ଭୁବନେଶ୍ୱର,: ଦେବଗଡ଼ର ଆଡାସ ଅଞ୍ଚଳରେ ଅନୁସନ୍ଧାନ କରାଯାଇଥିବା ସୁନା ଖଣିର ନିଲାମ କରିବା ଯୋଜନା ରହିଛି । ଗୃହରେ ଉତ୍ତର ରଖି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି ଯେ ଦେବଗଡ଼ ସୁନା ଖଣିର ଜି-୨
ସ୍ତରର ଅନୁସନ୍ଧାନ କରାଯାଇଛି । ସେଥିରେ ତମ୍ବାପଥର ସହିତ ସୁନା, ନିକେଲ, ରୁପା ଓ ଗ୍ରାଫାଇଟ୍ ଭଳି ଖଣିଜ ପଦାର୍ଥ ରହିଛି । ନିକେଲ ଓ ଗ୍ରାଫାଇଟ୍ ହେଉଛି କ୍ରିଟିକାଲ୍ ମିନେରାଲ । ତେଣୁ ଏହି ବ୍ଲକ୍ର ନିଲାମ ପ୍ରକ୍ରିୟା କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଦ୍ୱାରା କରାଯିବା ଯୋଜନା ରହିଛି ବୋଲି ସେ କହିଛନ୍ତି । ନ୍ଦୁଝରର ଗୋପୁର ଅଞ୍ଚଳରେ ଜି୩ ସ୍ତରରେ ସୁନାର ଅନୁସନ୍ଧାନ କାର୍ଯ୍ୟ ଶେଷ ହୋଇଛି । ଚଳିତ ଆର୍ଥିକ ବର୍ଷରେ ଜଳଡିହି ଅଞ୍ଚଳରେ ଜି- ଅନୁସନ୍ଧାନ କାର୍ଯ୍ୟ ଚାଲିଥିବା ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ଅନୁସନ୍ଧାନକାରୀ ସଂସ୍ଥା ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ବେଷୟିକ କମିଟିର ସୁପାରିସ ଆଧାରରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ରାଜ୍ୟର ପୁରୀ ଓ ପାରାଦୀପରେ ଦୁଇଟି ନୂଆ ବିମାନବନ୍ଦର ନିର୍ମାଣ କରିବା ଲାଗି ପ୍ରସ୍ତାବ ରହିଛି । ପଣ୍ୟ ପରିବହନର ବର୍ଦ୍ଧିତ ଚାହିଦାକୁ ପୂରଣ କରିବା ଲାଗି ପାରାଦୀପରେ ବିମାନବନ୍ଦର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗୃହରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଜମି ଅଧିଗ୍ରହଣରେ ହେଉଥିବା ବିଳମ୍ବ ପାଇଁ ନୂଆ ବିମାନବନ୍ଦର ବିକାଶ ବିଳମ୍ବ ହେଉଛି । ଜମି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ଲାଗି ବାଣିଜ୍ୟ ଓ ପରିବହନ ବିଭାଗ ପଦକ୍ଷେପ ନେଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୪ଟି ଛୋଟ ଓ ବଡ଼ ଇସ୍ପାତ କାରଖାନା ରହିଛି । ଆଗାମୀ ଦିନରେ ଆଉ ୨୦ଟି ନୂଆ ଇସ୍ପାତ କାରଖାନା ସ୍ଥାପନ
କରିବାକୁ ଅନୁମୋଦନ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ବର୍ତ୍ତମାନ ଥିବା ଇସ୍ପାତ କାରଖାନାଗୁଡ଼ିକ ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ଜଗତସିଂହପୁର, ଝାରସୁଗୁଡ଼ା ଓ କଟକ ଜିଲ୍ଲାରେ ରହିଛି । ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ଟି
ଚାର୍ଜିଂ ଷ୍ଟେସନ୍ ସ୍ଥାପନ କରିବା ଲାଗି ରାଜ୍ୟ ସରକାର ଟେଣ୍ଡର ପ୍ରକ୍ରିୟାରେ ଭିଭା ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍
ଲିମିଟେଡ୍କୁ ମନୋନୀତ କରିଛନ୍ତି । ସେଥରୁ ୨୧ଟି ଚାର୍ଜିଂ ଷ୍ଟେସନ ଭୁବନେଶ୍ୱରରେ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଗୁଡ଼ିକରେ ୧୮ଟି, ଟ୍ରକ୍ ଟର୍ମିନାଲ୍ରେ ୨୩ ଓ ଅନ୍ୟାନ୍ୟ ସ୍ଥାନରେ ୧୮ଟି ଚାର୍ଜିଂ ଷ୍ଟେସନ ବସିବ । ଏହି ସ୍ଥାନଗୁଡ଼ିକରେ ଚାର୍ଜିଂ ଷ୍ଟେସନ ସ୍ଥାପନ କାମ ଆରମ୍ଭ ହୋଇଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।