ପରିବା କମିଲା : ଅଟା, ଚିନି, ସୁଜି, ନଡ଼ିଆ ତେଲ ମହଙ୍ଗା

ଭୁବନେଶ୍ୱର,: କିଛି ମାସ ତଳେ ପିଆଜ, ଅଦା, ରସୁଣ ଦର ମହଙ୍ଗା ଥିଲା । ଏବେ ପୂର୍ବ ତୁଳନାରେ ଏସବୁର ଦର କମିଛି । ରସୁଣ କେଜି ୪୦୦ଟଙ୍କାରୁ ଖସି ୧୦୦ଟଙ୍କାରେ ପହଞ୍ଚିଛି । ଅଦା ପୂର୍ବରୁ କେଜି ୨୫୦ଟଙ୍କାରେ ବିକ୍ରି ହେଉଥିଲା । ଏବେ କେଜି ୭୦ଟଙ୍କା । ପିଆଜ ୨୫, ଆଳୁ ୨୦ଟଙ୍କାରେ ବିକ୍ରି ହେଉଛି । ହେଲେ ହାଣ୍ଡିଶାଳରେ ମହଙ୍ଗା ମାଡ଼ର ପ୍ରଭାବ କମିନି । ଏଇଥିପାଇଁ ଯେ ଇତିମଧ୍ୟରେ ଅଟା, ସୁଜି, ମଇଦା, ଚିନି, ଜିରା, ଫୁଟଣ, ନଡ଼ିଆ ତେଲ ଦାମ୍ ହଠାତ୍‌ ବଢ଼ିଯାଇଛି । ଖାଉଟିଙ୍କୁ ଏସବୁ ଢେର୍‌ ବାଧୁଛି । ଦୁଇସପ୍ତାହ ତଳେ ବଜାରରେ ନଡ଼ିଆ ତେଲ ୨୦୦ ଏମ୍‌ଏଲକୁ ଥିଲା ୭୦ଟଙ୍କା । ଏବେ ତାହା ୯୦ଟଙ୍କାକୁ ବଢ଼ିଛି । ଅର୍ଥାତ୍ ଲିଟର ପିଛା ବୃଦ୍ଧି ପାଇଛି ୧୦୦ଟଙ୍କା । ନଡ଼ିଆ ଉତ୍ପାଦନରେ ଓଡ଼ିଶା ଦେଶର ଅନ୍ୟତମ ଅଗ୍ରଣୀ ରାଜ୍ୟ । ଏଣୁ ଏଠାରେ ନଡ଼ିଆ ତେଲ ଦର ମହଙ୍ଗା ହେବା ସ୍ୱାଭାବିକ ଭାବେ ଲୋକଙ୍କୁ ବାଧୁଛି । ସେହିଭଳି ସୋରିଷ ତେଲ ଦାମ୍‌ ଲିଟର ୧୫୫ରୁ ବିକି ୧୬୫ଟଙ୍କା ହୋଇଛି । ରିଫାଇନ୍ ଲିଟର ବି ୧୦ଟଙ୍କା ବି ୧୭୦ଟଙ୍କା ହୋଇଛି । ବଜାରରେ ବିଭିନ୍ନ ମସଲା ଦାମ୍ ଉଚ୍ଚା ରହିଛି । ଜିରା ୧୦୦ଗ୍ରାମକୁ ୪୦ଟଙ୍କା ଥିଲା । ସପ୍ତାହେ ହେଲା ଏହା ୫୦ଟଙ୍କାରେ ବିକ୍ରି ହେଉଛି । ନୂଆ ମାଲ୍‌ରେ ୧୦୦ ଗ୍ରାମ୍ ଦାମ୍ ୭୦ ଟଙ୍କା ହେଲାଣି । ଅର୍ଥାତ୍ ଦୁଇ ଦିନ ପରେ ଖାଉଟି ଜିରା ୧୦୦ ଗ୍ରାମ୍ ଉପରେ ଆହୁରି ୨୦ ଟଙ୍କା ଅଧିକ ଗଣିବେ । ଫୁଟଣ ଦାମ୍‌ ବି ୧୦୦ଗ୍ରାମ୍‌ରେ ୧୦ଟଙ୍କା ବଢ଼ିଯାଇଛି । କେନ୍ଦ୍ର ସରକାର କହୁଛନ୍ତି ଦେଶରେ ଗହମ ଯୋଗାଣରେ ନିଅଣ୍ଟିଆବସ୍ଥା ନାହିଁ । କିନ୍ତୁ ଗହମ ଉତ୍ପାଦିତ ସାମଗ୍ରୀ ଦାମ୍ ହୁହୁ ହୋଇ ବଢ଼ି ଚାଲିଛି । ମାସକ ମଧ୍ୟରେ ଅଟା ୫କେଜି ପ୍ୟାକେଟ୍‌ ଉପରେ ୧୫ରୁ ୨୦ଟଙ୍କା ବଢ଼ିଗଲାଣି । ସୁଜି କେଜି ୬୦ରୁ ୭୦ଟଙ୍କା, ମଇଦା ୫୦ରୁ ୬୦ଟଙ୍କା ବଢ଼ିଲାଣି । ସାଧାରଣତଃ ମଧ୍ୟବିତ୍ତ ପରିବାର ଲୋକ ଜଳଖିଆରେ ଯେଉଁ ରୁଟି, ଉପମା ଖାଆନ୍ତି ତାହା ଉପରେ ଏବେ ପ୍ରଭାବ ପଡ଼ିଛି । ଗହମ, ବୁଟ ଦାମ୍ ମଧ୍ୟ ବିଥିବାରୁ ଛତୁଆ କିଣି ଖାଇବା ସମସ୍ତଙ୍କ ପକ୍ଷେ ସମ୍ଭବପର ହେଉନି । କେବଳ ଏତିକି ନୁହେଁ, ରାଜ୍ୟ ସରକାର ରାସନ୍ କାର୍ଡ ହିତାଧିକାରୀଙ୍କୁ ଗହମ ଦେଉନାହାନ୍ତି । କେନ୍ଦ୍ରରୁ ଗହମ ଆସୁନଥିବା କଥା କହି କର୍ତ୍ତୃପକ୍ଷ ସମୟ ଟାଳୁଛନ୍ତି । ଯେଉଁ ଡାଇବେଟିସ୍ ରୋଗୀ, ବୟସାଧିକ ଲୋକ ରାତିରେ ରୁଟି ଖାଉଥିଲେ ସେମାନେ ବି ଅଟା, ସୁଜି କିଣି ଖାଇପାରୁନାହାନ୍ତି । ବଜାର ଦର ଏବେ ସମସ୍ତଙ୍କୁ ଦୁଇ ଓଳି ଭାତ ଖାଇବାକୁ ଏକରକମ ବାଧ୍ୟ କରିଦେଇଛି । ଏହାବାଦ୍ ସବୁ ଖାଦ୍ୟ ଓ ପାନୀୟରେ ଚିନି ବ୍ୟବହାର ହେଉଥିବାବେଳେ ଏବେ ଚିନି କ୍ୱିଣ୍ଟାଲ୍‌ ପାଖାପାଖି ୩୦୦ଟଙ୍କା ବଢ଼ିଯାଇଛି । ସପ୍ତାହେ ତଳେ ଚିନି କେଜି ୪୫ଟଙ୍କା ଥିବାବେଳେ ଏବେ ୪୮, ସ୍ଥଳବିଶେଷରେ ୫୦ଟଙ୍କା ହେଲାଣି । ଅପରପକ୍ଷେ ସପ୍ତାହକ ତଳେ ଆଳୁ ବସ୍ତା ୫୦୦ଟଙ୍କା ଥିବାବେଳେ ଏବେ ବସ୍ତା ପିଛା ୩୦୦ଟଙ୍କା ବଢ଼ିଯାଇଛି । ଅର୍ଥାତ୍‌ ବସ୍ତା ୮୦୦ଟଙ୍କାରେ ମିଳୁଛି । ସବୁ ଦର ବଢ଼ିବା ନେଇ ବ୍ୟବସାୟୀ ଦୀପ୍ତିରଂଜନ ସାହୁ କହିଛନ୍ତି, ବଜାର ଦର ହଠାତ୍‌ ବଢ଼ିଯାଇଛି । ମାର୍ଚ୍ଚ, ଏପ୍ରିଲରେ ଦରଦାମ୍‌ ଟିକେ କମିଥିଲା । ଅର୍ଥାତ୍ ୭/୮ମାସ ତଳେ ଯେଉଁ ଦର ଥିଲା ସେହି ଦରକୁ ଫେରିଥିଲା । କିନ୍ତୁ ଏବେ ସବୁ ସଉଦା ସାମଗ୍ରୀ ବଢ଼ିଯାଇଛି । ଆମେ ଉଚ୍ଚା ଦାମରେ କିଣୁଛୁ ମାନେ ତ ଉଚ୍ଚାରେ ବିକିବୁ । ଆଳୁ କିଛି ଦିନ ଦାମ୍ କମ୍ ଥିଲା । ବଜାରରେ ନୂଆ ଆଳୁ ଥିବାରୁ ବସ୍ତା ୫୦୦ ଟଙ୍କାରେ କିଣୁଥିଲୁ । ବହୁତ ଶଢ଼ା ବାହାରୁଥିବାରୁ ୧୮ରୁ ୨୦ଟଙ୍କାରେ ବିକୁଥିଲୁ । ଏବେ ଶଢ଼ା ଟିକେ କମିଛି, କିନ୍ତୁ ଦାମ୍ ଏକାବେଳେ ବସ୍ତାକୁ ୩୦୦ଟଙ୍କା ବି ୮୦୦ ଟଙ୍କା ହୋଇଛି । ଏବେ କେଜି ପିଛା ସେହି ୨୦ଟଙ୍କାରେ ବିକୁଛୁ, କିନ୍ତୁ ଆଗକୁ ଆଳୁ ଆହୁରି ବଢ଼ିବ, କମିବନି । କାରଣ ଜୁନ୍ ମାସ ବେଳକୁ ଆଳୁ ଦର ଯେତିକି ବଢ଼ିବା କଥା ଚଳିତବର୍ଷ ତାହା ମେ\’ ମାସରୁ ବଢ଼ିଲାଣି । ସରକାର ଏବେଠୁ ଆଳୁ କଥା ଚିନ୍ତା ନ କଲେ ଏଥର ଆଳୁ ଦର ନିୟନ୍ତ୍ରଣ ବାହାରକୁ ଚାଲିଯିବ । ସେହିପରି ଓଡ଼ିଶା ବ୍ୟବସାୟୀ ମହାସଂଘ ମହାସଚିବ ସୁଧାକର ପଣ୍ଡା କହିଛନ୍ତି, ପାଇକାରୀ ବଜାରରେ ସବୁ ଦାମ୍ ଠିକଠାକ୍ ଅଛି । କେଣସି ସାମଗ୍ରୀ ଦାମ୍ ଚିନ୍ତାଜନକ ହେଲାଭଳି ବଢ଼ିନି । ଖୁଚୁରା ବଜାରରେ ଯଦି ଦାମ୍ ବଢ଼ିଛି ତେବେ ସରକାର ଏ ନେଇ ପଦକ୍ଷେପ ନିଅନ୍ତୁ ।

Comments (0)
Add Comment