ତମ୍ବା କାରଖାନା ବସାଇବ ଜେଏସ୍‌ଡବ୍ଲ୍ୟୁ ୧୨ ହଜାର କୋଟି ନିବେଶ ଯୋଜନା

ଭୁବନେଶ୍ୱର,: ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ ସଂସ୍ଥା ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ଏକ ତମ୍ବା ପ୍ରକଳ୍ପ ସ୍ଥାପନ କରିବାକୁ ଯୋଜନା ରଖିଛି । ଏନେଇ ସମ୍ବାଦ ସରବରାହ ସଂସ୍ଥା ପକ୍ଷରୁ ଏହି ଖବର ପ୍ରକାଶ ପାଇଛି । ରାଜ୍ୟରେ ଇସ୍ପାତ ଏବଂ ଇଲେକ୍ଟ୍ରିକ୍‌ ଯାନ ଓ ବ୍ୟାଟେରି ପ୍ରକଳ୍ପ ପରେ କମ୍ପାନୀ ତମ୍ବାରେ ନିବେଶ କରିବାକୁ ଯାଉଛି । ସୂଚନା ଅନୁସାରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ବାର୍ଷିକ ୫ ଲକ୍ଷ ଟନ୍ କ୍ଷମତା ବିଶିଷ୍ଟ ଏକ ତମ୍ବା ସ୍ମେଲଟର ପ୍ରତିଷ୍ଠା କରିବ । ୨୦୮- ୨୯ ସୁଦ୍ଧା ତାହା ସ୍ଥାପନ ହେବ । ଏହି ପ୍ରକଳ୍ପରେ କମ୍ପାନୀ ୧୨ ହଜାର କୋଟି ଟଙ୍କା ନିବେଶ କରିବ । ପର୍ଯ୍ୟାୟକ୍ରମେ ପ୍ରକଳ୍ପ କ୍ଷମତାକୁ ୨୦୩୩-୩୪ ସୁଦ୍ଧା ୧ ନିୟୁତ ଟନ୍‌କୁ ବଢ଼ାଇବ । ଓଡ଼ିଶା ପ୍ରକଳ୍ପ ଜରିଆରେ ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ ଶିଳ୍ପପତି ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ୍ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ । ରାଜ୍ୟରେ କମ୍ପାନୀ ସ୍ଥାପନ କରିବାକୁ ଥିବା ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରି ପ୍ରକଳ୍ପ ପାଇଁ ଫିଡ୍‌ଷ୍ଟକ୍ ଭାବେ ଏହି ସ୍ମେଲଟରରୁ ତମ୍ବା ଉତ୍ପାଦନ କରାଯିବ । କିଛିଟା ଉପାଦାନ ହିନ୍ଦୁସ୍ତାନ କପରରୁ ଆସିବ । ଚଳିତ ବର୍ଷ ଜାନୁଆରିରେ କମ୍ପାନୀ ତମ୍ବା ଉତ୍ପାଦନ କ୍ଷେତ୍ରରେ ପ୍ରବେଶ କରିବା ସମ୍ପର୍କରେ ସୂଚନା ଦେଇଥିଲା । ହିନ୍ଦୁସ୍ତାନ କପର୍ର ଦୁଇଟି ଖଣିକୁ ୨୦ ବର୍ଷ ପାଇଁ କମ୍ପାନୀ ପରିଚାଳନା କରିବ ବୋଲି କହିଥିଲା । ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍ ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପରେ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ କରିବାର ପ୍ରତିଶ୍ରୁତି ଦେଇଛି । ଚଳିତ ବର୍ଷ ଜାନୁଆରିରେ ଅନୁଷ୍ଠିତ ଉତ୍କର୍ଷ ଓଡ଼ିଶା: ମେକ୍ ଇନ୍‌ ଓଡ଼ିଶା କନକ୍ଲେଭ୍ ୨୦୨୫ରେ ଭାଗ ନେଇ ସଜ୍ଜନ ଜିନ୍ଦଲ ଏହି ସୂଚନା ଦେଇଥିଲେ । ଜେଏସ୍‌ଡବ୍ଲ୍ୟୁ ଗ୍ରୁପ୍‌ କଟକ ଓ ପାରାଦୀପରେ ଇଲେକ୍ଟ୍ରିକ୍‌ ଯାନ ଓ ବ୍ୟାଟେରି ଉତ୍ପାଦନ କାରଖାନା ବସାଇବା ଲାଗି ୪୦ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି । କେନ୍ଦୁଝର ଜିଲ୍ଲାରେ ଏକ ୫ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ବସାଇବା ପାଇଁ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ଏହି ପ୍ରକଳ୍ପରେ କମ୍ପାନୀ ୩୫ ହଜାର କୋଟି ଟଙ୍କା ନିବେଶ କରିବ । ସେହିପରି ଜଗତସିଂହପୁରର ଢିଙ୍କିଆରେ ଜେଏସ୍‌ଡବ୍ଲ୍ୟୁ ଓ ପୋସ୍କୋ ମିଳିତ ଭାବେ ୬୫ ହଜାର କୋଟି ଟଙ୍କା ନିବେଶରେ ଏକ ୧୩.୨ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ କାରଖାନା ସ୍ଥାପନ କରିବାକୁ ଘୋଷଣା କରିଛନ୍ତି ।

Comments (0)
Add Comment