ଆର୍ଥିକ ବର୍ଷରେ ୬୦,୯୨୮ କୋଟି ଜିଏସ୍‌ଟି ସଂଗ୍ରହ

ଭୁବନେଶ୍ୱର,: ଚଳିତ ବର୍ଷ ମାର୍ଚ୍ଚରେ ରାଜ୍ୟରେ ୫୮୦୯ କୋଟି ଟଙ୍କାର ସାମଗ୍ରୀ ଓ ସେବା ଟିକସ (ଜିଏସଟି) ସଂଗ୍ରହ ହୋଇଛି । ୨୦୨୪ ମାର୍ଚ୍ଚରେ ହୋଇଥିବା ୫୧୦୯ କୋଟି ଟଙ୍କାର ସଂଗ୍ରହ ତୁଳନାରେ ଏହା ୧୪ ପ୍ରତିଶତ ଅଧିକ । ତେବେ ୨୦୨୪ ଏପ୍ରିଲରୁ ୨୦୨୫ ମାର୍ଚ୍ଚ ମଧ୍ୟରେ ରାଜ୍ୟରେ ୬୦,୯୨୮ କୋଟି ଟଙ୍କାର ଜିଏସଟି ସଂଗ୍ରହ ହୋଇଛି । କେନ୍ଦ୍ରୀୟ ଜିଏସଟି ବାବଦରେ ୧୪,୬୭୭ କୋଟି ଟଙ୍କା ସଂଗ୍ରହ କରାଯାଇଥିବା ବେଳେ ୧୮,୧୦୮ କୋଟି ଟଙ୍କାର ରାଜ୍ୟ ଜିଏସଟି, ୧୭,୯୫୭ କୋଟି ଟଙ୍କାର ସମନ୍ୱିତ ଜିଏସଟି ଓ ୧୦,୧୮୫ କୋଟି ଟଙ୍କାର ସେସ୍ ସଂଗ୍ରହ କରାଯାଇଛି । ୨୦୨୩-୨୪ ଆର୍ଥିକ ବର୍ଷ ତୁଳନାରେ ୨୦୨୪-୨୫ରେ ରାଜ୍ୟରେ ଜିଏସଟି ସଂଗ୍ରହ ୧୧.୩ ପ୍ରତିଶତ ବଢ଼ିଛି । ସର୍ବଭାରତୀୟ ସ୍ତରରେ ୨୦୨୫ ମାର୍ଚ୍ଚରେ ୧.୯୬ ଲକ୍ଷ କୋଟି ଟଙ୍କାର ଜିଏସଟି ସଂଗ୍ରହ କରାଯାଇଛି ଯାହା ପୂର୍ବବର୍ଷର ସେହି ମାସରେ ହୋଇଥିବା ଆଦାୟ ତୁଳନାରେ ୯.୯ ପ୍ରତିଶତ ଅଧିକ । ଦେଶରେ ୩୮,୧୦୦ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସଟି, ୪୯,୯୦୦ କୋଟି ଟଙ୍କାର ରାଜ୍ୟ ଜିଏସଟି, ୯୫,୯୦୦ କୋଟି ଟଙ୍କାର ସମନ୍ୱିତ ଜିଏସଟି ଓ ୧୨,୩୦୦ କୋଟି ଟଙ୍କାର ସେସ୍ ସଂଗ୍ରହ କରାଯାଇଛି ।

Comments (0)
Add Comment