତାଙ୍କର ପୁଅ ପୃଥ୍ୱୀରାଜ ହରିଚନ୍ଦନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଓଡ଼ିଶାର ବରିଷ୍ଠ ରାଜନେତା ତଥା ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ପୂର୍ବତନ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ କିଛି ଦିନ ହେଲା ଅସୁସ୍ଥ ଅଛନ୍ତି । ବୟସାଧିକ କାରଣରୁ ବିଶ୍ୱଭୂଷଣଙ୍କ ବିଭିନ୍ନ ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖାଦେଇଛି । ତେଣୁ ତାଙ୍କୁ ପରିବାର ପକ୍ଷରୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଥିବାରୁ ଡକ୍ତରୀ ଟିମ୍ ହାଇଦ୍ରାବାଦ୍ ସ୍ଥାନାନ୍ତରିତ କରିଛନ୍ତି । ସୂଚନାଯୋଗ୍ୟ, ଶ୍ରୀ ହରିଚନ୍ଦନ ଗତବର୍ଷ ସେପ୍ଟେମ୍ବର ମାସରେ ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ହସ୍ପିଟାଲରେ ଭେଟି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ
୨୦୧୯ ମସିହାରେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ରୂପେ ନିଯୁକ୍ତ ହୋଇଥିଲେ । ପରେ ଭାରତ ସରକାର ତାଙ୍କୁ ଛତିଶଗଡ଼ର ରାଜ୍ୟପାଳ ଭାବେ ବଦଳି କରିଥିଲେ । ସକ୍ରିୟ ରାଜନୀତିରେ ଥାଇ ସେ ୫ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଓ ରାଜ୍ୟ ସରକାରରେ ମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି