ଦୁଇ ଗୋଷ୍ଠୀର ୮ ଜଣଙ୍କୁ ବାନ୍ଧିଲା ନିମଖଣ୍ଡି ଥାନା ପୋଲିସ

ବ୍ରହ୍ମ୍ମପୁର,: ନିମଖଣ୍ଡି ଥାନା ଅନ୍ତର୍ଗତ ଫୁଲଟା ଗାଁ\’ରେ ଦୀର୍ଘ ବର୍ଷ ଧରି ଦୁଇ ଗୋଷ୍ଠୀ ମଧ୍ୟରେ ପତିଆରା ପାଇଁ ଛକାପଞ୍ଜା ଲାଗି ରହିଛି । ଶାନ୍ତି କମିଟି ଗଠନ ହୋଇ ତାକୁ କେହି ନ ମାନି ଆକ୍ରମଣ ଓ ପ୍ରତି ଆକ୍ରମଣ ଭଳି ଘଟଣା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି । ହେଲେ ସେଠାରେ ଶାନ୍ତି ଫେରୁନି । ଗତ ଦୁଇ ତାରିଖ ରାତ୍ର ଗାଁ\’ଦାଣ୍ଡରେ ବିଭିନ୍ନ ବୋମାମାଡ ସହ ଆତଙ୍କରାଜ ଦେଖା ଦେଇଥିଲା । ଉକ୍ତ ଘଟଣାରେ ଏବେ ପୋଲିସ ଉଭୟ ଗୋଷ୍ଠିର ୮ଜଣଙ୍କୁ ବାନ୍ଧିଛି । ସେମାନେ ହେଲେ ଲିଙ୍ଗରାଜ ଚର୍ଚ୍ଚା (୩୮), ବଳରାମ ନାହାକ (୨୫), ସନ୍ୟାସୀ ସାଶମଲ (୨୫), ସୁକାନ୍ତ ନାହାକ (୩୦), ଦଣ୍ଡପାଣି ସାସମଲ (୨୭), ପୂର୍ଣ୍ଣ ବସ୍ତିଆ (୩୨), ତପନ ଚର୍ଚ୍ଚା (୨୫), ସନ୍ତୋଷ ମଲିକ ଓରଫ ବାୟା (୩୫) । ମାମଲା ନଂ୧୩୨/୨୫ରେ ଗିରଫ ଉକ୍ତ ଅଭିଯୁକ୍ତମାନଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ଘଟଣାର ତଦନ୍ତ ଜାରି ରହିଛି ଯେଉଁମାନଙ୍କ ସମ୍ପୃକ୍ତି ଥିବା ଜଣାପଡିବ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି । ଗାଁ\’ରେ ଏବେବି ପୋଲିସ ଫୋର୍ସ ମୁତୟନ ରହିଛି । ଘଟଣା ପରେ ବିଭିନ୍ନ ସ୍ଥାନରେ ଲୁଚି ରହିଥିବା ଅଭିଯୁକ୍ତମାନଙ୍କୁ ପୋଲିସ ଏବେ ଖୋଜିଖୋଜି ଧରୁଛି । ଘଟଣାରୁ ପ୍ରକାଶ ଯେ ଗତ ୨ ତାରିଖ ରାତ୍ର ପ୍ରାୟ ୧୦ ଟା\’ ରେ ଉକ୍ତ ଗ୍ରାମରେ ଘନଘନ ବୋମାମାଡ ହୋଇଥିଲା । ପ୍ରଚଣ୍ଡ ଶବ୍ଦ ହେବାରୁ ସଧାରଣ ଲୋକେ ଭୟଭୀତ ହୋଇଥିଲେ । ଘଟଣା ପରେ ଗାଁ\’ରେ ତାଟି କବାଟ ପଡିଯାଇଥିଲା । ଖବର ପାଇ ପୋଲିସ ସେଠାରେ ପହଞ୍ଚି ତଦନ୍ତ କରିବା ସହ ବୋମା ଜବତ କରିଥିଲା । ପୂର୍ବରୁ ଦୁଇଗୋଷ୍ଠୀ ପକ୍ଷରୁ ଆକ୍ରମଣ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ଯୁବକମାନେ ଗାଁ\’କୁ ଫେରିବା ପରେ ଏହି କାଣ୍ଡ ଘଟାଇଥିବା ପୋଲିସ ଜାଣିବାକୁ ପାଇଥିଲା ।

Comments (0)
Add Comment