ଖାଓ ଗଳି ଉଦ୍‌ଘାଟିତ

ସମ୍ବଲପୁର,: ସମ୍ବଲପୁର ମହାନଗର ନିଗମ ଅନ୍ତର୍ଗତ ଜେଲ୍ ଛକ ଠାରେ ମୁକ୍ତା ଯୋଜନାରେ ତିଆରି ହୋଇଥିବା ସୁଆଦ୍ ସମ୍ବଲପୁର (ଖାଓ ଗଳିକୁ) ମାନ୍ୟବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲୋକାର୍ପଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ନାଉରୀ ନାୟକ, ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ସଚିନ ରାମଚନ୍ଦ୍ର ଯାଦବ, ପୋଲିସ ମହାନିରୀକ୍ଷକ ହିମାଂଶୁ ଲାଲ, ଜିଲ୍ଲାପାଳ ସିଦ୍ଧେଶ୍ୱର ବୋନ୍ଦର, ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ, ମହାନଗର ନିଗମ ଆୟୁକ୍ତ ବେଦ ପ୍ରକାଶ ତଥା ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ସମ୍ବଲପୁରରେ ଏହି ପ୍ରକାରର ଖାଓ ଗଳି ପ୍ରଥମ ଅଟେ । ମୁକ୍ତା
ଯୋଜନାର ଖାଲି ସ୍ଥାନ ଉନ୍ନତିକରଣ ପ୍ରକଳ୍ପ ମାଧ୍ୟମରେ ଶ୍ରୀ ଜଗନ୍ନାଥ ସ୍ୱୟଂସହାୟକ ଗୋଷ୍ଠୀ ୩୦ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ଏହି କାର୍ଯ୍ୟଟିକୁ ସମ୍ପାଦନ କରିଛନ୍ତି । ଏହି ପ୍ରକଳ୍ପ ଭାରତ ସରକାରଙ୍କ ୩ ଆର ନିୟମ ଆଧାରରେ ନିର୍ମିତ ହୋଇଛି । ଯେଉଁଥିରେ ଲୁହା, ଭଙ୍ଗା
ନିର୍ମାଣ ସାମଗ୍ରୀ ଇତ୍ୟାଦିକୁ ବ୍ୟବହାର କରାଯାଇଛି । ଏତଦ୍‌ ବ୍ୟତୀତ ଏହାର ନାମ ଫଳକକୁ ପତ୍ର ଆକାରରେ ତିଆରି କରା ଯାଇଛି । ଯାହା ପରିବେଶ ତଥା ସବୁଜ ସହରର ବାର୍ତ୍ତା ବହନ କରୁଛି । ବର୍ତ୍ତମାନ୍ ଏଠାରେ ଲାଗିଥିବା ୧୪ ଗୋଟି ଖାଦ୍ୟ ଷ୍ଟଲରେ ଓଦା ଏବଂ ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ପୃଥକ୍ ଡଷ୍ଟବିନ ରଖାଯିବା ସହିତ ପ୍ଲାଷ୍ଟିକ ବ୍ୟବହାରକୁ ବାରଣ କରାଯାଇଛି ଏବଂ ସ୍ୱଚ୍ଛତାକୁ ବିଶେଷ ଗୁରୁତ୍ୱ ଦିଆଯାଇଛି । ଏହାକୁ ରାତ୍ର ୧୧ ଘଟିକା ପର୍ଯ୍ୟନ୍ତ ଚାଲୁ ରଖିବା ସହ ଭବିଷ୍ୟତରେ ବ୍ୟବସାୟୀ ତଥା ଗ୍ରାହକ ମାନଙ୍କ ସୁବିଧା ନିମନ୍ତେ ଯଥାବିଧି ପଦକ୍ଷେପ ନିଆଯିବ ବୋଲି ମହାନଗର ନିଗମ ଆୟୁକ୍ତ ବେଦଭୂଷଣ ସୂଚନା ଦେଇଛନ୍ତି ।

Comments (0)
Add Comment