ପ୍ରଶଂସକଙ୍କ ପାଇଁ ଶାହରୁଖଙ୍କ ବଙ୍ଗଳାରେ ରାତି ବିତାଇବାର ସୁଯୋଗ

ମୁମ୍ବଇ, : ଶାହରୁଖ ଖାନ ତାଙ୍କ ପ୍ରଶଂସକମାନଙ୍କୁ ଏକ ନିଆରା ଉପହାର ଦେଉଛନ୍ତି । ଏବେ ଆପଣ ତାଙ୍କ ରାଜକୀୟ ଜୀବନଶୈଳୀକୁ ଗୋଟିଏ ରାତି ପାଇଁ ବଞ୍ଚିପାରିବେ । କାଲିଫର୍ଣ୍ଣିଆର ବେଭର୍ଲି ହିଲ୍ସରେ ତାଙ୍କ ବିଳାସପୂର୍ଣ୍ଣ ବଙ୍ଗଳା ଭଡ଼ା ପାଇଁ ଉପଲବ୍ଧ । ଏହି ବିଳାସପୂର୍ଣ୍ଣ ଘର ପ୍ରସିଦ୍ଧ ରୋଡିଓ ଡ୍ରାଇଭରୁ ମାତ୍ର କିଛି ମିନିଟ୍‌ ଦୂରରେ ଅବସ୍ଥିତ । ଏଥିରେ ଛଅଟି ସୁନ୍ଦର ଶୟନ କକ୍ଷ ଅଛି, ଯାହା ଅତିଥିମାନଙ୍କୁ ଏକ ସୁନ୍ଦର ଅନୁଭୂତି ଦେବ । ଏହି ବଙ୍ଗଳାରେ ଅତିଥିମାନେ ବିଳାସପୂର୍ଣ୍ଣ ସୁବିଧା ଉପଭୋଗ କରିପାରିବେ । ଏହି ଘରେ ସେ ସମସ୍ତ ସୁବିଧା ଉପଲବ୍ଧ, ଯାହା ଏକ ସ୍ୱପ୍ନର ଘରେ ରହିବା କଥା । ଏଠାରେ ଲୋକମାନେ ଆକର୍ଷଣୀୟ ସୁଇମିଂ ପୁଲରେ ପହଁରିପାରିବେ, ଜକୁଜିରେ ଆରାମ କରିପାରିବେ, ବ୍ୟକ୍ତିଗତ କ୍ୟାବିନରେ କିଛି ଆରାମଦାୟକ ମୁହୂର୍ତ୍ତ ବିତାଇପାରିବେ କିମ୍ବା ଟେନିସ୍ କୋର୍ଟରେ ବନ୍ଧୁମାନଙ୍କ ସହିତ ଖେଳିପାରିବେ । ଶାହାରୁଖ ୨୦୧୯ ମସିହାରେ ଇନଷ୍ଟାଗ୍ରାମରେ ଏହି ଘରର ଫଟୋ ଶେୟାର କରିଥିଲେ, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଏବେ ଯେଉଁମାନେ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିପାରିବେ, ସେମାନଙ୍କ ପାଇଁ ଏହି ବଙ୍ଗଳା ଗୋଟିଏ ରାତି ପାଇଁ ୧ ଲକ୍ଷ ୯୬ ହଜାର ଟଙ୍କାରେ ଖୋଲା ଅଛି । ବଙ୍ଗଳାର ଭିତର ଭାଗ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ଆଧୁନିକ ଏବଂ ପୁରୁଣା ଡିଜାଇନର ଏକ ସୁନ୍ଦର ମିଶ୍ରଣ । ଧଳା ଏବଂ ବେଜ୍ ରଙ୍ଗର କାନ୍ଥଗୁଡ଼ିକ ଶାନ୍ତିର ଭାବନା ସୃଷ୍ଟି କରେ । କାନ୍ଥରେ ସଜା ଯାଇଥିବା ଚିତ୍ରକଳା ଏବଂ ସୁନ୍ଦର ଦର୍ପଣ ଘରର ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରୁଛି । ଆକର୍ଷଣୀୟ ଆସବାବ ପତ୍ର ଏହି ଘରକୁ ଆହୁରି ଖାସ୍‌ କରୁଛି । ସେହିପରି ବହି ଆଲମାରୀ ଏବଂ କଳାକୃତି ଏହି ଘରର ସୌନ୍ଦର୍ଯ୍ୟକୁ ଦୁଇଗୁଣା କରୁଛି । ବାହାରର ଦୃଶ୍ୟ ମଧ୍ୟ କିଛି କମ୍‌ ଆଶ୍ଚର୍ଯ୍ୟଜନକ ନୁହେଁ । ଘରର ସବୁଜ ଟେନିସ୍ କୋର୍ଟ, ଆରାମଦାୟକ କ୍ୟାବିନ୍‌, ବଡ଼ ଜାକୁଜି ଏବଂ ସୁଇମିଂ ପୁଲ୍କୁ ଉପଭୋଗ କରିପାରିବେ । ଶାହରୁଖଙ୍କର କେବଳ ଏହି ସମ୍ପତ୍ତି ନୁହେଁ, ତାଙ୍କର ଆହୁରି ଅନେକ ଘର ମଧ୍ୟ ଚର୍ଚ୍ଚାରେ ରହିଥାଏ । ମୁମ୍ବଇରେ ତାଙ୍କର ପ୍ରସିଦ୍ଧ ବଙ୍ଗଳା \”ମନ୍ନତ\’ ପ୍ରାୟତଃ ଚର୍ଚ୍ଚାରେ ଥାଏ । ଏହା ଭାରତର ସବୁଠାରୁ ମହଙ୍ଗା ଘର ମଧ୍ୟରୁ ଅନ୍ୟତମ । ଏହା ବ୍ୟତୀତ ତାଙ୍କର ଦୁବାଇର ପାମ୍‌ ଜୁମେରାହରେ ଏକ ବିଳାସପୂର୍ଣ୍ଣ ଘର ଅଛି । ତାଙ୍କର ଲଣ୍ଡନର ପାର୍କ ଲେନରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ୍‌ ଏବଂ ଅଲିବାଗରେ ଏକ ସୁନ୍ଦର ଫାର୍ମହାଉସ୍ ମଧ୍ୟ ଅଛି ।

Comments (0)
Add Comment