ଚାଷୀଙ୍କୁ ମୁଗ ବିହନ ବଣ୍ଟନ

ନାଉଗାଁ,: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଜରାଜପୁର ପଞ୍ଚାୟତର ଦେବିଦୋଳ ଠାରେ ଆନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପକ୍ଷରୁ ଓଡିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ପଲ୍ଲି ବିକାଶ, ନାଉଗାଁ
ଆନୁକୂଲ୍ୟରେ ଚାଷୀମାନଙ୍କୁ ମୁଗ ବିହନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବ୍ଲକ କୃଷି ଅଧିକାରିଣୀ ଯୁଗସ୍ମିତା
ପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଯୋଗ ଦେଇ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଏହି କାର୍ଯ୍ୟକ୍ରମ କରାଯାଇଥିବା ମତବ୍ୟକ୍ତ କରିଥିଲେ । ଧାନ ଚାଷ ପରେ ଜମିକୁ ପଡିଆ ନ ରଖି ଚାଷୀମାନେ କିପରି ଅଧିକ ଅର୍ଥନୈତିକ ଲାଭବାନ ହୋଇପାରିବେ ସେଥିପାଇଁ ଉନ୍ନତମାନର ମୁଗ ବିହନ ବଣ୍ଟନ ଯୋଗାଇ ଦିଆଯାଉଛି । ଏହି ପଞ୍ଚାୟତର ୪୦ ହେକ୍ଟର ଚାଷ ଜମିକୁ ନେଇ ଏକ ପ୍ୟାଚ ଚୟନ କରାଯାଇଛି । ଏହି ପ୍ୟାଚରେ ଥିବା ସମସ୍ତ ଚାଷୀଙ୍କୁ ଏକର ପିଛା ୮ କି.ଗ୍ରା ମୁଗ ବିହନ ପ୍ରଦାନ କରାଯିବା ସହ ଆବଶ୍ୟକୀୟ କୀଟ ନାଶକ ଔଷଧ, ଜୈବିକ ସାର ଆଦି ପ୍ରଦାନ କରାଯାଇଥିଲା । ଚାଷୀମାନେ ଠିକ୍ ଭାବେ ଏହି ଚାଷ କରୁଛନ୍ତି କି ନାହିଁ ଏହାର ତଦାରଖ କୃଷି ବିଭାଗ ଦ୍ୱାରା କରାଯିବ ବୋଲି ବ୍ଲକ କୃଷି ଅଧିକାରିଣୀ ପାତ୍ର ସୂଚନା
ଦେଇଥିଲେ । ପ୍ରଥମେ ଏହି ପଞ୍ଚାୟତରେ ବଣ୍ଟନ କରାଯାଇଥିବା ବେଳେ ପର୍ଯ୍ୟାୟ କ୍ରମେ ଅନ୍ୟ ସମସ୍ତ ପଞ୍ଚାୟତରେ ଏହି ବିହନ ଓ ଏବଂ ଆବଶ୍ୟକ ସାମଗ୍ରୀ ବଣ୍ଟନ କରାଯିବ ବୋଲି ବ୍ଲକ କୃଷି ଅଧିକାରିଣୀ ପାତ୍ର ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ସହକାରୀ କୃଷି ଅଧିକାରୀ ଅଗ୍ନୀ ପଣ୍ଡା, ପୂର୍ବତନ ଆତ୍ମା ଅଧକ୍ଷ ବସନ୍ତ ପାଢୀ, ଗଳଦାରୀ ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ପ୍ରଭାତ ସ୍ୱାଇଁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ଗ୍ରାମ୍ୟ କୃଷି କର୍ମଚାରୀ ସୁଲୋଚନା ରାଉଳ, ପଲ୍ଲି ବିକାଶର ସଂପାଦକ ବାବାଜୀ ସ୍ୱାଇଁ, ବ୍ଲକ ସଂଯୋଜକ ଦୀପକ ମହାନ୍ତି ପରିଚାଳନା କରୁଥିଲେ ।

Comments (0)
Add Comment