ଖୋର୍ଦ୍ଧା ଜଙ୍କିଆରୁ ଯୋଜନା ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ

The Chief Minister will start the plan from Khurda Junkia

ଭୁବନେଶ୍ୱର,: ଆସନ୍ତା ୫ ତାରିଖରେ ଶୁଭାରମ୍ଭ ହେବ \”ବିକଶିତ ଗାଁ, ବିକଶିତ ଓଡ଼ିଶା\’ ଯୋଜନା । ଖୋର୍ଦ୍ଧାର ଜଙ୍କିଆ ମିନି ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଶୁଭାରମ୍ଭ କରିବେ । ମୁଖ୍ୟ କାର୍ଯ୍ୟକ୍ରମ ଢାଞ୍ଚାରେ ପ୍ରତି ଜିଲ୍ଲା ଓ ବ୍ଲକ୍‌ସ୍ତରରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେବ ବୋଲି ଜଣାପଡିଛି । ଜିଲ୍ଲା ମୁଖ୍ୟାଳୟରେ ମଧ୍ୟ \”ବିକଶିତ ଗାଁ, ବିକଶିତ ଓଡ଼ିଶା\’ ଶୁଭାରମ୍ଭ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେବ । ଏଠାରେ ଏଲ୍‌ଇଡି ଯୋଗେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏଥିରେ ଉପସ୍ଥିତ ରହିବେ । ସେହିଭଳି ୩୧୪ ବ୍ଲକରେ ମଧ୍ୟ ମୁଖ୍ୟ କାର୍ଯ୍ୟକ୍ରମର ସିଧା ପ୍ରସାରଣ ହେବ । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଓକାକକୁ ଦାୟିତ୍ୱ ଦିଆଯାଇଛି । ଏହି ଯୋଜନାର ଶୁଭାରମ୍ଭର ବ୍ୟାପକ ପ୍ରଚାରପ୍ରସାର କରାଯିବ । ଏଥିପାଇଁ ହାତଖୋଲା ଖର୍ଚ୍ଚ କରିବାକୁ ସରକାର ଯୋଜନା କରିଛନ୍ତି । ଯୋଜନାର ପ୍ରଚାର ପାଇଁ ପ୍ରତି ବ୍ଲକକୁ ୧ଲକ୍ଷ ଟଙ୍କାର ପାଣ୍ଠି ଦିଆଯିବ । ସେହିଭଳି ଯୋଜନା ଶୁଭାରମ୍ଭ ଦିନ କାର୍ଯ୍ୟକ୍ରମ ଆୟୋଜନ ପାଇଁ ୩୧୪ଟି ବ୍ଲକକୁ ୨ଲକ୍ଷ ଟଙ୍କା ଲେଖାଏଁ ଦିଆଯିବ । ଜିଲ୍ଲାସ୍ତରର କାର୍ଯ୍ୟକ୍ରମ ପାଇଁ ପ୍ରତି ଜିଲ୍ଲାକୁ ୩ ଲକ୍ଷ ଟଙ୍କା ଲେଖାଏଁ ମିଳିବ । ଆୟୋଜନ ଓ ପ୍ରଚାରପ୍ରସାର ବାବଦରେ ପଞ୍ଚାୟତିରାଜ ବିଭାଗ ମୋଟ ୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବ । ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି କରିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ । ପୂର୍ବ ସରକାର ସମୟରେ ଆମ ଓଡ଼ିଶା, ନବୀନ ଓଡ଼ିଶା ନାଁରେ ଏହା କାର୍ଯ୍ୟକାରୀ ହେଉଥିଲା । ପ୍ରତି ପଞ୍ଚାୟତକୁ ୫୦ଲକ୍ଷ ଟଙ୍କାର ପାଣ୍ଠି ମିଳୁଥିଲା । ନୂଆ ସରକାର ଏହି ଯୋଜନାର ନାଁ ବଦଳାଇବା ସହିତ ଏହାକୁ ନୂଆ ଢଙ୍ଗରେ କାର୍ଯ୍ୟକାରୀ କରିବେ । ଏଥିପାଇଁ ବିସ୍ତୃତ ଗାଇଡଲାଇନ୍‌ ଜାରି ହୋଇଛି । ଗ୍ରାମସଭା ଜରିଆରେ ଫେବ୍ରୁଆରୀ ୧୪ତାରିଖ ସୁଦ୍ଧା ଯୋଜନାର ପ୍ରକଳ୍ପ ତାଲିକା ତିଆରି ପାଇଁ ସବୁ ପଞ୍ଚାୟତକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକେ ଗ୍ରାମସଭାରେ ରହି ଗାଁ ଓ ପଞ୍ଚାୟତ ପାଇଁ ପ୍ରକଳ୍ପ ଚୂଡ଼ାନ୍ତ କରିବେ । ଲୋକଙ୍କ ମତ ଓ ଆବଶ୍ୟକ ଆଧାରରେ ୫ ବର୍ଷିଆ ପ୍ରକଳ୍ପ ତାଲିକା ତିଆରି ହେବ । ୫ ତାରିଖ
ସୁଦ୍ଧା ବ୍ଲକରେ ଏହି ତାଲିକା ଦାଖଲ ହେବ । ଏହି ଯୋଜନାରେ ପ୍ରତି ପଞ୍ଚାୟତକୁ ନିର୍ଦ୍ଦିଷ୍ଟ ଭାବେ କେବେ ଟଙ୍କାର ପାଣ୍ଠି ଦିଆଯିବ ତାହା ଚୂଡ଼ାନ୍ତ ହୋଇନି । ଜନସଂଖ୍ୟା ଓ ପ୍ରକଳ୍ପ ଆବଶ୍ୟକ ଦେଖି ଜିଲ୍ଲା ପରିଷଦ ମାଧ୍ୟମରେ ପାଣ୍ଠି ବଣ୍ଟାଯିବ । ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ବ୍ଲକକୁ ଯୋଜନାର ସିଂହ ଭାଗ ପାଣ୍ଠି ଦେବାକୁ ପଞ୍ଚାୟତିରାଜ ବିଭାଗ ଯୋଜନା କରିଛି ।

Comments (0)
Add Comment