କଳାହାଣ୍ଡି, : ୭୦ ଦଶକରୁ ଆଜି ପର୍ଯ୍ୟନ୍ତ ଘର ଖଣ୍ଡିଏ ପାଇବା ଗରିବ ଓ ସାଧାରଣ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇ ରହିଛି । ଆଜି ମଧ୍ୟ ଅନେକଙ୍କ ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ବି ନାହିଁ । ଏ ସମସ୍ୟାର ସମାଧାନ ହେବ ଏବଂ ସମସ୍ତଙ୍କୁ ପକ୍କା ଘର ମିଳିବ । ଅନ୍ତ୍ୟୋଦୟ ଗୃହ ଯୋଜନାରେ ସବୁଠାରୁ ଗରିବ ଓ ଅସହାୟ ଲୋକଙ୍କ ପାଇଁ ଘର ଦିଆଯିବ । ରବିବାର କଳାହାଣ୍ଡିର ଭବାନୀପାଟଣାରେ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି । ନିଜ ଅଭିଭାଷଣରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହିନ୍ଦୁ ନବ ବର୍ଷର ଶୁଭେଚ୍ଛା ଜଣାଇ କହିଥିଲେ ଯେ, ଏହି ଯୋଜନା ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାର ପାଇଁ ସମ୍ମାନର ସହ ବଞ୍ଚିବାକୁ ଆଶା ଓ ଭରସା ଯୋଗାଇଦେବ । ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ, ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ୨୦୧୮ ମସିହାରେ ସମସ୍ତଙ୍କୁ ପକ୍କା ଘର ଯୋଗାଇଦେଇ ଏହି ସମସ୍ୟାର ସମାଧାନ ପାଇଁ ଘୋଷଣା କରିଥିଲେ । ସେଥିପାଇଁ ପ୍ରଧାନମନ୍ତ୍ରୀ ଆବାସ ସହରୀ ଓ ଗ୍ରାମୀଣ ଆଦି ଯୋଜନା କାର୍ଯ୍ୟକାରୀ ହେଉଛି । ଏହାକୁ ଆହୁରି ଜୋରଦାର କରାଯାଇ ଓଡିଶାରେ ଆମେ ଆରମ୍ଭ କରିଛୁ ଅନ୍ତ୍ୟୋଦୟ ଗୃହ ଯୋଜନା । ଏହାଦ୍ୱାରା ସମସ୍ତଙ୍କ ପାଇଁ ଘର ସୁନିଶ୍ଚିତ କରାଯାଇ ପାରିବ । ରବିବାର ପ୍ରଥମ ଦିନରେ ଅନ୍ତ୍ୟୋଦୟ ଗୃହ ଯୋଜନାରେ ୬୦ ହଜାର ଘର ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ଆଗାମୀ ୩ ବର୍ଷରେ ୫ ଲକ୍ଷରୁ ଉର୍ଦ୍ଧ୍ୱ ଘର ନିର୍ମାଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ଏହି ଯୋଜନା ପାଇଁ ୨,୬୦୦ କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରାଯାଇଥିବା ବେଳେ ଆଗାମୀ ୩ ବର୍ଷରେ ଏଥିପାଇଁ ୭,୫୫୦ କୋଟି ଟଙ୍କା ବିନିଯୋଗ କରାଯିବ । ସୂଚନାଯୋଗ୍ୟ ଯେ, ବିଜୁ ପକ୍କା ଘର ଯୋଜନାରେ ୧୦ ବର୍ଷରେ ବହୁତ କମ ଘର ନିର୍ମାଣ ହୋଇଛି । ଏହି ଯୋଜନାରେ ପ୍ରତ୍ୟେକ ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯିବା ସହିତ ଏଥିରେ ଅନ୍ୟାନ୍ୟ ଯୋଜନାର ସମନ୍ୱୟ କରାଯାଇ ବିଭିନ୍ନ ଆବଶ୍ୟକୀୟ ସୁବିଧା ଦିଆଯିବ । ସ୍ୱଚ୍ଛ ଭାରତ ମିଶନରୁ ଶୌଚାଳୟ, ଉଜ୍ଜ୍ୱଳା ଯୋଜନାରୁ ରନ୍ଧନଗ୍ୟାସ, ଜଳ ଜୀବନ ମିଶନରୁ ସ୍ୱଚ୍ଛ ପାନୀୟ ଜଳ, ସୌଭାଗ୍ୟ ଯୋଜନାରୁ ବିଦ୍ୟୁତ ସଂଯୋଗ ଆଦି ଯୋଗାଇ ଦିଆଯିବ । ଜୀବନଯାପନ ପାଇଁ ସବୁ ଆବଶ୍ୟକୀୟ ସୁବିଧା ଦିଆଯିବ । କେବଳ ସେତିକି ନୁହେଁ, ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ୯୦ରୁ ୯୫ ଦିନ ପର୍ଯ୍ୟନ୍ତ ଅଣକୁଶଳୀ ଶ୍ରମିକ ଭାବରେ ପାରିଶ୍ରମିକ ସହ କାମ ଯୋଗାଇ ଦିଆଯିବ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ସମାଜରେ ସବୁଠାରୁ ଅଧିକ ଗରିବ ଓ ଅସହାୟ ଲୋକମାନେ ଉପକୃତ ହେବେ । ଭିନ୍ନକ୍ଷମ, ବିଧବା, କର୍କଟ ଭଳି ଅନ୍ୟାନ୍ୟ ଗୁରୁତର ରୋଗରେ ପୀଡ଼ିତ ପରିବାର, ଶହୀଦ ପରିବାର, ଘରପୋଡ଼ି, ହାତୀ ଉପଦ୍ରବ ତଥା ବନ୍ୟା ବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟରେ ଭୀଷଣ ଭାବେ ପ୍ରଭାବିତ ହୋଇଥିବା ପରିବାରଙ୍କୁ ଅଗ୍ରାଧିକାର ଭିତ୍ତିରେ ଗୃହ ମଞ୍ଜୁର କରାଯିବ । ଏହା ସହିତ କର୍କଟ, କୁଷ୍ଠ, କିଡ଼ନୀ ରୋଗ, ଲିଭର ସିରୋସିସ, ଥାଲାସେମିଆ ଅଥବା ଏଚ୍ଆଇଭି ପରି ଦୁରାବ୍ୟାଧିରେ ପୀଡ଼ିତ ପରିବାର ଏବଂ ଅନାଥ, ନିରାଶ୍ରୟଙ୍କୁ ଅନ୍ତ୍ୟୋଦୟ ଗୃହ ଯୋଜନାରେ ତୁରନ୍ତ ଗୃହ ଯୋଗାଇ ଦିଆଯିବା ସହ ଜଙ୍ଗଲ ଅଧିକାର ଆଇନ ହିତାଧିକାରୀ, ମୁକ୍ତ ଗୋତି ଶ୍ରମିକ, ଜାତୀୟ ଏବଂ ଆନ୍ତର୍ଜାତୀୟ
ସ୍ତରର କ୍ରୀଡାବିତମାନେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇପାରିବେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଧିକ ଲୋକଙ୍କୁ ଘର ଦେବା ପାଇଁ ଏହି ଯୋଜନାରେ \”ପରିବାର\’ ଓ \”ପକ୍କା ଘର\’ର ସଂଜ୍ଞାକୁ ମଧ୍ୟ ସରଳ କରାଯାଇଛି । ଆଜବେସଟସ୍, ଟିଣ ଓ ଟାଇଲ ଛାତଘରକୁ କଚ୍ଚାଘର ରୂପେ ବିବେଚନା କରାଯାଇଛି । କେବଳ ସିମେଣ୍ଟ ଯୋଡେଇ କାନ୍ଥ ସହିତ ଆରସିସି ଛାତକୁ ପକ୍କାଘରର ମାନ୍ୟତା ପ୍ରଦାନ କରାଯାଉଛି । ପରିବାରର ସଂଜ୍ଞାକୁ ମଧ୍ୟ ସରଳ କରାଯାଇ ଯୋଜନାରେ ପରିବାରର ଅର୍ଥ ସ୍ୱାମୀ, ସ୍ତ୍ରୀ, ନିର୍ଭରଶୀଳ ପିତାମାତା ଓ ସନ୍ତାନଙ୍କୁ ବୁଝାଉଛି ବୋଲି ସେ କହିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ହୋଇଥିବା ଅଗ୍ରଗତି ବିଷୟରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ଯୋଜନାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୩ ଲକ୍ଷରୁ ଅଧିକ ଘର ନିର୍ମାଣ ହୋଇସାରିଥିବା ବେଳେ ୪ ଲକ୍ଷ ଘର ନିର୍ମାଣାଧିନ ଅଛି । ଏହା ସହିତ ଜାନୁଆରୀ ୨୪ ତାରିଖରୁ ସର୍ଭେ ଆରମ୍ଭ ହେଇ ଏଥିରେ ଆହୁରି ୨୬ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ଘର ଯୋଗାଇଦେବା ପାଇଁ ତାଲିକାଭୁକ୍ତ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବିଭିନ୍ନ କେନ୍ଦ୍ରୀୟ ଯୋଜନା ଓ ରାଜ୍ୟ ଯୋଜନାରେ ସମସ୍ତଙ୍କୁ ଘର ଯୋଗାଇ