ଓଡ଼ିଶାରେ ଆନ୍ଧ୍ରର ଜବରଦସ୍ତି କର୍ତ୍ତୁତ୍ବ ଜାରି

ପାରଳାଖେମୁଣ୍ଡି, 21/12 (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାର ସୀମାନ୍ତ ତଥା ପଡୋଶୀରେ ଥିବା ଆନ୍ଧ୍ର କର୍ତ୍ତୁତ୍ବ ଜାରି କରିଛି. ଓଡିଶା ତଥା ଗଜପତି ଜିଲ୍ଲା ଅଧୀନରେ ଥିବା ଏକ ରାସ୍ତାକୁ ଆନ୍ଧ୍ର ଜବରଦସ୍ତି ଖୋଳି ଓଡ଼ିଶାର ଗମନାଗମନ ବ୍ୟବସ୍ଥାକୁ ସମ୍ପୂର୍ଣ ରୂପେ ବନ୍ଦ କରିଛି. ଘଟଣା ନେଇ ସାଧାରଣରେ ଉଦବେଗ ପ୍ରକାଶ ପାଇବା ସହ ଓଡିଶା ସରକାର ତୁରନ୍ତ ଏହାର ଉଚିତ ଜବାବ ଦେବା ପାଇଁ ସର୍ବସାଧାରଣରେ ଦାବି ହୋଇଛି. ଏଠାରେ ସୂଚନାଯୋଗ୍ୟଯେ, ପ୍ରଶାସନ ବର୍ତ୍ତମାନ ଓଡ଼ିଶାରେ ବେଦଖଲ ରାଜ୍ୟର ବିଭିନ୍ନ ଜିଲ୍ଲାର ସୀମାନ୍ତରେ ଆନ୍ଧ୍ରପ୍ରଦେଶ କିଛି ନା କିଛି ସମସ୍ୟା ସୃଷ୍ଟି କରି ହାକିମ ପଣ ଜାହିର କରିଚାଲିଥିବା ଦେଖୁବାକୁ ମିଳିଛି। ଏହିକ୍ରମରେ ଏବେ ଓଡ଼ିଶା ସୀମାନ୍ତରେ ରାସ୍ତା ଖୋଳି ବାଟ ବନ୍ଦ କରିଥିବା ଭଳି ଘଟଣା ଦେଖ‌ିବାକୁ ମିଳିଛି। ଓଡ଼ିଶାର ପାଣି, ଖଣି, ବାଲି, ପଥର ଖାଦାନ ଲୁଟି ନେଉଥିବା ବେଳେ ସୀମାନ୍ତରେ ଓଡ଼ିଶା ରାସ୍ତା ବ୍ୟବହାର କରି ବାଦାଗିରି ଦେଖାଇବା, ଓଡ଼ିଶାର ଗ୍ରାମାଞ୍ଚଳରେ ସ୍କୁଲ, ଅଙ୍ଗନବାଡ଼ି କେନ୍ଦ୍ର ଆଦି ସ୍ଥାପନ କରି ହୁକୁମ ଜାହିର କରିବା, ଆବାସିକ ଯୋଜନା ପ୍ରଦାନଠାରୁ ଆରମ୍ଭ କରି ନିର୍ବାଚନ ପରିଚାଳନା ପାଇଁ ମସୁଧା କରିବା, ଓଡ଼ିଶାର ପୁରପଲ୍ଲୀ ତଥା ଆଭ୍ୟନ୍ତରୀଣ ଇଲାକା କବଳିତ କରିବା ଆଦି ନଳିର ରହିଛି। ହେଲେ ଲୋକଙ୍କ ପାଇଁ ରହିଥିବା ରାସ୍ତାକୁ ଖୋଳି ଦେଇ ବାଟ ଓଗାଳି ଦେବା ଘଟଣା ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଶରଧାପୁର ପଞ୍ଚାୟତ ଅନ୍ତର୍ଗତ ଗଜପତିନଗର ଗ୍ରାମ ସୀମାନ୍ତରେ ଦେଖୁବାକୁ ମିଳିଛି। ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିକୁ ଯାତାୟତ ପାଇଁ ଓଡ଼ିଶା ଲୋକଙ୍କୁ ଶରଧାପୁର-ଗଜପତିନଗର ଓ ଆନ୍ଧ୍ରର ଚାପରା ଓ ମେଳିଆପୁଟି ରାସ୍ତା ଦେଇ ଯାତାୟତ କରିବାକୁ ହୋଇଥାଏ । ଏହା ଏକ ପ୍ରମୁଖ ରାସ୍ତା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଗୋଷାଣି ବ୍ଲକର ଗୁରାଣ୍ଡି, ଏସ୍ଏନ୍‌ପେଣ୍ଟ ଓ ଜଙ୍ଗଲପାଡୁ ଆଦି ବହୁ ଗ୍ରାମାଞ୍ଚଳବାସୀ ଗଜପତିନଗର ଦେଇ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି । ସ୍ବଳ୍ପ ଦୂରତା ପଡୁଥିବା ଯୋଗୁଁ ଏହି ରାସ୍ତା ଉପରେ ସଭିଏଁ ନିର୍ଭର କରୁଛନ୍ତି। ସୀମାନ୍ତ ଆନ୍ଧ୍ରର କିଛି ଗ୍ରାମବାସୀ କଳିହୁଡ଼ି ସାଜି ରାସ୍ତା ଖୋଳି ଦେଉଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି. ଏ ନେଇ ଗଜପତିନଗରବାସୀ ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି। ବାରମ୍ବାର ଏପରି ବାଟକୁ ଖୋଳି ଦିଆଯାଉଥିବା ଯୋଗୁଁ ଗମନାଗମନରେ ବାଧା ଉପୁଜୁଞ୍ଝାରୁ ଓଡ଼ିଶା ତଥା ଗଜପତିନଗର ଅଞ୍ଚଳବାସୀ ଆନ୍ଧ୍ରପକ୍ଷରୁ ଖୋଳାଯାଉଥିବା ସ୍ଥାନରେ ମାଟି, ପଥର, ଗୋଡ଼ି ପକାଇ ଖାଲ ବା ଗର୍ଭକୁ ବନ୍ଦ କରି ଯାତାୟତ ପାଇଁ ସୁଗମପଥ ନିର୍ମାଣ କରୁଥିବା କହିଛନ୍ତି । ତେବେ ଏପରି ବାରମ୍ବାର ବାଟ ଓଗାଳିବା କାମ କରିବା ପାଇଁ ସେମାନଙ୍କୁ କିଏ ମତାଉଛି ନା ଅନ୍ୟ କ’ଣ ମନ୍ଦ ଉଦ୍ଦେଶ୍ୟ ରଖ୍ ଏପରି କରୁଛନ୍ତି ତାହାର ଉତ୍ତର କାହାରି ନିକଟରେ ନାହିଁ। ଅନ୍ୟପକ୍ଷରେ ଖୋଳାଯାଇ ବାଟ ଓଗାଳିବା ସ୍ଥାନ ଠାରୁ ମାତ୍ର ଅଧ କିମି ଦୂର ଚାପରା- ମେଳିଆପୁଟିରେ ଆନ୍ଧ୍ର ପକ୍ଷରୁ ଗୁଲୁପାତୁ ଜଳଭଣ୍ଡାର ପାଇଁ ଅପସର ନିର୍ମାଣ କରୁଛି। ଆନ୍ଧ୍ର ଦେଇ ଯାଇଥିବା ମହେନ୍ଦ୍ରତନୟା ନଦୀର ପାଣି ଆନ୍ଧ୍ରର ରେଗୁଲୁପାତ୍ର ଜଳଭଣ୍ଡାର ପାଇଁ ଏହା ଉଦ୍ଧିଷ୍ଟ | ଏହାକୁ ଚ୍ୟାଲେଞ୍ଜ କରି ତତ୍କାଳୀନ ଓଡ଼ିଶା ସରକାର ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ଡମ୍ବାପୁରରେ ୨୦୦୮ ମସିହାରେ ମହେନ୍ଦ୍ରତନୟା ଆନିକଟ ନିର୍ମାଣ ପାଇଁ ଅଣ୍ଟା ଭିଡ଼ିଥିଲେ | ଏପରି ଏକ ଗୁରୁତ୍ବପୂର୍ଣ ପ୍ରକଳ୍ପକୁ ଆନ୍ଧ୍ର ଚୂଡାନ୍ତ ରୂପରେଖ ଦେବାପାଇଁ ସମସ୍ତ ବନ୍ଦୋବସ୍ତ କରିସାରିଥିବା କୁହାଯାଉଛି। ଆନ୍ଧ୍ର ତା’ର ପ୍ରକଳ୍ପ ଉପରେ କୌଣସି ବାଧା ନ ଉପୁଜିବା ପାଇଁ ଏପରି ରାସ୍ତା ବନ୍ଦ କରୁଥିବା ମଧ୍ୟ ଆଲୋଚନା ହେଉଛି। ଆଗାମୀ ଦିନରେ ଏପରି ଘଟଣାର ପୁନରାବୃଦ୍ଧି ନ ହୁଏ ସେଥ‌ିପାଇଁ ଉଭୟ ଗଜପତି ଓ ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ପ୍ରଶାସନ କିମ୍ବା ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ସମସ୍ୟାର ସମାଧାନ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି.

Comments (0)
Add Comment