ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତ

ଢାକା, : ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍ ସରକାରଙ୍କୁ ନିନ୍ଦା କରିଛି । ଅନ୍ତରୀଣ ସରକାରଙ୍କ ଶାସନରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବସ୍ଥିତ ଉତ୍ପୀଡ଼ନ ଢାକାର ଏକା ଏକ ଅଂଶବିଶେଷ ବୋଲି ନୂଆଦିଲ୍ଲୀ କହିଛି । ହିନ୍ଦୁ ନେତା ୫୮ ବର୍ଷୀୟ ଭବେଶଙ୍କୁ ଦିନାଜପୁରସ୍ଥିତ ତାଙ୍କ ଘରୁ ଅପହରଣ କରିନିଆଯାଇ ପିଟି ହତ୍ୟା କରାଯାଇଥିଲା । ତାଙ୍କ ମୃତଦେହ ଗୁରୁବାର ରାତିରେ ମିଳିଥିଲା । ଭବେଶ ବାଂଲାଦେଶ ପୂଜା ଉଦ୍ୟାପନ ପରିଷଦର ଉପସଭାପତି ଏବଂ ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ । ଭବେଶଙ୍କୁ ଅପହରଣ ଏବଂ ଜଘନ୍ୟ ହତ୍ୟା ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ବ୍ୟବସ୍ଥିତ ଉତ୍ପୀଡ଼ନ ଓ ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ବର୍ହିବ୍ୟାପାର ମନ୍ତ୍ରଣାଳୟ ଏକ୍ସରେ ଏକ ବିବୃତିରେ କହିଛି । ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପ୍ରତି ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଦାୟିତ୍ୱ ସମ୍ପର୍କରେ ଭାରତ ସ୍ମରଣ କରାଇଦେଇଥିବା ବର୍ହିବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି । ଗତବର୍ଷ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସର ରୂପ ନେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ନିଜ ପଦବୀରୁ ଇସ୍ତଫା ଦେଇ ଭାରତ ପଳାଇଆସିଥିଲେ । ମହମ୍ମଦ ୟୁନୁସ୍‌ଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା କରାଯାଇଥିଲା । ଏହା ପରେ ବାଂଲାଦେଶରେ ଭାରତ ବିରୋଧୀ ମନୋଭାବ ବୃଦ୍ଧି ପାଇବା ସହ ହିନ୍ଦୁମାନେବାରମ୍ବାର ଆକ୍ରମଣ ଏବଂ ନିର୍ଯାତନାର ଶିକାର ହୋଇଆସୁଛନ୍ତି । ଗତବର୍ଷ ଢାକା ବିମାନବନ୍ଦରରୁ ହିନ୍ଦୁ ସନ୍ଥ ଚିନ୍ମୟ କ୍ରିଷ୍ଣ
ଦାସଙ୍କୁ ଗିରଫ କରାଯିବା ପରେ ଭାରତ ବାଂଲାଦେଶକୁ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା କର୍ତ୍ତବ୍ୟ ସମ୍ପର୍କରେ ବାରମ୍ବାର ସ୍ମରଣ କରାଇଥିଲା । ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାକୁ ଗଣମାଧ୍ୟମର ଅତିଶୟୋକ୍ତି କହି ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଜୟସ୍ୱାଲ କହିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ୟୁନୁସ୍‌ ପ୍ରଶାସନକୁ ନିବେଦନ କରିଥିଲେ । ବାଂଲାଦେଶରେ ନାଗରିକ ଅଶାନ୍ତି, ଅପରାଧ ଏବଂ ଆତଙ୍କବାଦ ଯୋଗୁ ସେହି ଦେଶକୁ ଭ୍ରମଣରେ ଯିବା ବିପଦପୂର୍ଣ୍ଣ ହୋଇଛି । ତେଣୁ ବାଂଲାଦେଶ ଯିବା ନେଇ ଆମେରିକା ପରରାଷ୍ଟ୍ର ବିଭାଗ ଶୁକ୍ରବାର ଏହାର ନାଗରିକଙ୍କ ନିମନ୍ତେ କଠୋର ଟ୍ରାଭେଲ୍ ଆଡଭାଇଜରି ଜାରି କରି ସେମାନଙ୍କୁ ସତର୍କ କରାଇଛି । ବାଂଲାଦେଶ ପାଇଁ \”ଲେବଲ ୩: ରିକନ୍ସିଡର ଟ୍ରାଭେଲ୍‌\’ ଆଲର୍ଟ ଏବଂ ଚାଟ୍ଟାଗଙ୍ଗ ହିଲ୍ ଟ୍ରାକ୍ ଅଞ୍ଚଳ ପାଇଁ \”ଲେବଲ୪: ଡୋଣ୍ଟ ଟ୍ରାଭେଲ\’ ୱାର୍ଣ୍ଣିଂ ଜାରି ହୋଇଛି । ଚିଟ୍ଟାଗଙ୍ଗ ପାର୍ବତ୍ୟାଞ୍ଚଳରେ ଖଗ୍ରାଚାରୀ, ରଙ୍ଗାମାଟି ଏବଂ ବନ୍ଦରବାନ ଜିଲ୍ଲା ଯାଉଥିବାବେଳେ ଏହାକୁ ବିପଜ୍ଜନକ ଅଞ୍ଚଳ ବିବେଚନା କରାଯାଉଛି । ସେଠାରେ ଧର୍ମୀୟ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଛି । ବିଚ୍ଛିନ୍ନତାବାଦୀ ସଂଗଠନ ଏବଂ ରାଜନୈତିକ ହିଂସା ମଧ୍ୟ ବାହାର ଦେଶର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ସାମ୍ପ୍ରଦାୟିକ ହିଂସା, ଅପରାଧ, ଆତଙ୍କବାଦ, ଅପହରଣ ଏବଂ ଅନ୍ୟାନ୍ୟ ବିପଦ ରହିଛି ଓ ଅନେକ ସମୟରେ ଆଇଇଡି ବିସ୍ଫୋରଣ ଓ ଗୁଳିକାଣ୍ଡ ଘଟୁଛି । ତେଣୁ ଚିଟ୍ଟାଗଙ୍ଗ ପାର୍ବତ୍ୟାଞ୍ଚଳକୁ ନ ଯିବା ଲାଗି ଆଡଭାଇଜରିରେ ମେରିକୀୟମାନଙ୍କୁ ପରାମର୍ଶ ଦିଆଯାଇଛି ।

Comments (0)
Add Comment